ବିନା ମଙ୍ଗୁଆଳରେ ଚାଲିଛି ରାଜ୍ୟ କଂଗ୍ରେସ। ସେଥିଲାଗି ତ କଂଗ୍ରେସ ଇତିହାସରେ ପ୍ରଥମ ଥର ମଙ୍ଗୁଆଳଙ୍କ ଅନୁପସ୍ଥିତିରେ କଂଗ୍ରେସ ଭବନରେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। କଂଗ୍ରେସ ଦଳର ଖରାପ ପ୍ରଦର୍ଶନ ଲାଗି ସିନା ଅପମାନଜନକ ଭାବେ ଶରତ ସଭାପତି ପଦରୁ ବିଦା ହେଲେ। ହେଲେ ଏବେ ବି ପ୍ରଭାରୀ ଅଛନ୍ତି ଅଜୟ କୁମାର। ଆଉ ଅଜୟ କୁମାରଙ୍କ ନେତୃତ୍ୱରେ ୧୪ ଜଣିଆ ଷ୍ଟିଅରିଂ କମିଟିକୁ ନେଇ କୁହୁଳିଲାଣି ଅସନ୍ତୋଷ। ଏହି ଷ୍ଟିଅରିଂ କମିଟି ଦଳର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମ ତଦାରଖ ସହ ସମନ୍ୱୟ ରକ୍ଷା କରିବ। ତାଲିକାରେ କିନ୍ତୁ ଅନେକ ବରିଷ୍ଠ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ରାଉତ ପ୍ରମୁଖ ସ୍ଥାନ ପାଇଲେନି। କେଉଁ ଆଧାରରେ ଷ୍ଟିଅରିଂ କମିଟି ହେଲା, ତାକୁ ନେଇ ଅନେକ ଅଙ୍ଗୁଳି ଉଠାଇଛନ୍ତି। ସେପଟେ ପୂର୍ବତନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଦଳରୁ ଇସ୍ତଫା ଦେବା ହେଉ ଅବା କଂଗ୍ରେସ ଭବନରେ ବିଶ୍ୱରଞ୍ଜନ ମହାନ୍ତିଙ୍କୁ କାଳିମାଡ଼ ଘଟଣାର ପୁରୁଣା ଭିଡ଼ିଓ ଭାଇରାଲ ହେଉ। ଦଳରେ ନା ସ୍ଥାନ ଅଛି ନା ସମ୍ମାନ ଅଛି କହି ଦଳକୁ ବାଏ ବାଏ କରିଦେଲେ ବିଜୟ। ଏ ସବୁ ଗୋଟିଏ ଗୋଟିଏ ଅଧ୍ୟାୟ କଂଗ୍ରେସକୁ ସଜାଡ଼ୁଛି ନା ବିଗାଡ଼ୁଛି ବୋଲି ଚର୍ଚ୍ଚା ହେଉଛି। ବିଶ୍ୱରଞ୍ଜନ କହିଛନ୍ତି, ପୁରୁଣା ଭିଡ଼ିଓ ଭାଇରାଲ କରି ଦଳକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଥିବାଚକ୍ରାନ୍ତକାରୀ ସଫଳ ହେବେନି।
ସେପଟେ ମିଡିଆରେ କହିବାକୁ ବି ହାତଗଣତି ନେତାଙ୍କୁ ଦାୟିତ୍ୱ ଦେଇ ଅନ୍ୟମାନଙ୍କ ଉପରେ ବ୍ରେକ୍ କଷିଛି କଂଗ୍ରେସ। ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡ଼ାମ, ସନ୍ତୋଷ ସିଂ ସାଲୁଜା ଓ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପିସିସି କମିଟି ଗଠନ ନହେଲା ଯାଏ ଦଳ ପକ୍ଷରୁ କେବଳ ଏହି ୪ ଜଣ ପ୍ରତିକ୍ରିୟା ରଖିବେ। ବିପର୍ଯ୍ୟୟର ଅସଲ କାରଣ ଖୋଜିବାକୁ ଏଯାଏ ଦୁଇ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓଡ଼ିଶା ଆସିପାରିଲାନି। ଷ୍ଟିଅରିଂ କମିଟି କରି ଗୋଟିଏ ଗୋଷ୍ଠୀ ପୁରା ଦଳକୁ ନିୟନ୍ତ୍ରଣ କରିବ ବୋଲି ଚର୍ଚ୍ଚା ହେଉଛି। ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ଏକଦା ଦଳରୁ ବିଦା ହୋଇଥିବା ଶ୍ରୀକାନ୍ତ, ମୋକିମଙ୍କ ଭଳି ନେତାଙ୍କୁ ଷ୍ଟିଅରିଂ କମିଟିର ଅଗ୍ରଭାଗରେ ରଖାଯାଇଛି। ଯାହାଙ୍କ ଗ୍ରହଣୀୟତା ଅଛି, ସେମାନଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ କମିଟିରେ ଅଲୋଡ଼ାର ଅସନ୍ତୋଷ ନିଆଁ ଆଗକୁ ତେଜିବାର ଆଶଙ୍କା ରହିଛି।
୨୧ରେ ବସିବ ଷ୍ଟିଅରିଂ କମିଟି ବୈଠକ। ୨୦୧୯ ନିର୍ବାଚନରେ ଦଳ ୧୬ ପ୍ରତିଶତ ଭୋଟ ପାଇଥିଲା ବେଳେ ୨୦୨୪ରେ ଏହା ଖସି ୧୩ ପ୍ରତିଶତରେ ପହଞ୍ଚିଥିଲା। ଅବଶ୍ୟ ଆସନ ସଂଖ୍ୟା ୯ରୁ ୧୪କୁ ବୃଦ୍ଧି ପାଇଛି। ଆଗରୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ପଦକୁ ନେଇ ବିବାଦ ଉଠିଥିଲା ବେଳେ ବାହିନୀପତିଙ୍କୁ କାଟିବାକୁ ସପ୍ତଗିରି ଉଲ୍ଲାକାଙ୍କ ନେତୃତ୍ୱରେ ଖଡ଼ଗେଙ୍କୁ କିଛି ବିଧାୟକ ଭେଟିବା ପରେ କାଡାମଙ୍କୁ କରାଗଲା।
।
Naxatra News is now on Whatsapp
Join and get latest news update delivered to you via whatsapp
Join Now