ରାଜନୀତି

ଶୋଭାଯାତ୍ରା ଅଟକାକୁ ନେଇ ଯୋଗୀ ଅଖିଳେଶ ମୁହାଁମୁହିଁ

ଲକ୍ଷ୍ନୌ: ମୌସୁମୀ ଅଧିବେସନରେ ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ଅଖିଳେଶ। ଆଜିଠାରୁ ଉତ୍ତରପ୍ରଦେଶରେ ମୌସୁମୀ ଅଧିବେସନ ଆରମ୍ଭ ହୋଇଥିବାବେଳେ ଯୋଗୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ ଅଖିଳେଶ। ସେଥିପାଇଁ  ବିଭିନ୍ନ ପ୍ରସଙ୍ଗକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ବିଶାଳ ଶୋଭାଯାତ୍ରାକୁ ଅଧାରେ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ। ଯାହାକୁ ନେଇ ଉଭୟ ଶାସକ ଦଳ ଓ ବିରୋଧି ଦଳ ମଧ୍ୟରେ ଲାଗିରହିଛି ବାକ୍ ଯୁଦ୍ଧ।

ଆଜିଠାରୁ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି ମୌସୁମୀ ଅଧିବେସନ। କିନ୍ତୁ ଅଧିବସେନ ପୂର୍ବରୁ ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ଆଇନଶୃଙ୍ଖଳା, ମୁଦ୍ରାସ୍ପୀତି ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆରମ୍ଭ କରିଥିବା ବିଶାଳ ଶୋଭାଯାତ୍ରାକୁ ଅଧାରେ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ। ଅଖିଳେଶଙ୍କ ସହ ସମାଜବାଦୀ ପାର୍ଟିର ଶତାଧିକ କର୍ମୀ ହାତରେ ବିଭିନ୍ନ ପ୍ରକାରର ପ୍ଳାକାର୍ଡ ଧରି ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ଏମଏଲସି ଦଳ କାର୍ଯ୍ୟାଳୟରୁ ବିଧାନ ଭବନ ଅଭିମୁଖେ ଯିବାର ଥିଲା। ତେବେ ଆନ୍ଦୋଳନସ୍ଥଳରୁ ଅଖିଳେଶ ମାତ୍ର ୧୦୦ କି.ମି ରାସ୍ତା ଅତିକ୍ରମ କରିଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ବିକ୍ଷୋଭ ଶୋଭାଯାତ୍ରା ପାଇଁ ସମାଜବାଦୀ ପାର୍ଟିକୁ ଅନୁମତି ନଥିବାରୁ ପୋଲିସ ବ୍ୟାରିକେଡ ଲଗାଇଥିଲା। ଏହାକୁ ନେଇ ପୋଲିସ ସମାଜବାଦୀ ପାର୍ଟିର କର୍ମୀଙ୍କ ମଧ୍ୟରେ ବେଶ ଠେଲାପେଲା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିଜେପି ସରକାର ଗଣତନ୍ତ୍ର ଓ ସମ୍ୱିଧାନ ବିରୋଧି। ସରକାର ଆମକୁ ବିଧାନସଭାକୁ ଯିବା ପାଇଁ ଅନୁମତି ଦେଲେନାହିଁ। ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ଶୋକସଭାରେ ଯୋଗ ଦେବାକୁ ମଧ୍ୟ ସରକାର ଆମକୁ ଅନୁମତି ଦେଲେନାହିଁ ବୋଲି ଅଭିଯୋଗ କରିଛନ୍ତି ଅଖିଳେଶ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ଅରାଜକତା ପାଇଁ ସ୍ଥାନ ନାହିଁ। ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଯେକୌଣସି ରାଜନୀତିକ ଦଳ ଗଣତାନ୍ତ୍ରିକ ଉପାୟରେ ପ୍ରଶ୍ନ କରୁଛନ୍ତି ସେଥିରେ କିଛି ବି ଅସୁବିଧା ନାହିଁ। ଶୋଭାଯାତ୍ରା ପାଇଁ ଯଦି ସମାଜବାଦୀ ପାର୍ଟି ଅନୁମତି ମାଗିଥାନ୍ତେ, ତାହେଲେ ତାଙ୍କୁ ପ୍ରଶାସନ ଅନୁମତି ଦେଇଥାନ୍ତେ। କିନ୍ତୁ ସମାଜବାଦୀ ପାର୍ଟିଠୁ ନିୟମ ପାଳନ କରିବାର ଆଶା କରିବା ବୃଥା। ସେହିଭଳି ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଅଖିଳେଶଙ୍କ ଉପରେ ବର୍ଷିଛନ୍ତି। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି କୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବାର ଅଛି ତାହେଲେ ଗୃହରେ ଆସି ଆଲୋଚନା କରିବା ଉଚିତ୍। ପଦଯାତ୍ରା କରି ବିରୋଧ କରୁଥିବା ସମାଜବାଦୀ ପାର୍ଟି ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ନୁହେଁ ବୋଲି କହିଛନ୍ତି ମୌର୍ଯ୍ୟ।

ତେବେ        ଆଇନଶୃଙ୍ଖଳା, ମୁଦ୍ରାସ୍ପୀତି, ମରୁଡି, ବର୍ଷା ଏବଂ ବେକାରୀ ଭଳି ଅନେକ ପ୍ରସଙ୍ଗକୁ ନେଇ ଆଜି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ସମାଜବାଦୀ ପାର୍ଟି। ମୌସୁମୀ ଅଧିବସେନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ୟୁପି ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ସମାଜବାଦୀ ପାର୍ଟି। ସରକାର ବିରୋଧରେ ପ୍ରତିବାଦ ଶୋଭାଯାତ୍ରା କରି ଯୋଗୀ ସରକାରଙ୍କୁ ଘେରିଛନ୍ତି ସମାଜବାଦୀ ପାର୍ଟି ନେତା ଓ କର୍ମୀ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button