ରାଜନୀତି

ନୀତି ଆୟୋଗ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର : ଆସନ୍ତାକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇ ନିଜ ନିଜ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଦାବି ଉପସ୍ଥାପିତ କରିବେ । ଏହି ବୈଠକରେ ଓଡ଼ିଶାର ବୃହ ର ସ୍ୱାର୍ଥ ଦୃଷ୍ଟିରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା  ଦାବିକୁ ଗୁରୁତର ସହିତ ଉପସ୍ଥାପିତ କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ଶ୍ରୀ ରବି ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହି ଚିଠିରେ ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ, ରାଜ୍ୟର ୯୨ ଭାଗ ଲୋକ ହେଉଛନ୍ତି ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର । ଆମ ରାଜ୍ୟର ଶତକଡ଼ା ୬୯ଭାଗ ଲୋକ କୃଷି ଉପରେ ନିର୍ଭର କରିଥାଆନ୍ତି ଏବଂ  ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କୃଷି ଶ୍ରମିକ କିମ୍ବା କ୍ଷୁଦ୍ର ବା ନାମମାତ୍ର ଚାଷୀ । ରାଜ୍ୟର କୃଷି ଓ କୃଷକମାନେ ବନ୍ୟା, ବାତ୍ୟା, ମରୁଡ଼ି ଓ ପାଗ ପରିବର୍ତନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଆନ୍ତି ।  ବର୍ଷକୁ ଦୁଇ ତିନି ଥର କିମ୍ବା ବର୍ଷକୁ ଥର ଥର କରି ବନ୍ୟା ଓ ବାତ୍ୟା ହେଉଛି ଓଡ଼ିଶାର ଚିର ସହଚର । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଅର୍ଥନୀତି ବହୁ ପଛେଇ ଯାଇଛି ଏବଂ କୃଷକମାନଙ୍କର ବାର୍ଷିକ ଆୟ ୫୧୧୨ ଟଙ୍କା ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେଣୁ ଏହାକୁ ଆଖି ଆଗରେ ରଖି ନୀତି ଆୟୋଗ ଓଡ଼ିଶାକୁ  ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟା ମାନ୍ୟତା ଦେବା ଉଚିତ୍ ବୋଲି ସେ ଏହି ପତ୍ରରେ ଯୁକ୍ତି ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀ ଆସନ୍ତାକାଲିର ନୀତି ଆୟୋଗ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ପୁଣି ଥରେ ଦୋହରାଇବା ପାଇଁ ସେ ଅନୁରୋଧ କରିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବରେ ଓଡ଼ିଶା ସବୁବେଳେ କ୍ଷତିଗ୍ରସ୍ତ ହୋଇଆସିଛି । କେଉଁ ବର୍ଷ ବନ୍ୟା ତ କେଉଁ ବର୍ଷ ମରୁଡ଼ି, ଆଉ କେତେବେଳେ ବାତ୍ୟା ଓଡ଼ିଶାକୁ ଧ୍ୱଂସ କରିଦେଇଛି । ଏଭଳିକି, ବିଂଶ ଶତାବ୍ଦୀର ମହାବାତ୍ୟା ୧୯୯୯ ମସିହା, ଅକ୍ଟୋବର ୨୯ ତାରିଖ ଦିନ ଓଡ଼ିଶାର ଅର୍ଥନୀତିକୁ ଧ୍ୱଂସ କରିଦେଇଥିଲା । ଗତ ତିନି ବର୍ଷ ତଳେ ‘ଫନୀ’ ବାତ୍ୟା ଯୋଗୁଁ ରାଜ୍ୟର ଯେଉଁ କ୍ଷୟକ୍ଷତି ହୋଇଥିଲା ତାକୁ ଓଡ଼ିଶାବାସୀ ଆଜିବି ଭୁଲିପାରିନାହାଁନ୍ତି । ବଙ୍ଗୋପସାଗରର ସାମୁଦ୍ରିକ ଝଡ଼ ଯୋଗୁଁ ଓଡ଼ିଶା ପ୍ରାୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛି । ଏହି ବାତ୍ୟାଗୁଡ଼ିକ ଯୋଗୁଁ ବହୁ ଘର ଦ୍ୱାରା ଭାଙ୍ଗିବା ସହିତ ଲୋକଙ୍କ ଚାଷ ବାସ ଉଜୁଡି ଯାଉଛି ଏବଂ ରାଜ୍ୟର ଅର୍ଥନୀତି ଭୁଷୁଡ଼ି ପଡ଼ୁଛି । ତେଣୁ ବଙ୍ଗୋପସାଗରରୁ ଆସୁଥିବା ସାମୁଦ୍ରିକ ଝଡର ବେଗ ଓ ପ୍ରକଳ୍ପକୁ କମ୍ କରିବା ପାଇଁ ଓଡ଼ିଶା ଉପକୂଳରେ ‘ସବୁଜ ପ୍ରାଚେରୀ’ ସୃଷ୍ଟି କରିବାର ଆବଶ୍ୟକତା ଅଛି । ଓଡ଼ିଶାର ଏହି ୪୮୦ କି.ମି. ବ୍ୟାପୀ ବେଳାଭୂମିରେ ୧ କି.ମି. ଚଉଡାର ଜଙ୍ଗଲ ସୃଷ୍ଟି କରାଗଲେ ଏହା ସାମୁଦ୍ରିକ ଝଡ଼ ବାତ୍ୟାର ବେଗ କମ୍ କରିବାର ସହାୟକ ହୋଇପାରନ୍ତା । ଓଡ଼ିଶା ଭଳି ଏକ ଦରିଦ୍ର ରାଜ୍ୟ ଏତେବଡ଼ ପ୍ରକଳ୍ପକୁ ନିଜସ୍ୱ ପାଣ୍ଠିରେ କରବା ସହଜ ନୁହେଁ । ତେଣୁ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଶତ ପ୍ରତି ସହାୟତା ସ୍ୱତନ୍ତ୍ର ଅନୁଦାନ ଆକାରରେ ଯୋଗାଇ ଦେବାକୁ ନୀତି ଆୟୋଗ ବୈଠକରେ ଦାବି ହେବା ଉଚିତ୍ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି । ତେଣୁ ରାଜ୍ୟର ବୃହ ର ସ୍ୱାର୍ଥ ଦୃଷ୍ଟିରୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ  ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ନୀତି ଆୟୋଗ ବୈଠକରେ ଉପସ୍ଥାପିତ କରିବା ପାଇଁ  ସେ ଅନୁରୋଧ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button