ଆଜି ହେଉଛି ଜାତୀୟ କୃଷକ ଦିବସ। ପ୍ରତିବର୍ଷ ଡିସେମ୍ୱର ୨୩ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୂରୀ ଚରଣ ସିଂହଙ୍କ ଜନ୍ମଜୟନ୍ତୀକୁ ରାଷ୍ଟ୍ରୀୟ କିଷାନ ଦିବସ ଭାବେ ପାଳନ କରାଯାଇଥାଏ। ତାଙ୍କର ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତିର ମେରୁଦଣ୍ଡ ହେଉଛନ୍ତି କୃଷକ। କୃଷକମାନଙ୍କ ଅବଦାନ ଅତୁଳନୀୟ, କୃଷକମାନଙ୍କୁ ଅନ୍ନଦାତା ବୋଲି ମଧ୍ୟ ସମ୍ୱୋଧନ କରାଯାଏ। ତେବେ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ସମ୍ମାନ ଦେବା। ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନକଡ, କିଷାନ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୂରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଗରିବ ଏବଂ ଚାଷୀଙ୍କ ପ୍ରକୃତ ଶୁଭେଚ୍ଛୁକ ବୋଲି କହିଛନ୍ତି ମୋଦି । ଦେଶ ପ୍ରତି ଥିବା ତାଙ୍କର ଉତ୍ସଗୀକୃତ ତଥା ଯେଉଁଭଳି ସେବା କରିବାର ଇଛା ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ସେହିପରି ଜଗଦୀପ ଧନକଡ କହିଛନ୍ତି କୃଷକ ଦିବସରେ ସମସ୍ତ କୃଷକଙ୍କୁ ମୋର ନମସ୍କାର। ୨୦୦୧ ମସିହାରେ ସଠିକ ନିଷ୍ପତ୍ତି ନିଆଯାଇ କୃଷକ ଦିବସ ଆରମ୍ଭ କରାଯାଇଛି। ଯିଏ ନିଜ ଜୀବନକୁ କୃଷକ, ଗ୍ରାମୀଣ ଜୀବନ, କୃଷକ ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ଏହାସହ ଆସନ୍ତାବର୍ଷ ଏହି ଦିବସକୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି।
ଚୌଧୂରୀ ଚରଣ ସିଂହ ଯିଏ ନିଜର ସମସ୍ତ ଜୀବନକୁ କୃଷକଙ୍କ କଲ୍ୟାଣ ନିମନ୍ତେ ଉତ୍ସର୍ଗ କରିଥିଲେ। ସେ ସବୁ ସମୟରେ ଚାଷୀମାନଙ୍କର ହକ୍ ପାଇଁ ସଂଘର୍ଷ କରୁଥିଲେ। ୧୯୭୮ ମସିହାରେ ସେ କିଷାନ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ। ତେବେ ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଯେ ଚାଷୀମାନଙ୍କର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ଚିହ୍ନିବା ଏବଂ ମାନ୍ୟତା ଦେବା। ଏବଂ ସେମାନଙ୍କ କଲ୍ୟାଣ ପାଇଁ ଜନସଚେତନତା ସୃଷ୍ଟି କରିବା। ତେବେ ଚଳିତ ବର୍ଷର କୃଷକ ଦିବସର ଥିମ ରହିଛି ନିରନ୍ତର କୃଷି ପାଇଁ କୃଷକମାନଙ୍କୁ ସଶକ୍ତ କରିବା। ଭାରତ ରତ୍ନ ଚୌଧୂରି ଚରଣ ସିଂହଙ୍କ ଜନ୍ମ ୧୯୦୨ ମସିହାରେ ଉତ୍ତରପ୍ରଦେଶ ମିରଟ ଜିଲ୍ଲାର ନୁରପୁର ଗାଁରେ ହୋଇଥିଲା। ଏକ ଚାଷୀ ପରିବାରର ଜନ୍ମିତ ହୋଇଥିବା ଚୌଧୂରୀ ଚରଣ ଭାରତର ସ୍ୱାଧୀନତା ସଂଗ୍ରାମୀରେ ଭାଗ ନେଇଥିଲେ। ଏବଂ ଏହାପରେ ନିଜେ ସେ କୃଷକମାନଙ୍କ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ। ତାଙ୍କର କାର୍ଯ୍ୟକଳାପ ଏବଂ ନୀତି ତାଙ୍କୁ କୃଷକଙ୍କ ମୁଖିଆ ଭାବରେ ସମସ୍ତେ ଜାଣୁଥିଲେ । ପ୍ରଥମ ଥର ପାଇଁ ୧୯୬୭ ମସିହାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପୂର୍ବରୁ ସେ ମନ୍ତ୍ରୀ ଥିବାବେଳେ ଅନେକ ବିଭାଗ ପରିଚାଳନା କରୁଥିଲେ। ପୁଣି ଥରେ ୧୯୭୦ ମସିହାରେ ସେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୂରୀ ଚରଣ ସିଂହଙ୍କ ଜନ୍ମଜୟନ୍ତୀକୁ ରାଷ୍ଟ୍ରୀୟ କିଷାନ ଦିବସ ରୂପେ ପାଳନ କରାଯାଏ। ତେବେ ୧୯୭୯-୧୯୮୦ ମସିହା ଯାଏ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ହେଲେ ତାଙ୍କ କାର୍ଯ୍ୟକାଳ ସ୍ୱଳ୍ପ ସମୟ ଥିଲେ ମଧ୍ୟ ସେ ଚାଷୀମାନଙ୍କ ହିତ ପାଇଁ ବିଭିନ୍ନ ଯୋଜନା କରିଥିଲେ। ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ସଦାସର୍ବଦା ସେ ଚେଷ୍ଟିତ ରହୁଥିଲେ। ସେହିପରି ୨୦୦୧ ମସିହାରେ ଭାରତ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୂରି ଚରଣ ସିଂହଙ୍କ ସମ୍ମାନର୍ଥେ ୨୩ ଡିସେମ୍ୱରକୁ ରାଷ୍ଟ୍ରୀୟ କିଷାନ ଦିବସ ଭାବେ ଘୋଷଣା କରିଥିଲେ।
ତେବେ ଆଜି ବି ଚାଷୀ ସେମାନଙ୍କ ହକ୍ , ଉଚିତ ପ୍ରାପ୍ୟ ପାଇବା ପାଇଁ ଅହରହ ଆନ୍ଦୋଳନ କରୁଛନ୍ତି। ଶୀତ, କାକର ଏବଂ ବର୍ଷାକୁ ଖାତିର ନ କରି ସମ୍ଭୁ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ଉପରକୁ ଲାଠିଚାର୍ଜ ସହିତ ଲୁହବୁହା ଗ୍ୟାସ ସ୍ପ୍ରେ କରିବାକୁ ବାଧ୍ୟ ହେଉଛି ପୋଲିସ। ତଥାପି ସେମାନେ ଆଜି ବି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି। ସେପଟେ ଓଡିଶାରେ ଅଦିନିଆ ବର୍ଷାରେ ମଧ୍ୟ ଚାଷୀ କ୍ଷତି ସହୁଛନ୍ତି। ଧାର କରଜ କରି ଚାଷ କରିଥିବା ଚାଷୀ ଋଣ ନ ସୁଝି ପାରି ଅକାଳରେ ମୃତ୍ୟୁ ହେଉଥିବା ଅଭିଯୋଗ ମଧ୍ୟ ହେଉଛି। ଏହାସହ କ୍ଷତିପୂରଣ ଦାବି କରୁଥିବା ବେଳେ ସରକାର ଚାଷୀମାନଙ୍କ ଇନସୁରାନ୍ସ ପାଇଁ ଆଇନ ଅନୁଯାୟୀ ଓକିଲାତି କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଯିଏ ସୁନାର ଫସଲ ହସାଏ ତାଙ୍କ ଦୁଃଖ ଦୁର୍ଦ୍ଦଶା କେବେ ଦୂର ହେଉଛି ତାକୁ ହିଁ ଅପେକ୍ଷା।
Naxatra News is now on Whatsapp
Join and get latest news update delivered to you via whatsapp
Join Now