ନବବର୍ଷର ଆଗମନକୁ ନେଇ ସବୁଠି ଉତ୍ସବମୁଖର ପରିବେଶ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ରାଷ୍ଟ୍ରୀୟ ଶୋକ ହେତୁ ନିରାଡ଼ମ୍ୱର ଭାବେ ଶୁଭେଛୁଙ୍କ ଗହଣରେ ନୂଆବର୍ଷ ପାଳିଛନ୍ତି ନେତା, ମନ୍ତ୍ରୀ। ଏହା ସହ ନୂଆ ବର୍ଷରେ ନୂଆ ସଂକଳ୍ପ ନେଇ ଜନସେବାରେ ବ୍ରତୀ ହେବାକୁ ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଛା ଦେଇ କହିଛନ୍ତି ଯେ, ଜଗନ୍ନାଥଙ୍କ ଆଶୀର୍ବାଦରୁ ନୂଆ ବର୍ଷ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। ସମୃଦ୍ଧ ଓ ବିକଶିତ ଓଡ଼ିଶାରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ। ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସକାଳୁ ଦିନତମାମ ଅଧିକାରୀ ଓ ଶୁଭେଛୁଙ୍କ ଭିଡ଼ ଲାଗିଥିଲା। ବିକଶିତ ଓଡ଼ିଶାର ମୂଳପିଣ୍ଡ ସୁଭଦ୍ରା ହେବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ମୋହନ ସରକାର ପ୍ରତିଶୃତି ନୁହେଁ, ପ୍ରତିବଦ୍ଧତାର ସରକାର। ନବବର୍ଷର ପ୍ରଥମ ମାସ ଘଟଣାବହୁଳ ହେବ। ଲୋକଙ୍କ ସମସ୍ୟା ସମାଧାନର ବାଟ ବାହାର କରିବାକୁ ସରକାର ଦାୟିତ୍ୱ ନିର୍ବାହ କରିବେ।
ପ୍ରବାସୀ ଭାରତୀୟ ସମ୍ମିଳନୀ ଉତ୍କର୍ଷ ଓଡ଼ିଶାକୁ ଏକ ନୂଆ ଦିଶା ଦେବ ବୋଲି ସରକାର ଆଶାବାଦୀ। ଓଡ଼ିଶା ବିକାଶରେ ପ୍ରମୁଖ ରୋଡମ୍ୟାପ୍ ସାଜିବ ବୋଲି କହିଛନ୍ତି ସରକାର। ଚଳିତବର୍ଷ ଫେବୃଆରୀରୁ ଆୟୁଷ୍ମାନ ଭାରତ ଲାଗୁ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଜାନୁଆରୀ ୧୫ ସୁଦ୍ଧା ରାସନକାର୍ଡ ନେଇ ସରିବ ଇ-କେଓ୍ୱାଇସି। ଇ-କେଓ୍ୱାଇସି କରିବାକୁ ବାହାର ରାଜ୍ୟକୁ ବି ଯିବେ ସରକାରୀ ଅଧିକାରୀ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ସେପଟେ ରାଷ୍ଟ୍ରୀୟ ଶୋକ ସାଙ୍ଗକୁ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଲାଗି ନବୀନ ପଟ୍ଟନାୟକ ବି ନୂଆବର୍ଷ କାର୍ଯ୍ୟକ୍ରମରେ ସାମିଲ୍ ହେଲେନି। ଅଭିନନ୍ଦନ ଜଣାଇବାକୁ ନବୀନ ନିବାସକୁ ନ ଆସିବାକୁ ଅପିଲ୍ କରିଥିଲେ ନବୀନ। ବିଜେଡି କହିଛି, ମୋହନ ସରକାର କେବଳ ନାଁ ଓ ରଙ୍ଗ ବଦଳାଇବା ଛଡ଼ା ଆଉ କିଛି କରୁନାହାନ୍ତି। ବିଜେପି ସରକାରର ମନ୍ତ୍ରୀମାନଙ୍କ କଥା ଯାହା, କାମ ସେୟା ନୁହେଁ। ନବୀନଙ୍କ କ୍ରେଜ୍ ଆଜି ବି ଅତୁଟ ରହିଛି। ପ୍ରତି ନିର୍ବାଚନମଣ୍ଡଳୀକୁ ଯିବେ ନବୀନ। ବିଜେଡି ଦଳରେ ଥିବା ମନୋମାଳିନ୍ୟ ନବୀନଙ୍କ ନେତୃତ୍ୱରେ ସମାଧାନ ହେବ।
ରାଷ୍ଟ୍ରୀୟ ଶୋକ ଲାଗି ନିରାଡ଼ମ୍ୱର ଭାବେ ନୂଆବର୍ଷ ପାଳିଛନ୍ତି କଂଗ୍ରେସ ନେତା। ଯୁବକ, ଚାଷୀ, ମହିଳାଙ୍କ ଅବସ୍ଥାରେ ଆଶାନୁରୂପ ବିକାଶ ହେଉନି। ଡବଲଇଞ୍ଜିନ ସରକାର ଅତୀତର ବିଜେଡି ଶାସନରୁ କିଛି ଭିନ୍ନ ନୁହେଁ ବୋଲି ପ୍ରତୀୟମାନ ହେଲାଣି। ନୂଆବର୍ଷରେ ନୂଆ ମଙ୍ଗୁଆଳ ପାଇବା ପରେ ଦଳ ଆଗକୁ ସୁଦୃଢ଼ ହେବାକୁ ରଣନୀତି କରିବ କଂଗ୍ରେସ। ଖୁବ ଶୀଘ୍ର ପିସିସି ଗଠନ କରି ଦୂରଦୃଷ୍ଟି ରଖି କାମ ନକଲେ କଂଗ୍ରେସ ଆଗେଇବା ସହଜ ନୁହେଁ ବୋଲି ଆଶଙ୍କା କରିଛନ୍ତି ବରିଷ୍ଠ ନେତା।
ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ। ଜନତାର ଆସ୍ଥା ଓ ବିଶ୍ୱାସକୁ ଜିଣିବାର ପଣ। ନବବର୍ଷରେ ଶୁଭେଛା ଆଳରେ ପରସ୍ପରର ଗୋହି ଖୋଳିଛନ୍ତି ତିନି ପ୍ରମୁଖ ଦଳ। ବଡ଼ କଥା ହେଲା, ଆଗକୁ ଆସୁଥିବା ଆହ୍ୱାନକୁ କେମିତି ସଫଳତାର ସହ ମୁକାବିଲା କରାଯିବ। ଗୋଟିଏ ପଟେ କାହାର ଅସ୍ତିତ୍ୱ ସଙ୍କଟରେ ତ କିଏ ଆସ୍ଥାର ଖେଳରେ ଜିତିବାକୁ କରୁଛି ପ୍ରୟାସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now