ରାଜନୀତି

ବିନ୍ଦାସ୍ ମଦ ପିଅ…ଆଉ ଜରିମାନା ଦିୟ

ବିନ୍ଦାସ୍ ମଦ ପିଅ। ଆଉ ଜରିମାନା ଦେଇ ଫ୍ରି ହୁଅ। ବିହାରରେ ନୂଆ ଅବକାରୀ ନୀତି ଏମିତି ବଡ଼ ଆଶ୍ୱସ୍ତି ଆଣିଛି ମଦ୍ୟପଙ୍କ ଲାଗି। ବିହାରରେ ଏଣିକି ମଦ ପିଇଲେ ଆଉ ଜେଲ୍ ଯିବାକୁ ପଡ଼ିବନି। ବରଂ ଅଳ୍ପ କିଛି ଜରିମାନା ଦେଇ ଆରାମରେ ମଦ୍ୟପ ମୁକୁଳିପାରିବ। ପ୍ରାୟ ୧୫ ହଜାର ମଦ୍ୟପଙ୍କଠୁ ୪ କୋଟି ଟଙ୍କା ଜରିମାନା ବାବଦକୁ ଅସୁଲି କରି ଛାଡ଼ିଦେଇଛି ପୁଲିସ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ବିହାରରେ ନୂଆ ଅବକାରୀ ନୀତି ଆଣିଛନ୍ତି ସରକାର। ଏପ୍ରିଲ ପହିଲା ୨୦୨୨ରୁ ସଂଶୋଧିତ ଅବକାରୀ ନୀତି ବଳରେ ୧୫ ହଜାର ମଦୁଆଙ୍କୁ ସ୍ୱତନ୍ତ୍ର ନ୍ୟାୟାଳୟ ଦ୍ୱାରା ଜରିମାନା ଆଦାୟ କରି ଛାଡ଼ି ଦିଆଯାଇଛି। ପ୍ରାୟ ୪ କୋଟି ଟଙ୍କା ଅସୁଲ୍ ହୋଇଛି। ୧୩ ହଜାର ୩୯୧ ମଦୁଆଙ୍କୁ ଏପ୍ରିଲ ୧, ୨୦୨୨ ପରେ ଗିରଫ କରାଯାଇଥିଲା।

ଯେବେ କି ୧୨୮୯ ଲୋକଙ୍କୁ ନୂଆ ଅବକାରୀ ନୀତି ଲାଗୁ ହେବା ଆଗରୁ ଧରା ପଡ଼ିଥିଲେ। କିନ୍ତୁ ଏମାନଙ୍କ ଭିତରେ ୭୭୪ ଜଣ ମଦ ପିଇଥିବା ବ୍ୟକ୍ତି ଜରିମାନା ଦେଇପାରିନାହାନ୍ତି। ଆଉ ଜରିମାନା ଦେଇ ପାରିନଥିବାରୁ ସେମାନଙ୍କୁ ଆଉ ମାସେ ଅଧିକ ଜେଲରେ ରହିବାକୁ ହେବ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ନ୍ୟାୟାଳୟ। ବିହାରର ପ୍ରତି ମାସରେ ମଦ ପିଉଥିବା ଲୋକଙ୍କଠୁ ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଥିବା ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ନୂଆ ଅବକାରୀ ଆଇନ ଲାଗୁ ପରେ ଧାରା ୩୭ ବଳରେ ୩ ହଜାର ୭୫ ମଦୁଆଙ୍କୁ ଧରାଯାଇଥିଲା। ଏମାନଙ୍କ ଭିତରୁ ଏପ୍ରିଲ ୨୦୨୨ରେ ୧୯୪୨ ଜଣଙ୍କଠୁ ୫୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ଛାଡ଼ି ଦିଆଯାଇଥିଲା।

ମେ ୨୦୨୨ରେ ୫ ହଜାର ୮୮୭ଜଣ ମଦୁଆଙ୍କ ଭିତରୁ ୪ହଜାର୭୪୭ ଲୋକଙ୍କଠୁ ୧ କୋଟି ୩୯ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ଜୁନ୍ ରେ ଧରାପଡ଼ିଥିବା ୮ହଜାର ୬୫୧ ମଦୁଆଙ୍କ ଭିତରୁ ୬ହଜାର ୭୦୨ ଜଣଙ୍କଠୁ ୨ କୋଟି ୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ମୁକ୍ତ କରି ଦିଆଯାଇଥିଲା। ଏହା ବ୍ୟତୀତ ଏପ୍ରିଲ ୧ ଆଗରୁ ଗିରଫ ହୋଇଥିବା ୪୫ ମଦୁଆ ଜରିମାନା ଅନାଦେୟ ମାସେ ଅଧିକା ଜେଲ୍ ଭୋଗିବେ। ସଂଶୋଧିତ ମଦ ନିଷେଧ ଅଧିନିୟମ ଆଧାରରେ ରାଜ୍ୟ ସରକାର ଧାରା ୩୭ ବଳରେ ପ୍ରଥମ ଥର ମଦ ପିଇ ଧରାପଡ଼ିଥିବା ଅଭିଯୁକ୍ତଙ୍କଠୁ ସତ୍ୟପାଠ ଓ ୨ ଶହରୁ ୫ ହଜାର ଟଙ୍କା ଯାଏ ଜରିମାନା ନେଇ ଛାଡ଼ିଦେବାର ପ୍ରାବଧାନ କରାଯାଇଛି।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button