ମାତୃଭାଷାରେ ସମ୍ୱିଧାନ

୨୨ ଭାଷାରେ ପଢିହେବ ଭାରତୀୟ ସମ୍ୱିଧାନ । ମାର୍ଚ୍ଚ ୨୦୨୫ ମଧ୍ୟରେ ବିଭିନ୍ନ ଭାଷାରେ ହେବ ଅନୁବାଦ । ସମସ୍ତ ଭାରତୀୟ ନାଗରିକଙ୍କ ପାଖେ ସହଜ ଉପଲବ୍ଧ କରାଯିବ । ସମାବେଶୀ ଓ ସଶକ୍ତ ଦେଶ ଗଠନ ଦିଗରେ ଏହା ସହାୟକ ହେବ ଲକ୍ଷ୍ୟ ରଖାଯାଇଛି । ସାମ୍ୱିଧାନିକ ଅଧିକାର ଓ ସିର୍ଦ୍ଧାନ୍ତ ସମ୍ପର୍କରେ ଭଲରେ ବୁଝି ପାରିବେ ଦେଶବାସୀ । ଏଭଳି ଉଦ୍ଦେଶ୍ୟ ରଖି ୨୨ ଭାଷାରେ ଭାରତୀୟ ସମ୍ୱିଧାନର ଅନୁବାଦ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ସମ୍ୱିଧାନର ୮ମ ଅନୁଚ୍ଛେଦରେ ସୂଚୀବଦ୍ଧ ଥିବା ସମସ୍ତ ୨୨ ଭାଷାରେ ଅନୁବାଦ କାମ ଆରମ୍ଭ ହୋଇଛି । ବିଧି ଏବଂ ନ୍ୟାୟ ମନ୍ତ୍ରଣାଳୟର ଭାଷା ୱିଙ୍ଗର ସହାୟତାରେ ରାଷ୍ଟ୍ରୀୟ ଅନୁବାଦ ମିଶନର ନେତୃତ୍ୱରେ ଏହି ପରିଯୋଜନା ଚାଲିଛି । ଏବେ ଭାରତର ସମ୍ୱିଧାନ ୧୮ଟି ଭାଷାରେ ଉପଲବ୍ଧ ଅଛି । ୨୦୨୪ରେ ମୈଥିଲି ଏବଂ ସଂସ୍କୃତ ଭାଷାକୁ ସେଥିରେ ସାମିଲ କରାଯାଇଥିଲା । ବିହାର ,ଝାଡ଼ଖଣ୍ଡ ଏବଂ ନେପାଳର କିଛି ଅଂଶରେ ମୁକ୍ୟତଃ ମୈଥିଲି ଭାଷା କୁହାଯାଏ । ଯାହା ୨୦୨୪ ନଭେମ୍ୱର ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନାବରଣ ହୋଇଥିଲା । ଯାହା ଭାଷା ଦୃଷ୍ଟିରୁ ସମାବେଶୀତାକୁ ସମୃଦ୍ଧ କରିବା ଦିଗରେ ଏକ ମହତ୍ତ୍ୱପୁର୍ଣ୍ଣ ପ୍ରୟାସ ଥିଲା । ନିଜ ମାତୃଭାଷାରେ ସମ୍ୱିଧାନ ପଢିବାର ସୁଯୋଗ ମିଳିଲେ ଅଧିକରୁ ଅଧିକ ଲୋକ ସମ୍ୱିଧାନର ତତ୍ତ୍ୱ ତାର ବିଭିନ୍ନ ଦିଗକୁ ବୁଝିପାରିବେ । ଏବେ ସମ୍ୱିଧାନ ପ୍ରତିଷ୍ଠାର ୭୫ ବର୍ଷ ପୁର୍ତ୍ତି ଉତ୍ସବ ଦେଶରେ ପାଳନ ହେଉଛି । ଏହି ଅବସରରେ ଅଧିକ ଭାଷାରେ ଅନୁବାଦ ପାଇଁ ପଦକ୍ଷେପ ନିଅଯାଉଛି । ୨୬ ନଭେମ୍ୱର ୧୯୪୯ରେ ଭାରତୀୟଙ୍କ ପାଇଁ ସମ୍ୱିଧାନ ତିଆରି ହୋଇଥିଲା । ଯାହା ୧୯୫୦ ଜାନୁଆରୀ ୨୬ରୁ କାର୍ଯ୍ୟକାରୀ ହୋଇଥିଲା । ୨୦୧୫ରୁ ଦେଶରେ ସମ୍ୱିଧାନ ଦିବସ ପାଳନ ହେଉଛି । ସାମ୍ୱିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ଦିବସ ପାଳନର ଉଦ୍ଦେଶ୍ୟ ରହିଛି । ସର୍ବବୃହତ ଗଣତନ୍ତ୍ରର ବିଶାଳ ତଥା ଜୀବନ୍ତ ଦସ୍ତାବିଜ ସମ୍ୱିଧାନ ମୂଳତଃ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିଲା । ଏବଂ ପରବର୍ତ୍ତୀ ସମୟରେ ହିନ୍ଦୀ ଅନୁବାଦ ପାଇଁ ଦାବି ଉଠିଥିଲା । ସମ୍ୱିଧାନ ସଭା ଅନୁବାଦ କାମର ତଦାରଖ ପାଇଁ ଘନଶ୍ୟାମ ଦାସଗୁପ୍ତାଙ୍କ ଅଧ୍ୟକ୍ଷତାରେ ୪୧ ସଦସ୍ୟ ବିଶିଷ୍ଠ ଏକ ଅନୁବାଦ ସମିତି ଗଠନ କରିଥିଲେ । ୨୪ ଜାନୁଆରୀ ୧୯୫୦ରେ ଅନୁବାଦିତ ହିନ୍ଦୀ ସଂସ୍କରଣ ସମ୍ୱିଧାନ ସଭାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଦିଆଯାଇଥିଲା । ସମ୍ୱିଧାନ ସଭାର ସଦସ୍ୟମାନେ ଗୋଟିଏ ଦିନରେ ହିଁ ଉଭୟ ଇଂରାଜୀ ଓ ହିନ୍ଦୀ ସଂସ୍କରଣରେ ସ୍ୱାକ୍ଷର କରିଥିଲେ । ଫଳରେ ହିନ୍ଦୀଭାଷୀ ନାଗରିକ ମଧ୍ୟ ଉପକୃତ ହୋଇ ପାରିଥିଲେ । ଯାହା ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ ଭାଷାରେ ଅନୁବାଦ ହୋଇ ଅଧିକରୁ ଅଧିକ ଲୋକଙ୍କ ଯାଏଁ ପହଞ୍ଚି ପାରୁଛି ।ଏବଂ ଆଗକୁ ୨୨ ଭାରତୀୟ ଭାଷାଭାଷି ଲୋକ ନିଜ ମାତୃଭାଷାରେ ସମ୍ୱିଧାନକୁ ପଢି ବୁଝିବା ପାଁ ସୁଯୋଗ ପାଇବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *