ଏଥର କ୍ଷମତା ଚୌକିରୁ ଦୂରରେ ନବୀନ..

Spread the love

() ଅପରାଜେୟର ରେକର୍ଡ ରଚିପାରିଲେନି ଏଥର ନବୀନ। ରାଜ୍ୟରେ ବାଜିପାରିଲାନି ଯୋଡ଼ି ଶଙ୍ଖ। ସମସ୍ତ ଏକଜିଟ ପୋଲର ପୂର୍ବାନୁମାନ ମିଛ ପ୍ରମାଣିତ ହେଲା। ଯୋଡ଼ି ଶଙ୍ଖ ନୁହେଁ, ପ୍ରଥମ ଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଜନାଦେଶ ମିଳିଲା ବିଜେପିକୁ। କଂଗ୍ରେସ ବି ଆଖଦୃଶିଆ ପ୍ରଦର୍ଶନ କଲା। ହେଲେ ବିପୁଳ କ୍ଷତି ସହିଲା ବିଜେଡି। ତା ସାଙ୍ଗକୁ ଏଥରର ପ୍ରଚାରର ମଙ୍ଗ ଧରିଥିବା ପାଣ୍ଡିଆନଙ୍କ ଭୂମିକା ଓ ରଣନୀତି ବିଜେଡି ଲାଗି ବୁମେରାଂ ସାଜିଲା।ଏଥର ଜିତିଥିଲେ ବିରଳ ରେକର୍ଡ ରଚିଥାଆନ୍ତା ବିଜେଡି। ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଆଉ ଦିନ କେଇଟା ପରେ ଦେଶର ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର କୀର୍ତ୍ତି ଅର୍ଜିଥାଆନ୍ତେ ନବୀନ। ବିଜେଡି ଏଥର ବି ସେଞ୍ଚୁରୀ ପାର୍ କରିବ ବୋଲି ଆକଳନ କରିଥିଲା। ହେଲେ ଏଥର ଏହା ସମ୍ଭବ ହେଲାନି। ଆରମ୍ଭରୁ ପରସ୍ପରକୁ ଗୋଡ଼େଇ ଚାଲିଥିଲେ ଉଭୟ ବିଜେଡି ଓ ବିଜେପି। କିନ୍ତୁ ବିଜେପି ଆଗରେ ଚାଲିଥିଲା। ଆଉ ବିଜେଡି ପଛରେ।

ଅପରାହ୍ନ ଗୋଟାଏ ସୁଦ୍ଧା ୭୨ ଆସନରେ ବିଜେପି ଆଗୁଆ ଥିଲା ବେଳେ ୫୭ ଆସନରେ ବିଜେଡି ଆଗୁଆ ଥିଲା। କଂଗ୍ରେସ ୧୫ ଆସନରେ ଆଗୁଆ ରହିଥିଲା ବେଳେ ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ଥିଲେ। ୪ଟା ବେଳେ ତ ୮୦ ସିଟରେ ବିଜେପି ଆଗୁଆ ରହିଥିଲା। ୫୦ ତଳକୁ ଖସିଯାଇଥିଲା ବିଜେଡି। ଗଣତିର ରାଉଣ୍ଡ ଯେତିକି ବଢ଼ୁଥିଲା, ସେତିକି ଉତ୍କଣ୍ଠା ବି ବାରି ହୋଇପଡ଼ୁଥିଲା। କେତେବେଳେ ବିଜେପି ଖସୁଥିଲା ତ କେତେବେଳେ ବିଜେଡି ବଢ଼ୁଥିଲା। ବେଳେବେଳେ ଲାଗୁଥିଲା, ସମାନ ସମାନ ସଂଖ୍ୟା ହୋଇଯିବନି ତ। ଓଡ଼ିଶାରେ ଝୁଲା ବିଧାନସଭା ହେଲା ଭଳି ସ୍ଥିତି ଉପୁଜିବନି ତ। ରିମୋଟ୍ କଣ୍ଟ୍ରୋଲ୍‌ର ସରକାର, କୋଟରୀ ଗ୍ରୁପ୍ ଦ୍ୱାରା ପରିଚାଳିତ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଏଭଳି ଶାସନରୁ ମୁକ୍ତ କରିବାକୁ ହେଲେ ଡବଲ ଇଞ୍ଜିନ ସରକାର ଜରୁରୀ ବୋଲି କହି ଘନଘନ ବିଜେପି ହେଭିଓ୍ୱେଟଙ୍କର ପ୍ରଚାର ଯେମିତି ପ୍ରଭାବ ପକାଇଥିଲା ଭୋଟରଙ୍କୁ। ଓଡ଼ିଆ ଅସ୍ମିତା, ନବୀନଙ୍କ ସ୍ୱାସ୍ଥ୍ୟ, ତାମିଲ ଶାସନର ଆକ୍ଷେପ ଯେମିତି ବିଜେପିକୁ ବାଜିଗର ସଜାଇଦେଲା। ନବୀନ ଯେ ଅପରାଜେୟ। ନବୀନଙ୍କୁ ଆକ୍ଷେପ କରି କଟୁ କଥା କହି ଅପପ୍ରଚାରର ପ୍ରତିଫଳନ ଓଡ଼ିଶାବାସୀ ବାଲାଟରେ ଜବାବ ଦେଇ ପ୍ରମାଣିତ କରିବେ ବୋଲି ଅପିଲକୁ ଗ୍ରହଣ କଲେନି ଭୋଟର। ଡାଏରୀରେ ଲେଖିକି ରଖ। ଜୁନ୍ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ। ଶପଥ ସମୋରାହକୁ ନବୀନଙ୍କୁ ବି ଆଗୁଆ ନିମନ୍ତ୍ରଣ କରିସାରିଥିଲେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ। ସ୍ଥିତି ଏମିତି ହୋଇଥିଲା ଯେ, ଓଡ଼ିଶାର ବିକାଶ ଓ ସ୍ୱାର୍ଥ ସକାଶେ ନବୀନଙ୍କ ସହ ବନ୍ଧୁତ୍ୱ ଓ ସମ୍ପର୍କକୁ ବି ବଳି ପକାଇଦେବାକୁ ପଛାଇବେନି ବୋଲି କହିଥିଲେ ମୋଦି। ଆଉ ବିଜେପି ସରକାର ଗଠନ ହେଲେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଲାଗି କମିଟି ଗଠନ ହେବ ବୋଲି କହିବାକୁ ପଛାଇନଥିଲେ ।

ଏତେ ସବୁ ସତ୍ତ୍ୱେ ନବୀନ ବିଚଳିତ ନଥିଲେ। ଅବଶ୍ୟ ଜବାବ ଦେଇଥିଲେ। ଜୁଲାଇରୁ ମାଗଣା ବିଜୁଳି, ସମସ୍ତଙ୍କୁ ବିଏସକେଓ୍ୱାଇ କାର୍ଡ ଆଦି ପ୍ରତିଶୃତି ପୂରଣ ଦିଗରେ ସୀମିତ ରଖିଥିଲେ ପ୍ରଚାର। କଥା କମ୍, କାମ ବେଶୀକୁ ପ୍ରାଥମିକତା ଦେଇଥିଲେ ପ୍ରଚାରରେ। କିନ୍ତୁ ଭୋଟରଙ୍କ ମୁଡ୍ ବଦଳିସାରିଥିଲା। ବିଜେଡି-ବିଜେପି ଏକ୍ ବୋଲି ଭୋଟରଙ୍କ ମନରେ ଏହି କଥାକୁ ଛାପିବାକୁ କଂଗ୍ରେସର ଅହରହ ଉଦ୍ୟମ ବି ବେଶ୍ କାଟୁ କରିଲା। ବିକଳ୍ପ ଶକ୍ତି ଭାବେ ଉଭା ହେବାର ପରିକଳ୍ପନା ଓଡ଼ିଶାରେ ଯଦିଓ ସାକାର ହେଲାନି। କିନ୍ତୁ ୨୦୧୯ ତୁଳନାରେ ଅଧିକ ଆସନ ଆଣିବା ସହ କେନ୍ଦ୍ରରେ ପ୍ରଭାବୀ ଢଙ୍ଗରେ ଦମଦରା ପ୍ରଦର୍ଶନ କରିଛି ଇଣ୍ଡିଆ ମେଣ୍ଟ।

Leave a Reply

Your email address will not be published. Required fields are marked *