ଚାନ୍ଦା ଆକାରରେ ମିଳିଛି ପୁଳା ପୁଳା ଟଙ୍କା

ବିଜେପି ପାଖରେ ପାଣ୍ଠିର ଅଭାବ ନାହିଁ । ଏଥର ମଧ୍ୟ ମାଲାମାଲ ଭାରତୀୟ ଜନତା ପାର୍ଟି । ଚାନ୍ଦା ଆକାରରେ ମିଳିଛି ପୁଳା ପୁଳା ଟଙ୍କା । ପୂର୍ବ ବର୍ଷ ଅପେକ୍ଷା ୩ ଗୁଣ ଅଧିକ ମିଳିଛି ଚାନ୍ଦା। ନିର୍ବାଚନ ପୂର୍ବରୁ ହିଁ ଅର୍ଥବଳରେ ବଳୀୟାନ ହୋଇ ସାରିଥିଲା ପଦ୍ମ ଦଳ । ୨୦୨୩-୨୪ ଆର୍ଥୀକ ବର୍ଷରେ ବିଜେପିକୁ ବ୍ୟକ୍ତି,ଟ୍ରଷ୍ଟ ଏବଂ କର୍ପୋରେଟ ହାଉସରୁ ୨୦ ହଜାର ଓ ତା ଠାରୁ ଅଧିକ ଦାନ ବାବଦରେ ପ୍ରାୟ ୨,୨୪୪ କୋଟି ଟଙ୍କା ମିଳିଛି । ଯାହା ପୂର୍ବ ବର୍ଷ ଅପେକ୍ଷା ଢେର ଅଧିକ । ଅନ୍ୟପକ୍ଷରେ କଂଗ୍ରେସ ୨୮୮.୯ କୋଟି ଟଙ୍କା ପାଇଛି । ଯାହା ପୂର୍ବ ବର୍ଷ ୭୯.୯ କୋଟି ଥିଲା । ନିର୍ବାଚନ ଆୟୋଗଙ୍କ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ, ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟରୁ ବିଜେପିକୁ ୭୨୩.୬ କୋଟି ଓ କଂଗ୍ରେସକୁ ୧୫୬.୪ କୋଟି ଟଙ୍କାର ଚାନ୍ଦା ମିଳିଛି । ଏହି ବର୍ଷ କଂଗ୍ରେସ ତୁଳନାରେ ବିଜେପି ୭୭୭.୮୨% ଅଧିକ ଚାନ୍ଦା ପାଇଛି ।

ତେବେ ୨୦୨୩-୨୪ରେ ବିଜେପି ସର୍ବାଧିକ ଚାନ୍ଦା ପାଇଥିବା ବେଳେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚେନ୍ଦ୍ର ଶେଖର ରାଓଙ୍କ ବିଆରଏସ ଦଳ ୫୮୦ କୋଟି ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ସେହିକ୍ରମରେ ୨୮୯ କୋଟି ଟଙ୍କା ଚାନ୍ଦା ସହ ତାଲିକାର ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ଅବଶ୍ୟ ଏଥିରେ ବିଜେପି ଓ କଂଗ୍ରେସର ଇଲେକ୍ଟୋରାଲ ବଣ୍ଡ ଅର୍ଥ ଅନ୍ତର୍ଭୁକ୍ତ ନାହିଁ । ବାର୍ଷିକ ଅଡିଟ ରିପୋର୍ଟରେ ତାହା ଘୋଷଣା କରିବାର ନିୟମ ରହିଛି । କିନ୍ତୁ କିଛି ଦଳ ବଣ୍ଡରୁ ମିଳିଥିବା ଅର୍ଥ ରାଶି ଜଣାଇଛନ୍ତି । ବିଆରଏସ ବଣ୍ଡ ଜରିଆରେ ୪୯୫.୫ କୋଟି ଟଙ୍କା ପାଇଛି । ୱାଇଏସଆର କଂଗ୍ରେସ ୧୨୧.୫ କୋଟି, ଡିଏମକେ ୬୦ କୋଟି, ଜେଏମଏମ ୧୧.୫ କୋଟି ସହ ଅନ୍ୟ ଉତ୍ସରୁ ୬୪ ଲକ୍ଷ ଟଙ୍କାରୁ ସାମାନ୍ୟ ଅଧିକ ରହିଛି । ସେହିପରି ଚାନ୍ଦା ଘୋଷଣା ଅନୁଯାୟୀ ଆପ୍ ୧୧.୧ କୋଟି,ସିପିଏମ ୭.୬ କୋଟି, ବିଏସପି କିଛି ଘୋଷଣା କରି ନଥିଲା ବେଳେ ବିଜେଡି କିଛି ଦାନ ମିଳିନଥିବା କହିଛି ।

ପୂର୍ବ ବର୍ଷ ଅପେକ୍ଷା ୨୦୨୩-୨୪ରେ ୨୧୨% ଅଧିକ ଚାନ୍ଦା ପାଇଛି ବିଜେପି । ଅବଶ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦାନ ମିଳିଥିଲା । କାରଣ ୨୦୧୮-୧୯ରେ ମଧ୍ୟ ବିଜେପିକୁ ୭୪୨ କୋଟି ଓ କଂଗ୍ରେସକୁ ୧୪୬.୮ କୋଟି ଟଙ୍କା ଚାନ୍ଦା ମିଳିଥିବା ଘୋଷଣା କରିଥିଲେ । ସେହିପରି ଇଲେକ୍ଟୋରାଲ ଟ୍ରଷ୍ଟରୁ ସେତେବେଳେ ବିଜେପିକୁ ୮୫୦ କୋଟି ଓ କଂଗ୍ରେସକୁ ୧୫୬ କୋଟି ମିଳିଥିଲା ।

ସୁପ୍ରିମକୋର୍ଟ ଫେବୃଆରୀ ୨୦୨୪ରେ ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ରଦ୍ଦ କରିଥିଲେ । ଏବେ ସିଧାସଳଖ କିମ୍ୱା ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ମିଳୁଥିବା ଚାନ୍ଦା ରାଜନୈତିକ ଦଳ ପାଇଁ ପାଣ୍ଠିର ମୂଳ ଉତ୍ସ । ତା ସତ୍ତ୍ୱେ ମଧ୍ୟ ବିଜେପିର ଅର୍ଥ ବଳ ଅନ୍ୟ ରାଜନୈତିକ ଦଳମାନଙ୍କ ତୁଳନାରେ ଢେର ଅଧିକ ରହିଛି । ଯାହା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ଆୟୋଜନ, ପ୍ରଚାର,ପ୍ରସାର ଦେଖିଲେ ବୁଝିହେବ । ହୁଏତ ଆଗାମୀ ଘୋଷଣା ବେଳେ ଚିତ୍ର କିଛି ବଦଳିପାରେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *