ଆପ୍- ବିଧାନସଭାରେ ବ୍ୟାନ୍!
ଦିଲ୍ଲୀ ବିଧାନସଭାରେ ହଙ୍ଗାମା। ବିଧାନସଭାରେ ଆଜି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିଏଜି ରିପୋର୍ଟ ଉପସ୍ଥାପନ ହେବାର ଥିଲା। ଏହା ଉପରେ ଗୃହରେ ଚର୍ଚ୍ଚା ହେବ ବୋଲି ସୂଚୀ ପ୍ରସ୍ତୁତ ହୋଇଥିଲା। କିନ୍ତୁ ତା ପୂର୍ବରୁ ବିରୋଧୀ ଆପ୍ ହଙ୍ଗାମା କରିଛି। ଆପ୍ ର ୨୧ ବିଧାୟକ ତିନି ଦିନ ଯାଏ ଗୃହ କାର୍ଯ୍ୟରେ ସାମିଲ୍ ହୋଇପାରିବେନି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଅତିଶୀ ଆରୋପ ଲଦିଛନ୍ତି ଯେ, ବାଚସ୍ପତିଙ୍କ ନିର୍ଦେଶରେ ଆପ୍ ବିଧାୟକଙ୍କୁ ବିଧାନସଭା ଭିତରକୁ ଛଡ଼ାଯାଉନି। ଏହା ଏକଛତ୍ରବାଦ। ଜୟ ଭୀମ୍ ନାରା ଦେଇଥିବାରୁ ୩ ଦିନ ପର୍ଯ୍ୟନ୍ତ ଆପ୍ ବିଧାୟକଙ୍କୁ ବାଚସ୍ପତି ଗୃହରୁ ନିଲମ୍ୱିତ କରିଛନ୍ତି। ଆଉ ଆଜି ବିଧାନସଭା ପରିସରକୁ ବି ପ୍ରବେଶ କରିବାକୁ ବାରଣ କରିଛନ୍ତି। ଏହା ଦିଲ୍ଲୀ ବିଧାନସଭା ଇତିହାସରେ କଦାପି ହୋଇନଥିଲା ବୋଲି ଅତିଶୀ କହିଛନ୍ତି। ଆପ୍ କହିଛି, ଦିଲୀରେ ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟରୁ ଆମ୍ୱେଦକର ଓ ଭଗତ ସିଂଙ୍କ ପୋଷ୍ଟର ହଟାଇ ଦେଇଥିବାରୁ ବିରୋଧ ଜାରି ରହିବ।ନିଲମ୍ୱନରୁ ବଞ୍ଚିତ ଏକମାତ୍ର ବିଧାୟକ ଅମାନତୁଲ୍ଲାହ ଖାନ୍ ବିଧାନସଭା ଆସିବେ କି ନାହିଁ, ତା ଉପରେ ସମସ୍ତଙ୍କ ନଜର ଥିଲା। କିନ୍ତୁ ଅମାନତୁଲ୍ଲାହ ବିଧାନସଭା ଆସିଥିଲେ। ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଆଜି ଥିଲା ଶେଷ ଦିନ। କିନ୍ତୁ ସରକାର ଏହାର ଅବଧିକୁ ମାର୍ଚ୍ଚ ୩ ଯାଏ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଗୃହରେ କହିଥିଲେ ଯେ, ଅବକାରୀ ନୀତି ଲାଗି ଦିଲ୍ଲୀ ସରକାର ୨ହଜାର କୋଟିରୁ ଅଧିକ ରାଜସ୍ୱ ହରାଇଛନ୍ତି। ଦିଲ୍ଲୀ ସରକାର କହିଛନ୍ତି, ଯେତେବେଳେ ଉପରାଜ୍ୟପାଳ ଗୃହକୁ ସମ୍ୱୋଧିତ କରୁଥିଲେ, ସେତେବେଳେ ଆପ୍ ବିଧାୟକ ନାରା ଲଗାଇଥିଲେ। ସିଏଜି ରିପୋର୍ଟ ନେଇ ଗୃହରେ ବିସ୍ତୃତ ଚର୍ଚ୍ଚା ହେଲେ ଯାଇ ଭ୍ରଷ୍ଟାଚାର କେତେମାତ୍ରାରେ ହୋଇଛି, ସବୁ ଜାଣିବେ। ଦିଲ୍ଲୀ ବିଧାନସଭାକୁ ଆପ୍ ବିଧାୟକଙ୍କ ପ୍ରବେଶକୁ ଗୋଟିଏ ପଟେ ବ୍ୟାନ୍। ଅନ୍ୟପଟେ ମଦ ଦୁର୍ନୀତି ନେଇ ସିଏଜି ରିପୋର୍ଟକୁ ନେଇ ଆଲୋଚନା ଆପ୍ କୁ କେତେ ଅଡ଼ୁଆର ପକାଇବ, ତା ଉପରେ ସମସ୍ତଙ୍କ ନଜର।
ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp
Join and get latest news update delivered to you via whatsapp
Join Now