
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲଣ୍ଡନ ବୟାନକୁ ନେଇ ଆଜି ସରଗରମ ସଂସଦ। ଫଳରେ ଶୁକ୍ରବାର ପୁରା ଦିନ ପାଇଁ ଗୃହକୁ ମୁଲତବୀ ରଖାଯାଇଛି। ପରବର୍ତ୍ତୀ ଗୃହକାର୍ଯ୍ୟ ସୋମବାର ଦେବ। ଏହାରି ମଧ୍ୟରେ ବିରୋଧୀ ନେତାମାନେ ସଂସଦ ଭବନରେ ଥିବା ଗାନ୍ଧୀ ପ୍ରତିମା ସାମ୍ନାରେ ବିରୋଧ ପ୍ରଦର୍ଶନରେ ବସିଛନ୍ତି। ପ୍ରଦର୍ଶନକାରୀଙ୍କ ମଧ୍ୟରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ରହିଛନ୍ତି।
ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ଚରଣ ସମ୍ପୂର୍ଣ୍ଣ ହଙ୍ଗାମା ଭରା ରହିଛି। କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କ ଲଣ୍ଡନ ବୟାନକୁ ନେଇ ଘେରୁଛୁ। ରାହୁଲ ବିଦେଶରେ ଦେଶର ଅପମାନ କରିବା ସହ ଦେଶବାସୀଙ୍କୁ ଅପମାନିତ କରୁଛନ୍ତି। ତେଣୁ ତାଙ୍କୁ ସଂସଦରେ କ୍ଷମାପ୍ରାର୍ଥନା ଜିଦିରେ ଅଟଳ ରହିଛି ସତ୍ତାପକ୍ଷ। ସେପଟେ କଂଗ୍ରେସ ପକ୍ଷରୁ ରାହୁଲଙ୍କୁ କ୍ଲିନ ଚିଟ ଦିଆଯାଇ ସେ କ୍ଷମା ପ୍ରାର୍ଥନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି।
ଦିଲ୍ଲୀରେ ବିରୋଧୀ ନେତାମାନେ ସଂସଦରେ ଗାନ୍ଧୀ ପ୍ରତିମା ସମ୍ମୁଖରେ ଆଦାନୀ ମାମଲାରେ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ଯାଞ୍ଚ ଦାବିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଅଛନ୍ତି।
ସେପଟେ ବିଜେପି ପକ୍ଷରୁ ଆଦାନୀ ମାମଲାରେ ନିରବତା ଅବଲମ୍ବନ କରାଯାଉଥିଲା ବେଳେ ରାହୁଲ ଗାନ୍ଧୀଙ୍କୁ ବିଜେପିର ଜଣ ଜଣ କରି ନେତା ଟାର୍ଗେଟ କରିବାରେ ଲାଗିଛନ୍ତି। ପୂର୍ବରୁ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ, ଗିରିରାଜ ସିଂହ, ପିୟୁଷ ଗୋଏଲ, ସ୍ମୃତି ଇରାନି ପ୍ରମୁଖ ରାହୁଲଙ୍କ ବିରୋଧୀ ବୟାନ ବାଜି କରିବା ପରେ ଆଜି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି, ରାହୁଲ ଗାନ୍ଧୀ ବେଳେ ବେଳେ ସତ କହୁଛନ୍ତି। ଯେମିତି କାଲି କହିଥିଲେ କି, ଦୁର୍ଭାଗ୍ୟ ବଶତଃ ସେ ସାଂସଦ ଅଟନ୍ତି। ପ୍ରକୃତ କ୍ଷେତ୍ରରେ ସେ ଜଣେ ଦୁର୍ଭାଗ୍ୟର ସାଂସଦ।
କାରଣ ସେ ସଦନର ଅଂଶ ହେବା ସତ୍ତ୍ବେ ତାର ବଦନାମ କରିବା କାମ କରୁଛନ୍ତି। ପାର୍ଲିଆମେଣ୍ଟରେ ରହିବେ ତ କିଛି କରିପାରିବେ। ତାଙ୍କୁ ଜଣାନାହିଁ କି, ହାଉସ କାର୍ଯ୍ୟରେ ଚାଲିଥାଏ। ନୀତି ଦ୍ବାରା ପରିଚାଳିତ ହୋଇଥାଏ। ମୁଁ ରୁଲ୍ସ ବୁକ ଆଣିଥିଲି ତାଙ୍କୁ ଦେବାକୁ, କିନ୍ତୁ ସେ ସଦନରେ ରହିଲେ ତ ବୁଝିବେ। ସେ ତ ପଢନ୍ତି ନାହିଁ। ଗୃହକୁ ଏକଦମ କମ ଆସିଥାନ୍ତି। ଠାକୁର ଆହୁରି କହିଛନ୍ତି, ସେ ଗୋଟିଏ ପରେ ଗୋଟିଏ ମିଛ କହିବାରେ ଅଭ୍ୟସ୍ତ। ଆପଣ ମିଛ କୁହନ୍ତି ଓ ଦେଖାନ୍ତି କି, ଆପଣ ଗୃହ ଓ ଦେଶଠାରୁ ବଡ। ତେଣୁ ତାଙ୍କୁ ନିସର୍ତ୍ତ କ୍ଷମା ମାଗିବା ଆବଶ୍ୟକ।