ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ, ତେଜୁଛି ରାଜନୀତି

Spread the love

ମଣିପୁରରେ ସ୍ୱାଭାବିକ ସ୍ଥିତି ଅଛି। ସୌହାର୍ଦ୍ଦ୍ୟ ବାତାବରଣ ଫେରାଇବାକୁ ସରକାର ନିରନ୍ତର ପ୍ରୟାସରତ। ମଣିପୁର ନିଆଁରେ ଘିଅ ଢାଳିବା ବନ୍ଦ କରନ୍ତୁ ବିରୋଧୀ। ସଂସଦରେ ମଣିପୁର ମାମଲାରେ ଏମିତି ଢଙ୍ଗରେ ଉତ୍ତର ରଖି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ।ଆଉ ବାସ୍ତବରେ ମଣିପୁରରେ କେମିତି ସ୍ଥିତି ରହିଛି, ଅନୁଧ୍ୟାନ କରିବାକୁ ମଣିପୁରରେ ଆଜି ପହଞ୍ଚିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଆଗମନ ଆଗରୁ ଜିରିବାମ ଜିଲ୍ଲାରେ ହିଂସା ଦେଖାଦେଇଥିଲା। ମଣିପୁରର ଅସଲ ଚିତ୍ର ଦର୍ଶାଉନାହାନ୍ତି ସରକାର ବୋଲି କ୍ଷୋଭ ଝାଡ଼ିଛନ୍ତି ରାହୁଲ। ବିଜେପି କହିଛି, ରାହୁଲ ପଶ୍ଚିମବଙ୍ଗ କେବେ ଯିବେ। ମଣିପୁରରେ ସ୍ଥିତି ସୁଧୁରୁଥିଲା ବେଳେ ବିଗାଡ଼ିବାକୁ ଯାଇଛନ୍ତି ରାହୁଲ।

ସଂସଦରେ ମଣିପୁର ହିଂସାକୁ ନେଇ ମୋଦି ସରକାରଙ୍କ ନୀରବତାକୁ କିଛି ଏମିତି ଢଙ୍ଗରେ ବିଦ୍ରୂପ କରିଥିଲେ ବିରୋଧୀ। ମଣିପୁରରେ ଏବେ ୬୦ହଜାର ଲୋକ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି। ୨ଶହରୁ ଅଧିକ ଲୋକଙ୍କ ଜୀବନ ଗଲା। ଭୟ ଥିବାରୁ ଏଯାଏ ଘରକୁ ଫେରିପାରୁନାହାନ୍ତି ଲୋକେ। ଏବେ ବି ମୋଦି ନୀରବ। ମଣିପୁରରେ ଏବେ ଗୃହଯୁଦ୍ଧ ସ୍ଥିତି। ତଥାପି ପଦୁଟିଏ କହିଲେନି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ମଣିପୁର ବାବଦରେ ବି କିଛି ନାହିଁ। ସେପଟେ ମଣିପୁର ନିଆଁରେ ଘିଅ ଢାଳିବା ଭଳି ଆଚରଣ ବନ୍ଦ କରନ୍ତୁ ବୋଲି ସଂସଦରୁ ସନ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ମଣିପୁରରେ ସ୍ଥିତି ସ୍ୱାଭାବିକ ହେବାକୁ ଲାଗିଲାଣି। ରାଜ୍ୟ ସରକାରଙ୍କ ସହ ସମ୍ପର୍କରେ ରହି କେନ୍ଦ୍ର ସରକାର ସୌହାର୍ଦ୍ଦ୍ୟ ବାତାବରଣ ଆଣିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ସରକାର ଅମଳରେ ମଣିପୁରରେ ୧୦ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।

ଆଉ ସୋମବାର ମଣିପୁର ଗସ୍ତରେ ଯାଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଆଗମନ ଆଗରୁ ମଣିପୁରର ଜିରିବାମ୍ ଜିଲ୍ଲାରେ ହିଂସା ଦେଖାଦେଇଥିଲା। ମଣିପୁର ପୁଲିସ ଉପରେ କୁକି ମିଲିଟାଣ୍ଟ ବନ୍ଧୁକ ଓ ବୋମାରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ସଂପୃକ୍ତ ଦୁଇଜଣଙ୍କୁ ଅଟକ ରଖିଥିଲା କେନ୍ଦ୍ରୀୟ ସୁରକ୍ଷା ବଳ। କୁମ୍ୱିଂ ଅପରସେନ ବେଳେ କୁକି ମହିଳା ସୁରକ୍ଷାକର୍ମୀଙ୍କୁ ଅବରୋଧ କରିଥିଲେ। ଗଲା ମାସ ୧୦ ତାରିଖରେ ବି ଜିରିବାମ ଗସ୍ତ ବେଳେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ କନଭଏ ଉପରକୁ ଆକ୍ରମଣ ହୋଇଥିଲା। ରାହୁଲ ଜିରିବାମ ହାଇସ୍କୁଲ ରିଲିଫ କ୍ୟାମ୍ପ୍ ପରିଦର୍ଶନ କରିଥିଲେ। ହିଂସାରେ ପୀଡ଼ିତ ଶରଣାର୍ଥୀଙ୍କୁ ଭେଟିଥିଲେ। ଏହା ପରେ ଚୂରାଚାନ୍ଦପୁର ରିଲିଫ କ୍ୟାମ୍ପ, ମୋଇରାଙ୍ଗ ରିଲିଫ କ୍ୟାମ୍ପ ପରିଦର୍ଶନ ସହ ସଂଧ୍ୟାରେ ରାଜ୍ୟପାଳଙ୍କୁ ଭେଟିଥିଲେ। ଏବେ ବି ମଣିପୁରରେ ସ୍ଥିତି ସ୍ୱାଭାବିକ ହୋଇନି ବୋଲି କ୍ଷୋଭ ଝାଡ଼ିଛନ୍ତି ରାହୁଲ। ଭୟରେ ଏବେ ବି ଲୋକେ ସନ୍ତୁଳିତ। ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି। ପ୍ରତି ପାଦରେ ବିପଦ ବୋଲି ଅନୁଭବ କରୁଛନ୍ତି। ଆଶ୍ରିତଙ୍କ ଲାଗି ଏଭଳି ମୂହୂର୍ତ୍ତରେ ସମସ୍ତ ସହଯୋଗ ରହିବ ବୋଲି କଥା ଦେଇଛନ୍ତି ରାହୁଲ। ବିଜେପି କହିଛି ମଣିପୁରକୁ ନେଇ ଯେତିକି ତତ୍ପରତା ଦେଖାଉଛନ୍ତି ରାହୁଲ, ସେତିକି ତତ୍ପରତା ପଶ୍ଚିମବଙ୍ଗକୁ ଯିବାକୁ ବି ଦେଖାନ୍ତୁ। ସନ୍ଦେଶଖାଲି ଯୌନହିଂସାରେ କାହିଁକି ରାହୁଲ ଚୁପ୍। ହିନ୍ଦୁ ମହିଳାଙ୍କୁ ସର୍ବସାଧାରଣରେ ଉଲଗ୍ନ କରି ମାଡ଼ ମରାଗଲା। କିନ୍ତୁ ରାହୁଲ ନୀରବ ରହିଲେ। ମଣିପୁରରେ ସ୍ଥିତି ସୁଧୁରୁଥିବା ବେଳେ ରାହୁଲ ବିଗାଡ଼ିବାକୁ ଯାଇଛନ୍ତି।

ମଣିପୁରରେ ଏବେ ହଜାର ହଜାର ପୀଡ଼ିତ ରିଲିଫ କ୍ୟାମ୍ପରେ ମୁଣ୍ଡ ଗୁଞ୍ଜିଛନ୍ତି। ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି ବୋଲି ସରକାର ଦାବି କରୁଥିଲା ବେଳେ ବିରୋଧୀ ବାସ୍ତବତାକୁ ପରଖିଛନ୍ତି।

Leave a Reply

Your email address will not be published. Required fields are marked *