
ବିହାରରେ ନୀତିଶଙ୍କ ନୂଆ ଇନିଂସ ଆରମ୍ଭ ହୋଇସାରିଛି। ଏଥର ମହାଗଠବନ୍ଧନ ସହ। ଏନଡିଏର ହାତ ଛାଡ଼ିଲାବେଳକୁ ନୀତିଶଙ୍କର ସବୁଠୁ ବଡ଼ ମନ୍ତବ୍ୟର ରହସ୍ୟ ଉପରୁ ଏ ଯାଏ କିନ୍ତୁ ପରଦା ହଟିଲାନି। ଯାହାକୁ ନେଇ ଅନେକ ଆକଳନ, ଆଲୋଚନା ଓ ଚର୍ଚ୍ଚା ଜାରି ରହିଛି। ଜେଡିୟୁକୁ ଭାଙ୍ଗିବାକୁ କୁଆଡ଼େ ବିଜେପି ଚକ୍ରାନ୍ତ କରୁଥିବାର ସଙ୍ଗୀନ ଆରୋପ ଲଦିବା ପରେ ଯଦିଓ ବିଜେପି ନେତା ଜଣକ ପରେ ଜଣେ ଏହାକୁ କାଉଣ୍ଟର କରିବାରେ ଲାଗିଛନ୍ତି। ଆଉ ନୀତିଶଙ୍କ ଉପରେ ବର୍ଷିଛନ୍ତି। ତେବେ ନିରିଖେଇ ଦେଖିଲେ ସତରେ କଅଣ ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା କି ବିଜେପି। ମହାରାଷ୍ଟ୍ର ଫର୍ମୁଲା ଆପଣାଇବାକୁ ବସିଥିଲା କି।
ଜେଡିୟୁରେ ଥିବା ଗୃହ ଶତୃଙ୍କ ଜରିଆରେ ଖଣ୍ଡ ଖଣ୍ଡ କରିଦେବାକୁ ଚାହୁଁଥିଲା କି। ମୋଦିଙ୍କ ହନୁମାନ ବୋଲା ଯାଉଥିବା ଏଲଜେପିର ଚିରାଗ ପାଶଓ୍ୱାନଙ୍କର ସେମିତି କିଛି ପ୍ରଛଦପଟ୍ଟରେ ଭୂମିକା ଥିଲା କି। ଜେଡିୟୁର ଲଲନ ସିଂ କାହିଁକି ନୂଆ ସରକାର ହେବା ଆଗରୁ ଦଳ ଭିତରେ ଓ ବାହାରେ ଥିବା କିଛି ନେତାଙ୍କ ଚରିତ୍ର ସଂହାର କରିଥିଲେ। କାରଣ ଏନଡିଏର ହାତ ଛାଡ଼ିବା ପଛରେ ଅନେକ କାରଣ କୁହାଯାଉଛି। ଉଭୟ ବିଜେପି ଓ ଜେଡିୟୁର ସମାନସଂଖ୍ୟକ ୧୬ ଜଣ ଲେଖାଏଁ ସାଂସଦ ଥିଲା ବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସମାନ ଅନୁପାତ ଚାହୁଁଥିଲେ ନୀତିଶ। କାରଣ ବିହାର ବିଜେପି କୋଟାରୁ କେନ୍ଦ୍ରରେ ମନ୍ତ୍ରୀ ହେଉଥିଲା ଭଳି ଜେଡିୟୁ କୋଟାରୁ ବି ହୁଅନ୍ତୁ ବୋଲି ଚାହିଁଥିଲେ ନୀତିଶ। କିନ୍ତୁ ୨୦୧୯ ପରେ ଜେଡିୟୁରୁ କେବଳ ଆରସିପି ସିଂଙ୍କୁ ମନ୍ତ୍ରୀ କରାଗଲା। ଆଉ ଖାସ୍ କରି ସେଥିଲାଗି ତ ଲଲନ ସିଂ କହିଥିଲେ, କେନ୍ଦ୍ର କ୍ୟାବିନେଟରେ କେବେ ବି ସାମିଲ ହେବନି ଜେଡିୟୁ। କେବଳ ଏତିକି ନୁହେଁ, ଆରସିପିଙ୍କୁ ଧରି ଜେଡିୟୁରେ ଫାଟ କରିବାକୁ ଚାହିଁଥିଲା ବିଜେପି ବୋଲି ସଙ୍ଗୀନ ଆରୋପ ଲଦିଥିଲେ। ଏମିତିରେ ବିହାର ବିଧାନସଭାରେ ବିଜେପି କୋଟାରୁ ବାଚସ୍ପତି ହୋଇଥିବା ବିଜୟ ସିହ୍ନାଙ୍କ ସହ ନୀତିଶଙ୍କର ବିଧାନସଭା ଭିତରେ ଓ ବାହାରେ ଅନେକ ଥର ବିବାଦ ଉପୁଜିଥିଲା।

ଅଗ୍ନିପଥ ନିଯୁକ୍ତିକୁ ନେଇ ବିହାରରେ ଅଶାନ୍ତ ଓ ହିଂସା ପରିସ୍ଥିତି ଲାଗି ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୟସଓ୍ୱାଲ ନୀତିଶ ସରକାରଙ୍କୁ ଟାର୍ଗେଟ କରିଥିଲେ ଅତୀତରେ। ଏ ପ୍ରସଙ୍ଗରେ ବିଜେପି କାହିଁକି ଏକାକୀ ଟାର୍ଗେଟ ହେଉଛି। ଏହା ତୁରନ୍ତ ବନ୍ଦ ହେବା ଦରକାର। ତା ନହେଲେ ଏହା କାହାପାଇଁ ବି ଭଲ ହେବନି ବୋଲି ଚେତାଇ ଦେଇଥିଲେ। କାରଣ ନୀତିଶ ଏ ସବୁ ପ୍ରସଙ୍ଗରେ ଅସମ୍ଭବ ନୀରବତା ଅବଲମ୍ୱନ କରୁଥିଲେ। ଏ ସବୁ ତ ଅତୀତ। ଆଉ ଏହାର ପ୍ରତିଫଳନ ଆଜି ସମସ୍ତଙ୍କ ସାମ୍ନାରେ। ହେଲେ ଆରସିପି,ଚିରାଗଙ୍କ ଭୂମିକାକୁ ଏବେ ରାଜନୈତିକ ଷଡ଼ଯନ୍ତ୍ର ଚର୍ଚ୍ଚାର ସ୍କାନରରେ ଦେଖାଯାଉଛି। କାରଣ ସାନି ନିର୍ବାଚନ କରିବାକୁ ଦାବି କଲେଣି ଚିରାଗ। ଆଉ ବିଜେପି କହିବାରେ ଲାଗିଛି, ନୀତିଶ ବିଶ୍ୱାସଘାତକ। ସେପଟେ ଆରଏଲଜେପିର ପଶୁପତି ପାରଶ ଯିଏ କି କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ସେ ଏନଡିଏ ସହ ରହିବେ ବୋଲି କହିଛନ୍ତି। ଏହାରି ଭିତରେ ଅଡ଼ିଓ ଟେପ୍ ଭାଇରାଲ ଖବର ନୀତିଶଙ୍କ କଥାରେ ଦମ୍ ଅଛି ବୋଲି ଚର୍ଚ୍ଚାକୁ ବି ଶାଣିତ କରୁଛି।
କେନ୍ଦ୍ରରୁ କିଏ ଜଣେ ମନ୍ତ୍ରୀ ଷଡ଼ଯନ୍ତ୍ର କରି ଜେଡିୟୁକୁ ଭାଙ୍ଗିବାକୁ ହୋଇଥିବା ଅଡ଼ିଓ ଭାଇରାଲ ଟେପ୍ କୁ ନେଇ ଏ ଯାଏ ସ୍ପଷ୍ଟତା ଆସିପାରିନି। ଜେଡିୟୁ ଜାହାଜରେ ଛିଦ୍ର କରିବାକୁ ତା ହେଲେ କିଏ ଷଡ଼ଯନ୍ତ୍ର କରୁଥିଲା। ଷଡ଼ଯନ୍ତ୍ର ହୋଇଥିଲା ସତରେ ନା ବିଜେପି ସାଙ୍ଗରେ ରହି ନିଜକୁ ସହଜ ମନେ କରୁନଥିବା ନୀତିଶ ଏହି ଷଡ଼ଯନ୍ତ୍ର ଥିଓରୀକୁ ଆଗକୁ ଆଣି ନିଜକୁ ପୁଣି କ୍ଷମତା ଚୌକିରେ ବସାଇ ବିଜେପି ଓ ମେଣ୍ଟ ସହଯୋଗୀଙ୍କ ଭିତରେ ଲଢ଼େଇ ଦେଖିବାକୁ କରିଛନ୍ତି କି ଫନ୍ଦି।
- ପ୍ରେମଲତା ବାରିକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ