ବ୍ରଜରାଜନଗର ଫାଇଟ୍‌ରେ ସ୍ପଷ୍ଟ ହେଲେଣି ଫାଇଟର୍‌, ଏବେ ମଇଦାନରେ ଲଢେଇ ହେବ ଜୋରଦାର୍‌

ବିଜେଡିରୁ ଅଳକା। ବିଜେପିରୁ ରାଧାରାଣୀ। କଂଗ୍ରେସରୁ କିଶୋର I ବ୍ରଜରାଜନଗର ଲଢେଇ ଲାଗି ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଏବେ ଉପନିର୍ବାଚନ ମୈଦାନରେ ଯୋଦ୍ଧା ସ୍ପଷ୍ଟ ହୋଇସାରିଥିଲା ବେଳେ । କିଏ ମାରିବ ବାଜି ଓ କେଉଁ ଫ୍ୟାକ୍ଟର ଅଧିକ କାମ ଦେବ, ତାକୁ ନେଇ ଆରମ୍ଭ ହୋଇଛି ଅବଗଣନା।
ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିରୁ ଶେଷରେ ପ୍ରାର୍ଥୀ ହେଲେ ସ୍ୱର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି। ପ୍ରାର୍ଥୀ ଚୟନର ଅଡ଼ୁଆ ଖିଅ ତୁଟାଇବା ଯଦିଓ ଏତେଟା ସହଜ ନଥିଲା। ତଥାପି ଅଳକାଙ୍କ ନାଁରେ ମୋହର ଲଗାଇଛନ୍ତି ସୁପ୍ରିମୋ । କାରଣ ରେସରେ ଥିଲେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଜଣେ ଖାସ୍ ଅନୁଗତ। ପ୍ରାର୍ଥୀତ୍ୱକୁ ନେଇ ଅଡ଼ୁଆ ତୁଟିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସ୍ୱାମୀଙ୍କ ଅଧରୀ ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ଅଳକା। ରାଜନୀତିରେ ନୂଆ ଖେଳୁଆଡ଼ ହୋଇଥିଲେ ସୁଦ୍ଧା ସୀମିତ ଉତ୍ତର ଦେଇ ଅଳକା ନିଜକୁ ଜଣେ ଅଭିଜ୍ଞ ଓ ପୋଖତ ବୋଲି ପ୍ରମାଣିତ କରିଛନ୍ତି। ନା ଦଳ ଭିତରେ ନା ବିରୋଧୀଙ୍କ ସହ ବାଦବିବାଦ ଅଛି କହି ଅତି ସହଜରେ ପ୍ରଶ୍ନକୁ ଟାଳିଦେଇଛନ୍ତି।
ସେପଟେ ରାଧାରାଣୀଙ୍କ ନାଁରେ ମୋହର ଲାଗିବା ପରେ ଜିଲ୍ଲା ବିଜେପିରେ ଫାଟ ଆରମ୍ଭ ହୋଇସାରିଛି। ଜିଲ୍ଲା ସଭାପତି ଯେହେତୁ ନିଜେ ପ୍ରାର୍ଥୀ ହେବା ଲାଗି ଦାବିଦାର ଥିଲେ। କିନ୍ତୁ ଦଳ ରାଧାରାଣୀଙ୍କ ଉପରେ ଭରସା କରିବାରୁ ଦଳରୁ ଇସ୍ତଫା ଦେବା ସହ ମଙ୍ଗଳୁ ସାହୁଙ୍କ ବିଦ୍ରୋହୀ ଭୁମିକା ପ୍ରଭାବ ପକାଇବ କି ନା, ତାକୁ ନେଇ ଚର୍ଚ୍ଚା ଧରିଛି। ସେପଟେ ରାଧାରାଣୀଙ୍କ ସଂଗଠନ, ପକେଟ୍ ଭୋଟ୍ ଓ ଭାବମୂର୍ତ୍ତି ବିଜେଡିକୁ କଡ଼ା ଫାଇଟ୍ ଦେବ ବୋଲି କୁହାଯାଉଛି।
କଂଗ୍ରେସରୁ କିଶୋର ପଟେଲଙ୍କ ନାଁରେ ହାଇକମାଣ୍ଡଙ୍କ ମୋହର ବାଜିଛି । ଅଳକା, ରାଧାରାଣୀଙ୍କ ସହ କିଶୋର ଦମଦାର ଫାଇଟ୍ ଦେବେ ବୋଲି କୁହାଯାଉଛି।
ବ୍ରଜରାଜନଗର ଫାଇଟ୍ ରେ ଫାଇଟରଙ୍କ ନାଁ ସ୍ପଷ୍ଟ। ଦେଖିବାର କଥା, ବ୍ରଜରାଜନଗରରେ ବିଜେଡି ନିଜର ଗଡ଼ କାଏମ ରଖୁଛି ନା ବିରୋଧୀ ଶିବିର ଚକମା ଦେଉଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *