ଜାତୀୟରାଜନୀତି

ମନ୍ତ୍ରୀଙ୍କ ମୁହଁରେ କଳା ବୋଳିଲେ ଲୋକେ

ମୁମ୍ବାଇ:  ମନ୍ତ୍ରୀଙ୍କ ମୁହଁରେ କାଳି। ବିବାଦୀୟ ବୟାନ ଦେଇ ଦେବା ପରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲଙ୍କ ମୁହଁକୁ କାଳି ଛାଟିବା ଘଟଣା ଜଟିଳ ହେବାରେ ଲାଗିଛି। ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ୧୦ ପୁଲିସଙ୍କୁ ନିଲମ୍ବିତ କରାଯାଇଛି। ତେବେ ମନ୍ତ୍ରୀ ଏମିତି କଣ କହିଲେ ଯେ, ତାଙ୍କ ଉପରକୁ କାଳି ଫିଙ୍ଗିବାର ଦୁଃସାହସ କଲେ ଜନତା?

ମନ୍ତ୍ରୀଙ୍କ ମୁହଁରେ କଳା ବୋଳିଲେ ଲୋକେ। ମହାରାଷ୍ଟ୍ରର ଏକନାଥ ସରକାରରେ ମନ୍ତ୍ରୀ ଥିବା ବିଜେପିର ନେତା ଚନ୍ଦ୍ରକାନ୍ତଙ୍କ ମୁହଁରେ ଲାଗିଛି କଳା। ଶନିବାର ଦିନ ମନ୍ତ୍ରୀ ପୁଣେର ପିମ୍ପ୍ରି ଯାଇଥିବା ବେଳେ ତାଙ୍କ ମୁହଁକୁ କଳା ରଙ୍ଗର କାଳି ଫିଙ୍ଗିଛନ୍ତି ଜଣେ ବ୍ୟକ୍ତି। ମନ୍ତ୍ରୀ କୌଣସି କାର୍ଯ୍ୟରେ ପିମ୍ପ୍ରି ଚିଞ୍ଚ୍ୱାଡର ଏକ ଘରୁ ବାହାରୁ ଥିବା ବେଳେ ଜଣେ ନୀଳ ସର୍ଟ ଫିନ୍ଧିଥିବା ଲୋକ ମନ୍ତ୍ରୀଙ୍‌କ ନିକଟକୁ ଚାଲିଯାଇ ତାଙ୍କ ମୁହଁକୁ କାଳି ପକାଇ ଦେଇଥିଲେ। ଏହା ଦେଖି ହଡବଡେଇ ଯାଇଥିଲେ ମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀ। ତୁରନ୍ତ ମନ୍ତ୍ରୀଙ୍କୁ ସୁରକ୍ଷା ବଳୟ ମଧ୍ୟକୁ ନେଇ ଅଭିଯୁକ୍ତଙ୍କୁ କବଜା କରି ନେଇଥିଲେ। ଏହି ଘଟଣା ମନ୍ତ୍ରୀଙ୍କ ଔରଙ୍ଗାବାଦ କାର୍ଯ୍ୟକ୍ରମରୁ ଲାଗିଥିବା ଆକ୍ରୋଶର ଥିଲା ପ୍ରତିଫଳନ। କାଳି ଫିଙ୍ଗା ଘଟଣାର ଗୋଟିଦ ପୂର୍ବରୁ ଶୁକ୍ରବାର ଦିନ ଔରଙ୍ଗାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାରାଷ୍ଟ୍ରର ଉଚ୍ଚ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ। ସେଠାରେ  ମନ୍ତ୍ରୀ ମରାଠୀରେ କହିଥିଲେ କି, ବି ଆର ଆମ୍ବେଦକର ଓ ମହାତ୍ମା ଜ୍ୟୋତିବା ଫୁଲେ ଶିକ୍ଷା ସଂସ୍ଥାନ ଚଳାଇବାକୁ ସରକାରୀ ଅନୁଦାନ ମାଗି ନ ଥିଲେ। ସେମାନେ ସ୍କୁଲ ଓ କେଲଜ ଆରମ୍ଭ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଭିକ ମାଗିଥିଲେ।

ଏହି ଦୁଇ ବରପୁତ୍ରଙ୍କ ପ୍ରତି ମନ୍ତ୍ରୀଙ୍କ ଭିକ ଶବ୍ଦର ପ୍ରୟୋଗକୁ ନେଇ ଉଠିଥିଲା ବିବାଦ। ଆରମ୍ଭ ହୋଇଥିଲା ରାଜନୀତି। ତେବେ ବିବାଦ ଉଠିବା ପରେ ମନ୍ତ୍ରୀ କହିଛନ୍ତି କି, ମୋ ବୟାନକୁ ବିକୃତ କରାଯାଇଛି। ମୁଁ କହିଥିଲି ଏହି ବରପୁତ୍ର ମାନେ ଶିକ୍ଷାର ବିକାଶ ପାଇଁ ସରକାରର ଅନୁଦାନକୁ ଅପେକ୍ଷା କରି ନ ଥିଲେ। ସେମାନେ ସ୍କୁଲ ଖୋଲିବାକୁ ଭିକ ମାଗିଥିଲେ। ଭିକ ଶବ୍ଦକୁ ନେଇ ଉଠିଥିବା ବିବାଦ ଉପରେ ମନ୍ତ୍ରୀ ଆହୁରି କହିଥିଲେ କି, ଯଦି କୌଣସି ବ୍ୟକ୍ତି କୁହେ ମୁଁ ନ୍ୟାୟ ଭିକ୍ଷା କରୁଛି, ତେବେ କଣ ସେ ଭିକ ଭାଗୁଛି। ମୁଁ ଏକ ଅନୁନ୍ନତ ଅଞ୍ଚଳରୁ ଆସିଛି। ଏପରି ଶବ୍ଦ ଆମେ ବ୍ୟବହାର କରିଥାଉ। ବାପାର ମରିଯିବା ପରେ ପୁଅକୁ ମା ମଧ୍ୟ କହିଥାଏ, ମୁଁ ଭିକ ମାଗି ତୋତେ ବଡ କରିଛି, ତେବେ କଣ ମା ଥାଳ ଧରି ଭିକ ମାଗିଥାଏ। କାଳି ଫିଙ୍ଗିବା ଦ୍ବାରା କିଛି ହେବ ନାହିଁ। ମୁଁ ମୋ ସର୍ଟ ବଦଳାଇ ଦେଇ ଆଗେଇ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ:

ମନ୍ତ୍ରୀଙ୍କ ବୟାନକୁ ନେଇ ରାଜ୍ୟରେ ସରକାର ବିରୋଧୀ ବାତାବରଣ ଦେଖିବାକୁ ମିଳିଛି। ଲୋକେ ମଧ୍ୟ ବରପୁରୁଷଙ୍କ ପ୍ରତି ଦିଆଯାଇଥିବା ବୟାନକୁ  ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ସେପଟେ ବିବାଦୀୟ ବୟାନକୁ ନେଇ ବିରୋଧୀ ଏନସିପି, କଂଗ୍ରେସ, ଉଦ୍ଧବ ଗୋଷ୍ଠୀ  ବିଜେପି ଓ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।ମନ୍ତ୍ରୀଙ୍କ ଏପରି ଦାୟିତ୍ବହୀନ ବୟାନକୁ ନିନ୍ଦା କରାଯାଇଛି। ସେପଟେ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଆଗେଇ ଆସିଛି ବିଜେପି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମନ୍ତ୍ରୀଙ୍କ ବକ୍ତବ୍ୟକୁ ବିରୋଧୀ ବିକୃତ କରୁଛି। ଆଉ ଉପମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି ପାଟିଲଙ୍କ ସହ  ଫଡନବିସ।

ତେବେ ବିବାଦୀୟ ବୟାନ ପରେ ମନ୍ତ୍ରୀଙ୍କ ଉପରକୁ କାଳି ଫିଙ୍ଗିବା ଘଟଣାକୁ ଆହୁରି ଜଟିଳ କରି ଦେଇଛି। ଏହି ଘଟଣା ପରେ ମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କୁ ଚିଠି କରି ସୁରକ୍ଷାରେ ନିୟୋଜିତ ପୁଲିସ କର୍ମୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ଏଥିସହ ତାଙ୍କ ବୟାନକୁ ନେଇ ମହାରାଷ୍ଟ୍ରର ବିରୋଧୀ ଦଳ ରାଜନୀତି କରୁଥିବା ମଧ୍ୟ ଅଭିଯୋଗ ଆଣିଥିଲେ ପାଟିଲ। କାଳି ଫିଙ୍ଗିବା ଘଟଣାରେ ପିମ୍ପ୍ରି ଚିଞ୍ଚୱାଡର ପୁଲିସ ଡିଜି କହିଛନ୍ତି କି, ଘଟଣାକୁ ନେଇ ସାତ ଜଣ ପୁଲିସ କର୍ମୀ ଓ ତିନି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏମାନେ ମନ୍ତ୍ରୀଙ୍କ ଗସ୍ତ କାଳରେ ମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିଲେ। ଏହିସହ କାଳି ପକାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଡିଜି।

ବରପୁତ୍ରଙ୍କ ଉଦ୍ଦେଶ୍ୟରେ ଭିକ ଶବ୍ଦର ପ୍ରୟୋଗକୁ ନେଇ ବିରୋଧୀ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ କାଳି ଫିଙ୍ଗାକୁ ନେଇ ଓହ୍ଲାଇଛି ବିଜେପି। ବିରୋଧ ପ୍ରଦର୍ଶନ ସହ ନାରାବାଜି ପୁଣି ମହାରାଷ୍ଟ୍ରର ବାତାବରଣକୁ ଉଷ୍ଣ କରି ଦେଇଛି। ଏହି ଘଟଣା ଆଗକୁ କୌଣସି ଅଘଟଣର କାରଣ ଯେ ନ ହେବ ତାହାକୁ ଏଡାଇ ଦିଆଯାଇ ନ ପାରେ। 

Related Articles

Leave a Reply

Your email address will not be published.

Back to top button