କର୍ଣ୍ଣାଟକରେ ଦୁଇ ଦିନିଆ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

କର୍ଣ୍ଣାଟକର ବେଲଗାଭିରେ ଆରମ୍ଭ ହୋଇଛି ଦୁଇ ଦିନିଆ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ। ଦଳର ଆଗାମୀ ରଣନୀତି, ଆସୁଥିବା ଆହ୍ୱାନକୁ କେମିତି ମୁକାବିଲା କରାଯିବ, ସେ ନେଇ ବିସ୍ତୃତ ଖସଡ଼ା ତିଆରି ହୋଇଛି। ବେଲଗାଭିରୁ ମାନସମନ୍ଥନ କରିଛି କଂଗ୍ରେସ। ଦୁଇ ଦିନିଆ ମହାଅଧିବେଶନରେ ୨ଶହରୁ ଅଧିକ ନେତାଙ୍କ ଭିତରେ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ଦଳ। ୧୯୨୪ରେ ମହାତ୍ମା ଗାନ୍ଧୀ ଦଳର ଅଧ୍ୟକ୍ଷ ଭାବେ ବେଲଗାଭିରେ କଂଗ୍ରେସ ଅଧିବେଶନକୁ ଅଧ୍ୟକ୍ଷତା କରିଥିବାରୁ ଏହାର ଶହେ ବର୍ଷ ପୂର୍ତ୍ତି ଅବସରରେ ଏଥର ଅଧିବେଶନର ଗୁରୁତ୍ୱ ବେଶ୍ ରହିଛି। ନବ ସତ୍ୟାଗ୍ରହ ବୈଠକ ନାଁରେ ଦୁଇ ଦିନିଆ ଅଧିବେଶନରେ ଦଳର ତୁଙ୍କ ନେତାଙ୍କ ଗହଣରେ ତିଆରି ହୋଇଛି ରଣନୀତି।  ୨୭ ତାରିଖରେ ଜୟ ବାପୁ, ଜୟ ଭୀମ,ଜୟ ସମ୍ୱିଧାନ ରାଲି ବାହାରିବ। ସମ୍ୱିଧାନ ପ୍ରଣେତା ଆମ୍ୱେଦକରଙ୍କ ପ୍ରତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନଜନକ ଟିପ୍ପଣୀକୁ ବିରୋଧ କରି ଆଗକୁ କେମିତି ଏହାକୁ ଅଧିକ ଶାଣିତ ହେବ, ସେ ନେଇ ପ୍ରସ୍ତୁତ ହୋଇଛି ଖସଡ଼ା। ସମ୍ୱିଧାନକୁ ରକ୍ଷା କରିବାକୁ ଲଢ଼େଇ ଓ ସଂଘର୍ଷ କରିବାକୁ ପଡ଼ିବ। କିଛି ସଂଘୀ ଦଳ ଗାନ୍ଧୀଙ୍କୁ ଦେଶର ଅତୀତ କହି କଟାକ୍ଷ କରିବାକୁ ପଛାଉନାହାନ୍ତି। ଗାନ୍ଧୀ ସବୁବେଳେ ରହିଛନ୍ତି। ଗାନ୍ଧୀ ବ୍ୟକ୍ତି ନୁହଁନ୍ତି, ବିଚାର। ଅତୀତ ନୁହେଁ, ଭବିଷ୍ୟତ ଅଟନ୍ତି। ମାନବତା ଲାଗି ନୈତିକତା କମ୍ପାସ୍ ଅଟନ୍ତି ଗାନ୍ଧୀ। ଗାନ୍ଧୀ,ଆମ୍ୱେଦକରଙ୍କ ବିଚାରକୁ ବଞ୍ଚାଇବାକୁ ପଡ଼ିବ।

ସେପଟେ ବେଲଗାଭିରେ କଂଗ୍ରେସର ମହାଅଧିବେଶନକୁ ନେଇ କଟାକ୍ଷ କରିଛି ବିଜେପି। ଭାରତର ଏକତା ଓ ସାର୍ବଭୌମତ୍ୱକୁ ରକ୍ଷା କରିବା ବଦଳରେ ବେଲଗାଭି ଅଧିବେଶନରେ ଭାରତର ମାନଚିତ୍ରକୁ ବିକୃତ କରାଯାଇଛି। ଭାରତ ଯୋଡ଼ କି ସମ୍ୱିଧାନ ସୁରକ୍ଷା ଲାଗି ନୁହେଁ। ଏହା କଂଗ୍ରେସର ଭାରତ ତୋଡ଼ ଓ ଟୁକ୍‌ଡେ ଟୁକ୍‌ଡେ ମାଇଣ୍ଡସେଟର ପ୍ରତିଫଳନ। ପାକିସ୍ତାନ ଓ ଚୀନର ସମର୍ଥକ ସାଜିଛି କଂଗ୍ରେସ। ଜମ୍ମୁକଶ୍ମୀରକୁ ପାକିସ୍ତାନର ଅଂଶ କହି ଦର୍ଶାଇଛି କଂଗ୍ରେସ। ପାକିସ୍ତାନକୁ ଜମ୍ମୁକଶ୍ମୀର ଟେକିଦେବାକୁ ଯେମିତି କଂଗ୍ରେସର ମାନସିକତା ଅଛି। ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ। ତା ପୂର୍ବରୁ ବେଲଗାଭିରେ ଦୁଇ ଦିନିଆ ମହା ଅଧିବେଶନରେ କଂଗ୍ରେସର ମାନସମନ୍ଥନ ଓ ରଣନୀତି ୨୦୨୫ରୁ କେତେ ସଫଳ ସାବ୍ୟସ୍ତ ହେବ, ତା ଉପରେ ନଜର।

ରିପୋର୍ଟ ପ୍ରଦୀପ ନାୟକ  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *