ଜାତୀୟରାଜନୀତି

ସମ୍ଭବ ହେଉନି ସଂସଦ ପରିଚାଳନା

ନୂଆଦିଲ୍ଲୀ: ସଂସଦ ସ୍ୱାଭାବିକ ହୋଇପାରୁନି। ମୌସୁମୀ ଅଧିବେଶନ ଆରମ୍ଭରୁ ଜିଏସଟି, ଦରବୃଦ୍ଧିକୁ ନେଇ ଗୃହକୁ ଅଚଳ କରିଦେଇଥିଲେ ବିରୋଧୀ। ଆଉ ଗଲା ସପ୍ତାହର ଶେଷ ଦୁଇ ଦିନ ଅଧୀରଙ୍କ ରାଷ୍ଟ୍ରପତ୍ନୀ ଟିପ୍ପଣୀକୁ ନେଇ ଶାସକ ଦଳର ପ୍ରତିବାଦର ସ୍ୱରରେ ଅଚଳ ହୋଇଯାଇଥିଲା ସଂସଦ। ଅଗଷ୍ଟ ପହିଲାରୁ ଯାହା ଆଶଙ୍କା କରାଯାଉଥିଲା, ସେୟା ହିଁ ହେଲା। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଜିଏସଟି, ଦରବୃଦ୍ଧି ଉପରେ ଆଲୋଚନା ଲାଗି ରାଜି ଥିବା ଶାସକ ଦଳର ମନ୍ତବ୍ୟ କାଟୁ କଲାନି।

କେତେବଳେ ବିରୋଧୀ ଅଚଳ କରୁଛନ୍ତି ତ କେତେବଳେ ଶାସକ ଦଳ। ହୋହଲ୍ଲା, ହଟ୍ଟଗୋଳରୁ ଗୃହ ମୁଲତବୀ। ଯେମିତି ଏହି ଟ୍ରେଣ୍ଡ୍ ହିଁ ସଂସଦର ସୁସ୍ଥ ଗଣତନ୍ତ୍ର ମୂଲ୍ୟବୋଧକୁ ଉପହାସ କରୁଛି। ଅଧିବେଶନ ଆରମ୍ଭରୁ ଜିଏସଟି, ଦରବୃଦ୍ଧିକୁ ନେଇ ବିରୋଧୀ ଗୃହ ଅଚଳ କରିଆସିଛନ୍ତି। ତେବେ ଅର୍ଥମନ୍ତ୍ରୀ ସୁସ୍ଥ ହୋଇ ସଂସଦକୁ ଆସିବା ଯାଏ ଅପେକ୍ଷା କରିବାକୁ ଶାସକ ଦଳ ବୁଝାଇଲେ ବି ବୁଝିନଥିଲେ ବିରୋଧୀ। ଆଉ ଅର୍ଥମନ୍ତ୍ରୀ ସୁସ୍ଥ ହୋଇ ସଂସଦକୁ ଆସିବା ବେଳକୁ ଅଧୀରଙ୍କ ରାଷ୍ଟ୍ରପତ୍ନୀ ଟିପ୍ପଣୀ ଝଡ଼ ବହିଥିଲା।

ଅଧୀରଙ୍କ ସମେତ ସୋନିଆଙ୍କଠୁ କ୍ଷମା ପ୍ରାର୍ଥନା ଦାବି କରି ଶାସକ ଦଳ ହଙ୍ଗାମା କରିଥିଲା। ଏହାରି ଭିତରେ ସୋନିଆଙ୍କୁ ଇଡିର ସମନ ଓ ହାଜିରା ନେଇ ଶାସକ ଦଳର ରାଜନୈତିକ ଅସୂୟା ଓ ପ୍ରତିଶୋଧମୂଳକ ମନୋଭାବକୁ ନେଇ ବିରୋଧୀ ଗର୍ଜିଥିଲେ। ଗୃହ ଭିତରକୁ ପ୍ଲାକାର୍ଡ ଧରି ଆସିବା, ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସଂସଦୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ବିରୋଧୀଙ୍କୁ ବାରମ୍ୱାର ବୁଝାଇଥିଲେ ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ। ଆଉ ପରିଣତିସ୍ୱରୂପ ୨୭ ସାଂସଦଙ୍କୁ ଗୃହରୁ ନିଲମ୍ୱିତ ବି କରାଯାଇଥିଲା। ଏ ଥିଲା ଗଲା ମାସ ୧୮ରୁ ଜୁଲାଇ ୨୯ ଯାଏ ସଂସଦର ହାଲଚାଲ୍। ଆଉ ଅଗଷ୍ଟ ପହିଲାରୁ ବି ଏଥିରେ କିଛି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଲାନି। ଗୃହ କାର୍ଯ୍ୟ ଆରମ୍ଭରୁ ପୁଣି ଅଚଳାବସ୍ଥା ସୃଷ୍ଟି ହୋଇଛି। ଲୋକସଭାରେ ୪ କଂଗ୍ରେସ ସାଂସଦଙ୍କ ଉପରୁ ନିଲମ୍ୱନ ପ୍ରତ୍ୟାହାର ଦାବିରେ ବିରୋଧୀ ହଟ୍ଟଗୋଳ କରିଥିଲେ। ତ ରାଜ୍ୟସଭାରେ ସଞ୍ଜୟ ରାଉତଙ୍କୁ ଇଡିର ଗିରଫଦାରି ବିରୁଦ୍ଧରେ ଶିବସେନା ଗର୍ଜିଥିଲା। ଟିଏମସି ସାଂସଦ ବି ଇଡିର ଆକ୍ରୋଶମୂଳକ ଗିରଫଦାରିକୁ ନେଇ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିପାରିଲାନି। ବାରମ୍ୱାର ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା।

ଜିଏସଟି ଓ ଦରବୃଦ୍ଧି ଉପରେ ସରକାର ପ୍ରସ୍ତୁତ ବୋଲି ଗୃହକୁ କହିଥିଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମେଘାଓ୍ୱାଲ୍। ତା ସତ୍ତ୍ୱେ ବି ବିରୋଧୀ ଗୃହରେ ନାରାବାଜି କରି ଗୃହକୁ ଅଚଳ କରିବା କେତେଦୂର ଯଥାର୍ଥ ବୋଲି ପଚାରିଥିଲେ। ସେପଟେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ ପାର୍ଥ ଚାଟାର୍ଜୀଙ୍କ ସଂପୃକ୍ତିକୁ ନେଇ ସଂସଦ ଭବନ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ପଶ୍ଚିମବଙ୍ଗ ବିଜେପି ସାଂସଦଗଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି। ମୁଦ୍ରାସ୍ଫୀତି, ଗୁଜୁରାଟ ମଦମୃତ୍ୟୁ, ଝାଡ଼ଖଣ୍ଡରେ ସରକାର ଭାଙ୍ଗିବାକୁ ଅପରେସନ କିଚଡ୍ ଆଦି ପ୍ରସଙ୍ଗରେ ଆଲୋଚନା ଦାବି କରୁଛି ବିରୋଧୀ। ବିରୋଧୀ ମୁକ୍ତ ସଂସଦ ଚାହୁଁଥିବା ଶାସକ ଦଳକୁ ଏହାର ଜବାବ ଦେବାକୁ ହେବ। ଗୁଜୁରାଟର ବିଜେପି ବିଧାୟକ ତଥା ମନ୍ତ୍ରୀ ଅର୍ଜୁନସିନ୍ ଚୌହ୍ୱାନ୍ ଦୁଷ୍କର୍ମରେ ଅଭିଯୁକ୍ତ ତଥା ଜଣେ ମହିଳାଙ୍କୁ ବେଆଇନ ଭାବରେ ପଣବନ୍ଦୀ କରି ଥିବାରୁ ଟିଏମସି ବି ମହିଳାଙ୍କ ଉପରେ ବଢୁଥିବା ଅପରାଧ ଉପରେ ଆଲୋଚନା କରିବାକୁ ଦାବି କରିଥିଲା ସଂସଦର ଉଭୟ ଗୃହରେ।

ସଂସଦରେ ଅଚଳାବସ୍ଥା ଜାରି ରହିଛି। ସୁରୁଖୁରୁରେ ଚାଲିପାରୁନି ଗୃହ। ଗୃହରେ ଅଚଳାବସ୍ଥା ଜାରି ରହିବା ପଛରେ ଶାସକ ଓ ବିରୋଧୀ ପରସ୍ପରକୁ ଦାୟୀ କରିବା ଭିତରେ ଯେମିତି ସୀମିତ ରହିଯାଇଛି ସଂସଦ। ଯାହାକି ବିଡ଼ମ୍ୱନା।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button