ରାଜନୀତି

ପୁଣି ଥରେ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ…କାହିଁକି ରହିଛି ତେଜସ୍ୱୀଙ୍କ ବିହାର ପଲିଟିକ୍ସରେ ତେଜ୍ ?

ନୀତିଶଙ୍କ ରାଜତିଳକ ହୋଇଛି। ଥରେ ନୁହେଁ। ଆଜିକୁ ମିଶାଇ ୮ ଥର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି ନୀତିଶ। ହେଲେ ନୀତିଶଙ୍କ ତୁଳନାରେ ଢେର୍ କନିଷ୍ଠ ଥିବା ତେଜସ୍ୱୀ ଯାଦବଙ୍କ ତେଜ୍ ବି କିଛି କମ୍ ନାହିଁ ବିହାର ପଲିଟିକ୍ସରେ। ନୀତିଶଙ୍କ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ତେଜସ୍ୱୀ। ଗଲା ନିର୍ବାଚନରେ ବି ନୀତିଶଙ୍କ ଦଳକୁ ତିନି ନମ୍ୱର ଆସନକୁ ଠେଲିଦେଇଥିଲେ ତେଜସ୍ୱୀ। ଆଉ ଏଥର ପାଳିରେ ପୁଣି ଥରେ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତେଜସ୍ୱୀ। ବିହାର ବିଧାନସଭାରେ ବିରୋଧୀ ଦଳ ନେତା। ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ। ଲାଲୁ – ରାବ୍ରିଙ୍କ ସବା ସାନ ପୁଅ। ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ଯାହାର ନେତୃତ୍ୱରେ ପରିଚାଳିତ। ଗଲା ବିଧାନସଭା ନିର୍ବାଚନରେ ବିହାରର ଏକକ ସଂଖ୍ୟାଗରିଷ୍ଠ ଦଳର ନେତା। ସେ ହେଉଛନ୍ତି ତେଜସ୍ୱୀ ଯାଦବ। ସଂଖ୍ୟାରେ ବିଜେପି ଓ ଜେଡିୟୁକୁ ପଛରେ ପକାଇଦେଇଥିଲେ ବି ବିହାର ଶାସନର ଡୋରି ଧରିବାକୁ ଅଳ୍ପକେ ବଞ୍ଚିତ ହୋଇଥିଲେ ତେଜସ୍ୱୀ।

କାରଣ ନୀତିଶ ପଟ୍ଟ ପରିବର୍ତ୍ତନ କରିଦେଲେ। କ୍ରିକେଟରେ କ୍ୟାରିଅର କରୁଥିଲା ବେଳେ ୨୦୧୦ରେ ଆରଜେଡି ଲାଗି କ୍ୟାମ୍ପେନ୍ କରିବା ଆରମ୍ଭ କରିଥିଲେ ତେଜସ୍ୱୀ। ପ୍ରଚାରକୁ ଆଧୁନିକୀକରଣ ସହ ଲୋକଙ୍କ ପାଖରେ ପହଞ୍ଚିବାକୁ ଡିଜିଟାଲ ପ୍ରଚାରକୁ ଆପଣାଇଥିଲେ ତେଜସ୍ୱୀ। ୨୦୧୫ ବିହାର ବିଧାନସଭା ଆସନରେ ରାଘୋପୁର ଆସନରୁ ମହାଗଠବନ୍ଧନର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଆଉ ମହାମେଣ୍ଟ ସଂଖ୍ୟା ଗରିଷ୍ଠ ଆସନ ହାସଲ କରିଥିବା ବେଳେ ତେଜସ୍ୱୀଙ୍କ ସାଂଗଠନିକ ଢାଞ୍ଚା ଓ ଦଳକୁ ସଠିକ୍ ପରିଚାଳନା ପାଇଁ ପୁରଷ୍କୃତ କରାଯାଇଥିଲା। ବିହାରର ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ ତେଜସ୍ୱୀ। ନୀତିଶଙ୍କ କ୍ୟାବିନେଟରେ ପୂର୍ତ୍ତ, ଜଙ୍ଗଲ ପରିବେଶ ଭଳି ଦୁଧିଆଳୀ ବିଭାଗ ବି ସମ୍ଭାଳିଥିଲେ ତେଜସ୍ୱୀ। କିନ୍ତୁ ୨୦୧୮ରେ ତେଜସ୍ୱୀଙ୍କ ପଛରେ ବିବାଦ ଗୋଡ଼ାଇଥିଲା। ତେଜସ୍ୱୀ ନିଜକୁ ଆରଜେଡିର ନେତା ବୋଲି ଘୋଷଣା କଲେ। ଯଦିଓ ଲାଲୁ-ରାବ୍ରୀଙ୍କର ଦଳ। ହେଲେ ସବୁରି ଆଗରେ ଥିଲେ ତେଜସ୍ୱୀ।

୨୦୨୦ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ପ୍ରୋଜେକ୍ଟ କରାଯାଇଥିଲା। ମହାଗଠବନ୍ଧନ ଯଦିଓ ୧୧୦ ଆସନ ଅକ୍ତିଆର କରିଥିଲା। ଆଉ ଆରଜେଡି ଏକାକୀ ୭୫ ଆସନ ହାତେଇ ସବୁଠୁ ବଡ଼ ଦଲ ଭାବେ ଉଭା ହୋଇଥିଲା। ତା ସତ୍ତ୍ୱେ ସରକାର ଗଠନ କରିପାରିଲାନି। କାରଣ ସରକାର ଗଢ଼ିବାକୁ ହେଲେ ଆବଶ୍ୟକ ଥିଲା ମ୍ୟାଜିକ ନମ୍ୱର ୧୨୨। ସେଥିଲାଗି ତେଜସ୍ୱୀ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୭ରେ ତେଜସ୍ୱୀଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିଲା। ମନି ଲଣ୍ଡରିଂ ମାମଲାରେ ତେଜସ୍ୱୀ ଓ ତାଙ୍କ ପରିବାର ନାଁରେ ଇଡି ୨୦୦୪ରେ ରୁଜୁ କରିଥିବା ମାମଲା ଆଧାରରେ ଏହା ହୋଇଥିଲା। ଇଣ୍ଡିଆନ ରେଲଓ୍ୱେ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମରେ ହୋଇଥିବା ଦୁର୍ନୀତିକୁ ନେଇ ସିବିଆଇ ସ୍କାନରକୁ ଆସିଥିଲେ ତେଜସ୍ୱୀ। ଆଉ ତେଜସ୍ୱୀ ବିବାଦରେ ଫସିଥିବା ଦେଖି ନୀତିଶ ଦୂରେଇଗଲେ।

ଆଉ ବିଜେପି ସହ ମିଶି ନୂଆ ସରକାର ଗଢ଼ିଲେ। ମହାଗଠବନ୍ଧନର ହାତ ଛାଡ଼ିଦେଲେ। ଅବଶ୍ୟ ତେଜସ୍ୱୀ ଏହି ମାମଲାରୁ ବର୍ତ୍ତିଗଲେ। କାରଣ ସେ ଦିଲ୍ଲୀ ହାଇକୋର୍ଟରେ ଦର୍ଶାଇଥିଲେ କି, ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା, ନାବାଳକ ଥିଲେ, ସେତେବେଳେ ତାଙ୍କ ନାଁରେ ଏଭଳି ମାମଲା ହୋଇଛି। ଯାହା ବାବଦରେ ତାଙ୍କର କୌଣସି ଲେନଦେନ୍ ନଥିଲା। ଏବେ ନୀତିଶ ପୁଣି କଡ଼ ଲେଉଟାଇବାରୁ ବିହାର ରାଜନୀତିରେ ପୁଣି ଘମାସାନ। ତେଜସ୍ୱୀ ପୁଣିଥରେ ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ। ତେବେ ଇଫତାର ପାର୍ଟିରୁ କକା-ପୁତୁରା ପୁଣି ନିକଟତର ହେବା ଦୃଶ୍ୟପଟ୍ଟରୁ ଆଜି ଗୋଟିଏ ମଞ୍ଚରେ ବିହାରର ନେତୃତ୍ୱ ନେବାକୁ ଶପଥ ଗ୍ରହଣ କରିଛନ୍ତି। ବଡ଼ ପୁଅ ତେଜପ୍ରତାପଙ୍କ ବଦଳରେ ସାନ ପୁଅ ତେଜସ୍ୱୀ ହିଁ ଲାଲୁଙ୍କ ଲିଗାସି ସମ୍ଭାଳିପାରିବେ ବୋଲି ଲାଲୁ ଜାଣିଥିଲେ। ଯଦିଓ ୨୦୧୦ରେ ପ୍ରଚାର ଅଭିଯାନର ମଙ୍ଗ ଧରିଥିଲେ ତେଜସ୍ୱୀ ଆଉ ୨୪୩ ଆସନରୁ ମାତ୍ର ଆରଜେଡି ୨୨ଟି ଆସନରେ ହାମୁଡ଼େଇ ପଡ଼ିଥିଲା।

କିନ୍ତୁ ୨୦୧୫ରୁ ନିଜର ନେତୃତ୍ୱ ଦେଖାଇବାରେ ପାରଙ୍ଗମ ହୋଇଥିଲେ ତେଜସ୍ୱୀ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନୀତିଶଙ୍କ ଭଳି ଭେଟେରାନଙ୍କ ନୀତି ଓ କରାମତିକୁ ନେଇ ଯେତିକି ଚର୍ଚ୍ଚା ହୁଏ। ଠିକ୍ ଅନୁରୂପ ଭାବେ ତେଜସ୍ୱୀଙ୍କ ଭଳି ଯୁବ ଚେହେରା ଓ ଯୁବ ନେତୃତ୍ୱଙ୍କୁ ନେଇ ବି ସେତିକି ଚର୍ଚ୍ଚା ଜାରି। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିବା, ଆନ୍ଦୋଳନ କରିବା, ରୋଜଗାରକୁ ନେଇ ଶାଣିତ ଟିପ୍ପଣୀ ଓ ସରକାରଙ୍କ ଉପରେ ଚାପ ପକାଇବା ହେଉ ଅବା ଜାତିଭିତ୍ତିକ ଜନଗଣନା ପାଇଁ ଅଡ଼ି ବସିବା। ଅନେକ ଜନସ୍ୱାର୍ଥ ପ୍ରସଙ୍ଗରେ ତେଜସ୍ୱୀଙ୍କ ତେଜ୍ ଦେଖିସାରିଛି ବିହାର।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button