ଅନ୍ତିମ ପର୍ଯ୍ୟାୟ ଭୋଟ୍: କେଉଁ ହେଭିଓ୍ୱେଟଙ୍କ ଭାଗ୍ୟପରୀକ୍ଷା

Spread the love

() ଜୁନ୍ ୧ରେ ଓଡ଼ିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯାୟ ନିର୍ବାଚନ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ୬ ସଂସଦୀୟ କ୍ଷେତ୍ରରେ ପଡ଼ିବ ଭୋଟ। ୪୨ ବିଧାନସଭା କ୍ଷେତ୍ରରେ ଅନେକ ହେଭିଓ୍ୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଚାରି ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସୁଦାମ ମାର୍ଣ୍ଡିଂ, ପ୍ରୀତିରଞ୍ଜନ ଘଡ଼େଇଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ପରୀକ୍ଷାର ସମ୍ମୁଖୀନ ହେବେ। ବାଙ୍ଗିରିପୋଷି ବିଧାୟକ ତଥା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ସିନା ଏଥର ମୟୁରଭଞ୍ଜ ଲୋକସଭା ଆସନରେ ଫାଇଟ୍ କରୁଛନ୍ତି। କିନ୍ତୁ ତାଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡିଂ ବାଙ୍ଗିରିପୋଷିରେ ଲଢ଼େଇ କରୁଛନ୍ତି। ସ୍ୱାମୀଙ୍କ ଗଡ଼ ବଜାୟ ରଖିବାକୁ କମର କଷିଛନ୍ତି ରଞ୍ଜିତା ମାର୍ଣ୍ଡିଂ।

କେନ୍ଦ୍ରାପଡ଼ା ଆଳିରେ ମନ୍ତ୍ରୀ ପ୍ରତାପ ଦେବ ନିଜ ଗଡ଼ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେପଟେ ବାପାଙ୍କ ପରାଜୟର ପ୍ରତିଶୋଧ ନେବାକୁ ଆଗେଇ ଆସିଛନ୍ତି ଦେବେନ୍ଦ୍ର ଶର୍ମାଙ୍କ ଝିଅ ଦେବସ୍ମିତା ଶର୍ମା। କେନ୍ଦ୍ରାପଡ଼ାର ପାଟକୁରାରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପ୍ରଥମ ଥର ଭୋଟରଙ୍କ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି। ତା ପୁଣି ବିଜେଡି ଟିକଟରେ। ଦଳବିରୋଧୀ କାର୍ଯ୍ୟକଳାପ ଲାଗି ବିଜେପିରୁ ବିଦା ବିଜୟଙ୍କ ପାଇଁ ବି ପୁଅକୁ ଜିତାଇ ସମ୍ମାନ ଓ ପତିଆରା ବଜାୟ ରଖିବା ବଡ଼ ଟାସ୍କ ସାଜିଛି।

ମାହାଙ୍ଗାରେ ରାଜନୈତିକ ଉତ୍ତରାଧିକାରୀ ଭାବେ ପୁଅ ଅଙ୍କିତଙ୍କ ଲାଗି ଅଣ୍ଟା ଭିଡ଼ିଥିବା ପ୍ରତାପ ଜେନା କେତେଦୂର ସଫଳ ହେବେ। ମହାକାଳପଡ଼ାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଭଣ୍ଡାରିପୋଖରୀରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ମୈଦାନକୁ ଓହ୍ଲାଇଛନ୍ତି।

ଚାନ୍ଦବାଲିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏହି ଉଭୟ ହେଭିଓ୍ୱେଟ୍ ଦୀର୍ଘ ବର୍ଷ ପରେ ବିଜୟର ସ୍ୱାଦ ଚାଖିବା ଅପେକ୍ଷାରେ ଥିଲା ବେଳେ ଏହା ପୂରଣ ହୋଇପାରୁଛି କି ନାହିଁ, ଭୋଟରଙ୍କ ମୁଡ୍ ଉପରେ ନିର୍ଭର କରୁଛି।

ସୁକିନ୍ଦାରୁ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ଅଛନ୍ତି। ବଡ଼ଚଣାରେ ହେଭିଓ୍ୱେଟ୍ ଅମର ଶତପଥୀଙ୍କୁ ବାଦ୍ ଦେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିବା ବିଜେଡି ଏଥର ବିଜୟଶଙ୍ଖ ବଜାଇବାରେ କେତେଦୂର ସଫଳ ହେବ। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ସମ୍ୱଲପୁର ଲୋକସଭା ପାଇଁ ଲଢ଼େଇ କରିବାକୁ ପଠାଇଦେଇ ପ୍ରଣବଙ୍କ ମାଆ ସଂଧ୍ୟାରାଣୀ ଦାସଙ୍କୁ କୋରେଇରୁ ପ୍ରାର୍ଥୀ କରିଛି ବିଜେଡି। ସ୍ୱର୍ଗତ ଅଶୋକ ଦାସଙ୍କ କୋରେଇ ଗଡ଼ରେ ପତ୍ନୀ ସଂଧ୍ୟାଙ୍କୁ କେତେଦୂର ଗ୍ରହଣ କରିବେ ଭୋଟର ସମୟ କହିବ।ବିଞ୍ଝାରପୁରରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

ଭୋଗରାଇରେ ଭେଟେରାନ ଅନନ୍ତ ଦାସଙ୍କୁ ବାଦ୍ ଦେଇ ଗୌତମବୁଦ୍ଧଙ୍କ ଉପରେ ଆସ୍ଥାପ୍ରକଟ କରିଥିବା ବିଜେଡି ଏଥର ଗଡ଼ ରକ୍ଷା କରିପାରିବ ତ। ଧାମନଗରରେ ସୂର୍ଯ୍ୟବଂଶୀ ସୂରଜ ପୁଣି ଥରେ ଚମକିବେ ନା ଆଉ କିଏ ଆସନ ଛଡ଼ାଇନେବ। ସୋରରେ ଶେଷ ମୂହୂର୍ତ୍ତରେ ପ୍ରାର୍ଥୀ ବଦଳାଇ ଯେଭଳି ରାଜୁ ଦାସଙ୍କୁ ବିଜେପି ହଟ୍ଟହଟା କଲା,ଏହାର ପ୍ରଭାବ ବିଜେପି ଉପରେ ଭାରି ପଡ଼ିବ ନା ଠିକ୍ ନିଷ୍ପତ୍ତି ବୋଲି ବିବେଚନା ହେବ, ସମୟ କହିବ। ରାଜୁ ଦାସ ଅବଶ୍ୟ ବିଜେଡିକୁ ଫେରିଗଲେଣି।

ନିମାପଡ଼ାରେ ସମୀର ଦାସଙ୍କ ଟିକଟ କାଟି ଦିଲ୍ଲୀପ ନାୟକଙ୍କ ଉପରେ ଭରସା କରିଥିବା ବିଜେଡି ନିମାପଡ଼ାରେ ଶଙ୍ଖ ଫୁଙ୍କିପାରିବ କି ନାହିଁ। ସମୀର ଦାଶ ପଦ୍ମ ଶିବିରରେ ସାମିଲ୍ ପରେ ଦିଲ୍ଲୀପଙ୍କ ବିଜୟରେ ବଡ଼ କଣ୍ଟା ଭାବେ ଉଭା ହେଲେଣି। ସିମୂଳିଆରେ ଅବଶ୍ୟ ୨୪ ଘଣ୍ଟାରେ ଚିତ୍ର ବଦଳିଥିଲା।ଟିକଟ ନ ପାଇବାରୁ ଦଳରୁ ଇସ୍ତଫା ଦେବାର ୨୪ ଘଣ୍ଟା ଭିତରେ ନୂଆ ଦାୟିତ୍ୱ ନେଇ ଦଳକୁ ଫେରିଆସିଥିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

ଅନେକ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। କିଏ ଗଡ଼ ବଜାୟ ରଖୁଛି। କାହାର ହାତଛଡ଼ା ହେବ। ଜୁନ୍ ୧ରେ ଭୋଟର ସ୍ଥିର କରିବେ।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।