କାମର ଚାପରେ ନିଜକୁ ଅକ୍ଷମ କହି ଅଡ଼ୁଆରେ ବିଚାରପତି

Spread the love

କେସ୍ ଭାରରେ ଅତିଷ୍ଠ ହୋଇ ଜଣେ ବିତାରପତି ହ୍ୟାଣ୍ଡିକାପ୍‌ଡ ଶବ୍ଦ ବ୍ୟବହାର କରି ଅଡ଼ୁଆରେ ପଡ଼ିଛନ୍ତି। ବମ୍ୱେ ହାଇକୋର୍ଟ ସଂପୃକ୍ତ ଆଡିସନାଲ ସେସନ୍ସ ଜଜଙ୍କୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ ପୃଥ୍ୱୀରାଜ କେ ଚଭନ ହୃଦବୋଧ କରିଥିଲେ ଯେ, ଯେଉଁ ଢଙ୍ଗରେ ଓ ଶବ୍ଦରେ ସଂପୃକ୍ତ ବିଚାରପତି ଏଭଳି କହିଲେ, ତାହା ବିଲକୁଲ ଗ୍ରହଣୀୟ ନୁହେଁ। ଜଣେ ଜୁଡ଼ିସିଆଲ ଅଫିସରଙ୍କ ପାଖରେ ଏଭଳି ଆଚରଣ ଶୋଭାପାଏନା। ରହିତାଦେଶ ଦେବାକୁ ମନା କଲା ବେଳେ ନିଜର ହିତାହିତ ଜ୍ଞାନ କେମିତି ଭୁଲିଗଲେ ବିଚାରପତି ବୋଲି ତାଗିଦ୍ କରିଛନ୍ତି ହାଇକୋର୍ଟ। ଘଟଣା ଥିଲା କିଛି ଏମିତି। ମୁମ୍ୱାଇ ସିଟି ସିଭିଲ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ଏପ୍ରିଲ ୨୪, ୨୦୨୪ରେ ଏକ ଅର୍ଡର ପାସ୍ କରିଥିଲେ। ଆବେଦନକାରୀ ଏକ ରିଟ୍ ପିଟିସନ ଦାଖଲ କରିଥିଲେ। ରିଭିଜନ ପ୍ରୋସିଡିଂରେ ପାସ୍ ହୋଇଥିବା ଏକ ଅର୍ଡରକୁ ଚ୍ୟାଲେଞ୍ଜ ହୋଇଥିଲା। ଆବେଦନକାରୀଙ୍କ ଓକିଲ କହିଥିଲେ ଯେ, ଅତିରିକ୍ତ ସେସନ୍ସ ଜଜ୍ ଏକ ବିଚିତ୍ର ଅର୍ଡର ଜାରି କରିଛନ୍ତି। ଆଦେଶନାମାରେ ଲେଖିଥିଲେ, ଯେଉଁ ଦିନ ଏହି ମାମଲାର ଶୁଣାଣୀ କରୁଥିଲେ, ସେ ଦିନ ୯୯ ମାମଲା ସେ ଶୁଣିଥିଲେ। ଏଥିମଧ୍ୟରୁ ୬ଟି ରିଭିଜନ ଆପ୍ଲିକେସନ ଓ ୬ଟି ରହିତାଦେଶ ଆପ୍ଲିକେସନ ଥିଲା। ସେଥିଲାଗି ରହିତାଦେଶ ଦେବାକୁ ଉଚିତ ମଣିଲିନି। କାରଣ ମୁଁ କାମର ଚାପରେ ଅଧିକ ଅତିଷ୍ଠ ହୋଇପଡ଼ିଥିଲି। ନିଜକୁ ଅକ୍ଷମ ଅନୁଭବ କରୁଥିଲି। ତେବେ ଏଭଳି ଅର୍ଡରସିଟ୍ ଦେଖି ହାଇକୋର୍ଟ ବିରକ୍ତି ପ୍ରକାଶ କରିଥିଲେ। କୋର୍ଟ ମାମଲା ଚାପରେ ଭାରାକ୍ରାନ୍ତ ବୋଲି ସମସ୍ତେ ଜାଣନ୍ତି। ଏହାର ଅର୍ଥ ନୁହେଁ ଯେ, ପ୍ରକୃତ ଓ ଯୋଗ୍ୟ ମାମଲାରେ ଏ ସବୁ କାରଣ ଦର୍ଶାଇବେ ବିଚାରପତି। ଏହା ପରେ ୬ଟି ରିଭିଜନ ଆବେଦନ ଉପରେ ତ୍ୱରିତ ଶୁଣାଣୀ କରିବା ସହ ୪ ସପ୍ତାହ ଭିତରେ ଏହାକୁ ସାରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଜୁଲାଇ ୨୨, ୨୦୨୪ ସୁଦ୍ଧା ଏହାର କମ୍ପ୍ଲିଆନ୍ସ ରିପୋର୍ଟ ଦେବାକୁ ବି ନିର୍ଦେଶ ଦେଇଥିଲେ ହାଇକୋର୍ଟ।

Leave a Reply

Your email address will not be published. Required fields are marked *