ଜାତୀୟରାଜନୀତି

ଆପଣଙ୍କ ମା’ ଆମ ମା’: ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ ଶୁକ୍ରବାର ଭୋର ୩ଟା ୩୦ରେ ଇହଲୀଳା ସମ୍ବରଣ କରିଥିବା ବେଳେ ମୋଦି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ସେପଟେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ଶୋକ ବାର୍ତ୍ତାର ସୁଅ ଛୁଟିଛି।

ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୀରା ବେନଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ ପୂର୍ବକ କହିଛନ୍ତି ଆପଣଙ୍କ ମା’ ମଧ୍ୟ ଆମ ମା’ । ଆଜି ଉତ୍ତର ପୂର୍ବାଞ୍ଚଳ ରେଳବାଇକୁ ମିଳିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଏକ୍ସପ୍ରେସର ଉଦଘାଟନୀ ଉତ୍ସବ କାଳରେ ମମତା କହିଛନ୍ତି, ସମ୍ମାନୀୟ ପ୍ରଧାନମନ୍ତ୍ରୀ, ଆଜି ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଏକ ଦୁଃଖଦ ଦିନ ଓ ଜୀବନର ଏକ ବିରାଟ କ୍ଷତିର ଦିନ। ଏହି ଅବସରରେ ମମତା କହିଛନ୍ତି, ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି କି, ସେ ଆପଣଙ୍କୁ ସହିବାର ଶକ୍ତି ଦିଅନ୍ତୁ ଓ ଆଶୀର୍ବାଦ କରନ୍ତୁ, ଯେମିତି ଆପଣ ଆପଣଙ୍କ କାର୍ଯ୍ୟ ଓ କାର୍ଯ୍ୟକଳାପରେ ମାଙ୍କୁ ଭଲ ପାଇ ପାରିବେ। ଆଜି ଆପଣ ପଶ୍ଚିମ ବଙ୍ଗ ଆସିବାର ଯୋଜନା ଥିଲା, କିନ୍ତୁ ମାଙ୍କ ବିୟୋଗ ପାଇଁ ଆପଣ ଆସିପାରି ନ ଥିଲେ ମଧ୍ୟ ଭର୍ଚୁଆଲ ମୋଡରେ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି।

ମମତା ଆହୁରି ଅନୁରୋଧ କରିଛନ୍ତି କି, ମାଙ୍କ ଶେଷକୃତ କରି ଆସିଥିବାରୁ ନିଜ କାର୍ଯ୍ୟକ୍ରମରେ କାଟଛାଟ କରି ବିଶ୍ରାମ ନିଅନ୍ତୁ। ସେ କହିଛନ୍ତି, ଆପଣଙ୍କ ମାଙ୍କ ବିୟୋଗରେ ମୁଁ କିପରି ମୋର ଶୋକବାର୍ତ୍ତା ଆପଣଙ୍କ ପରିବାର ଓ ଅନ୍ୟମାନଙ୍କୁ ଜଣାଇବି। କାରଣ ମା’ର କୌଣସି ବିକଳ୍ପ ନାହିଁ। ଆପଣଙ୍କ ମା ମଧ୍ୟ ଆମର ମା । ମୁଁ ମୋ ମାଙ୍କୁ ମନେପକାଉଛି। ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ ଆପଣଙ୍କ କାର୍ଯ୍ୟକୁ ଆଗେଇ ନେବାକୁ ବୋଲି ମମତା କହିଛନ୍ତି।

ଅନ୍ୟପଟେ, ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ବିୟୋଗର ଖବର ଶୁଣିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଶୋକ ବ୍ୟକ୍ତ କରିଛନ୍ତି। ସେହିପରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ, ଲାଲୁଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜଶ୍ବି ଯାଦବ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ନବ ନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେ, କଂଗ୍ରେସ ସାଂସଦ ମନିଶ ତିୱାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେଭଗୌଡା, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଉଦ୍ଧବ ବଳାସାହେବ ଠାକରେ ନେତା ସଂଜୟ ରାଉତ, ଏନସିପି ପ୍ରମୁଖ ସରଦ ପାୱାର, ଗୁଲାମ ନବୀ ଆଜାଦ, ରାଜସ୍ଥାନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ, କଂଗ୍ରେସ ନେତା ପି ଚାଦାମ୍ବରମ, ଆନ୍ଧ୍ର ରାଜ୍ୟପାଳ, ତାମିଲନାଡୁ ମୁଖ୍ୟମନ୍ତ୍ରୀ, ସିପିଆଇ ସାଂସଦ, ଓଡିଶା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ପ୍ରମୁଖ ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି।  

Related Articles

Leave a Reply

Your email address will not be published.

Back to top button