ଗେହଲଟଙ୍କୁ ରାହୁଲଙ୍କ ଝଟକା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦ ପାଇଁ ଅଶୋକ ଗେହଲଟ ଇଛା ପ୍ରକଟ କରିଥିବା ବେଳେ କିନ୍ତୁ ରାହୁଲ ଗାନ୍ଧୀ ଗେହଲଟଙ୍କୁ ୱାନ ମ୍ୟାନ, ୱାନ ପୋଷ୍ଟର ସଙ୍କେତ ଦେଇଛନ୍ତି। ଅର୍ଥାତ୍ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ଥିବାରୁ ସେ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହେଉ ନ ଥିବା ରାହୁଲ ପରୋକ୍ଷରେ କହିଛନ୍ତି। କିନ୍ତୁ ପୂର୍ବରୁ ଗେହଲଟ ଉଭୟ ପଦ ସମ୍ଭାଳିବାକୁ ସେ ସକ୍ଷମ ବୋଲି କହିଥିଲେ।
କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ସେପ୍ଟମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ସେପଟେ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାରେ। ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଦଳର ଅଧ୍ୟକ୍ଷ ହେବାକୁ ପ୍ରବଳ ଆଗ୍ରହ ଉପରେ ମୁହଁ ଖୋଲିଛନ୍ତି ରାହୁଲ। କେରଳରେ ରାହୁଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଉଦୟପୁରରେ ଏକ ସଂକଳ୍ପ ନେଇଛୁ, ମୋର ବିଶ୍ବାସ ସେହି ସଂକଳ୍ପକୁ ଅତୁଟ ରଖାଯିବ। ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ଉଦ୍ଦେଶ୍ୟରେ ରାହୁଲ ପରାମର୍ଶ ଦେଇ କହିଛନ୍ତି, କଂଗ୍ରେସର ଅଧ୍ୟକ୍ଷ ପଦ ଏକ ବୈଚାରିକ ପଦ। ଏହା ଭାରତର ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ। ସେ ଆହୁରି କହିଛନ୍ତି, ଏହି ପଦ ପାଇଁ ମୋର ସ୍ଥିତି ସ୍ପଷ୍ଟ ରହିଛି।
୭୧ ବର୍ଷୀୟ ଗେହଲଟଙ୍କୁ ଅଧ୍ୟକ୍ଷ ପଦ ପାଇଁ ଗାନ୍ଧୀ ପରିବାର ପକ୍ଷରୁ ସମର୍ଥନ ରହିଥିବା କୁହାଯାଉଥିଲା। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଅରାଜି। ତାଙ୍କୁ ଲାଗୁଛି, ସେ ପଦ ଛାଡିଦେଲେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବ। ସଚିନଙ୍କ ବିଦ୍ରୋହ ପାଇଁ ୨୦୨୦ରେ ରାଜସ୍ଥାନରେ କଂଗ୍ରେସ ସରକାର ଏକପ୍ରକାର ଭାଙ୍ଗିବା ସ୍ଥିତିକୁ ଆସିଯାଇଥିଲା।
ସେପଟେ, ଚଳିତ ବର୍ଷ ପ୍ରାରମ୍ଭରେ ଉଦୟ ପୁରରେ ହୋଇଥିବା କଂଗ୍ରେସ ଚିନ୍ତନ ଶିବିରରେ ଜଣେ ବ୍ୟକ୍ତି, ଗୋଟିଏ ପଦ ପାଇଁ ସଂକଳ୍ପ ନିଆଯାଇଥିଲା। ଏହି ସଂକଳ୍ପକୁ ମନେ ପକାଇ ଗେହଲଟଙ୍କୁ ରାହୁଲ ଏକ ଝଟକା ଦେଇଥିବା କୁହାଯାଇପାରେ।