ରାଜନୀତି

ଶାହନବାଜଙ୍କୁ ସୁପ୍ରିମ କୋର୍ଟରୁ ମିଳିଲାନି ଆଶ୍ବସ୍ତି

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନବାଜ ହୁସେନଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି। ଏକ ଦୁଷ୍କର୍ମ ମାମଲାରେ ତାଙ୍କ ବିରୋଧରେ ଏଫଆଇଆର ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶପରେ ଶାହନବାଜ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କିନ୍ତୁ ସର୍ବୋଚ୍ଚ କୋର୍ଟରୁ ତାଙ୍କୁ କୌଣସି ସହାୟତା ମିଳିନାହିଁ। ସେ ଏହା ଉପରେ ତ୍ବରିତ ଶୁଣାଣି ପାଇଁ ଅପିଲ କରିଥିବା ବେଳେ କୋର୍ଟ ତାଙ୍କ ମାମଲାର ଶୁଣାଣି ଆସନ୍ତା ସପ୍ତାହରେ କରିବାକୁ ସ୍ଥିର କରିଛନ୍ତି। ଫଳରେ ତାଙ୍କ ବିରୋଧରେ ଏଫଆଇଆର ଦାୟର ଏକ ପ୍ରକାର ସୁନିଶ୍ଚିତ ହୋଇଛି।

ଦିଲ୍ଲୀ ହାଇକୋର୍ଟ ଅନ୍ୟ ଏକ ପୁରୁଣା ମାମଲାରେ ଶାହନବାଜଙ୍କ ବିରୋଧରେ ଦୁଷ୍କର୍ମ ସମେତ ଅନ୍ୟ ଧାରାରେ ମାମଲା ଦାୟର କରିବାକୁ ଆଦେଶ ଦେଇଥିଲେ। ଏଥିସହ ମାମଲାର ଯାଞ୍ଚ  ୩ ମାସ ମଧ୍ୟରେ ଶେଷ କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ପୂର୍ବତନ ମନ୍ତ୍ରୀ ସୁପ୍ରିମ କୋର୍ଟକୁ ଯାଇଥିଲେ ଓ ମାମଲାର ତ୍ବରିତ ଶୁଣାଣି ପାଇଁ ଅପିଲ କରିଥିଲେ।

ସମ୍ପୂର୍ଣ୍ଣ ମାମଲାଟି ଏହିପରି ଥିଲା। ୨୦୧୮ ମସିହାରେ ଜଣେ ମହିଳା ତଳ ଅଦାଲତରେ ଏକ ଯାଚିକା ଦାୟର କରି ହୁସେନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିବାକୁ ଅପିଲ କରିଥିଲେ।  ମହିଳା ଅଭିଯୋଗ କରିଥିଲେ କି, ଶାହନବାଜ ଛତରପୁର ଫାର୍ମହାଉସରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଓ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଏହି ମାମଲାରେ ପୁଲିସ ତଳ ଅଦାଲତରେ ଦାଖଲ ରିପୋର୍ଟରେ ଦର୍ଶାଇଥିଲା କି, ଶାହନବାଜଙ୍କ ବିରୋଧରେ ଏପରି ମାମଲା ହୋଇ ପାରିବ ନାହିଁ। ପୁଲିସର ଏପରି ରିପୋର୍ଟକୁ ତଳ ଅଦାଲତ ଖାରିଜ କରିଦେଇଥିଲେ। ଓ ତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଶାହନବାଜ ହାଇକୋର୍ଟକୁ ଯାଇଥିଲେ। କିନ୍ତୁ ହାଇକୋର୍ଟ ତଳକୋର୍ଟର ନିର୍ଦ୍ଦେଶକୁ କାୟମ ରଖି ପୁଲିସକୁ ତୁରନ୍ତ ଦୁଷ୍କର୍ମ ସହ ଅନ୍ୟ ଧାରାରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button