
ବିହାର ରାଜନୀତିକୁ ନେଇ ଚାରିଆଡ଼େ ହଇଚଇ। ନୀତିଶଙ୍କ ନେତୃତ୍ୱାଧୀନ ନୂଆ ସରକାର ଓ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତିଶଙ୍କ ରେକର୍ଡକୁ ନେଇ ବି ସେତିକି ଚର୍ଚ୍ଚା। ହେଲେ ନୀତିଶ କଅଣ ନବୀନଙ୍କ ସହ ତୁଳନୀୟ କି। ବିହାର ଭଳି ଓଡ଼ିଶାରେ ରାଜନୈତିକ ଅସ୍ଥିରତା ଅଛି କି। ଏହାର ଉତ୍ତର ଗୋଟିଏ ଶବ୍ଦରେ ହେଉଛି ବିଲକୁଲ ନୁହେଁ। କାରଣ ପଟ୍ଟ ପରିବର୍ତ୍ତନ, ସୁବିଧାବାଦୀ ରାଜନୀତିର ବିଶ୍ୱାସରେ ବ୍ରତୀ ନୀତିଶ। କ୍ଷମତା ଚୌକି ତାଙ୍କ ପାଇଁ ସବୁ କିଛି। ସେଠି ଆଦର୍ଶ ଓ ବିଚାରାଧାରାର କିଛି ମାଏନା ରଖୁନି। ସେଥିଲାଗି ତ ସିଏମ ଚୌକି ପାଇଁ ସର୍ବାଧିକ ଅଷ୍ଟମ ଥର ଶପଥ ନେଇଥିଲେ ବି ନୀତିଶଙ୍କ ପତିଆରା ଓ ପ୍ରଭାବକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି ରାଜନୀତିକ ମହଲ।
ପ୍ରଧାନମନ୍ତ୍ରୀ ପଦ ପାଇଁ ଲାଳାୟିତ ନୁହେଁ ବୋଲି କେତେବେଳେ କୁହନ୍ତି ତ ସମାନ୍ତରାଳ ଭାବେ ପୁଣି କୁହନ୍ତି ସବୁ ବିରୋଧୀ ଦଳ ଏକାଠି ହୁଅନ୍ତୁ ବୋଲି ସେ ଚାହାଁନ୍ତି। ହେଲେ ଓଡ଼ିଶାରେ ସ୍ଥିର ଶାସନ ଓ ସ୍ଥିର ନେତୃତ୍ୱ ଦେବାରେ ରେକର୍ଡ କରିଛନ୍ତି ନବୀନ ପଟ୍ଟନାୟକ। ତା ପୁଣି କ୍ରମାଗତ ଆସ୍ଥା ବଢ଼ିଚାଲିଛି ଜନମତର। ୨୦୧୨ ମିଡନାଇଟ ଅପରେସନ ଭଳି ଅତୀତକୁ ଛାଡ଼ିଦେଲେ ଏଭଳି କୌଣସି ରାଜନୈତିକ ବିପଦ ମାଡ଼ିଆସିନି ନବୀନଙ୍କୁ। ସେଥିଲାଗି ତ ସେ ଅବିଚଳିତ। କଂଗ୍ରେସ ଓ ଏନଡିଏରୁ ସମଦୂରତ୍ୱ ବଜାୟ ରଖିବାରେ ସିଦ୍ଧହସ୍ତ। ପ୍ରସଙ୍ଗଭିତ୍ତିକ ସମର୍ଥନ ଦିଅନ୍ତି ସତ। କିନ୍ତୁ ସେଥିରେ ରାଜ୍ୟସ୍ୱାର୍ଥର ଛିଟା ଛାଟିଦେଇଥାଆନ୍ତି। ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲରେ ତାଙ୍କ ଶାସନକୁ ନେଇ ୭୮ ପ୍ରତିଶତ ସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଅର୍ଥାତ୍ ନିଜ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସନ୍ତୁଷ୍ଟ ବର୍ଗରେ ନବୀନ ଶୀର୍ଷରେ। ସେଥିଲାଗି ତ ଜାତୀୟ ରାଜନୀତିରେ ତାଙ୍କର ଭୂମିକାକୁ ଗୁରୁତ୍ୱ ଦିଆଯାଏ।
କିନ୍ତୁ ସେ ଓଡ଼ିଶା ରାଜନୀତି ଛାଡ଼ିବେନି ବୋଲି ଏକରକମ ପକ୍କା। ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ପକ୍କା ବୋଲି କହିଲେଣି ଦଳୀୟ ନେତା। ପରିବର୍ତ୍ତନର ସୂତ୍ରଧର ବୋଲି ନୀତିଶଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି ତୁଳନା କଲେଣି। ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ। କିନ୍ତୁ କ୍ଷମତା ଲାଗି ସବୁସ୍ତରକୁ ଯାଇପାରିବେ ବୋଲି ଅପବାଦ ବି ତାଙ୍କ ପଛେ ପଛେ ଲାଗିରହିଛି। ଜନାଦେଶକୁ ଅପମାନ ଓ ବିହାରବାସିନ୍ଦାଙ୍କୁ ବିଶ୍ୱାସଘାତ କରିଥିବାର ଆରୋପ ଲଦାଯାଇଛି। ହେଲେ ଏ ସବୁ ଅପବାଦ ଛୁଇଁପାରିନି ନବୀନଙ୍କୁ। ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଆଗରେ ନୀତିଶଙ୍କ ଧଳା ପୋଷାକ ତଳେ କ୍ଷମତା ଆଗରେ ସବୁ ତୁଛ ଭାବମୂର୍ତ୍ତି ଯେମିତି ମଳିନ।
- ପ୍ରଦୀପ ନାୟକଙ୍କ ରିପୋର୍ଟ