ଚର୍ଚ୍ଚାରେ ୪ ରାଜ୍ୟପାଳ

ବିଭିନ୍ନ ରାଜ୍ୟର ନବନିଯୁକ୍ତ ରାଜ୍ୟପାଳ ଶପଥ ଗ୍ରହଣ କରିଛନ୍ତି। ବିହାର, କେରଳ ରାଜ୍ୟପାଳ ଆଜି ଶପଥ ନେଇଥିଲା ବେଳେ ଶୁକ୍ରବାର ଓଡ଼ିଶା ଓ ମଣିପୁର ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ନେବେ। ତେବେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ। ୨୬ ବର୍ଷ ପରେ ମୁସଲିମ୍ ରାଜ୍ୟପାଳ ପାଇଲା ବିହାର। ତଥା ବିହାରର ୪୨ତମ ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଛନ୍ତି ଆରିଫ୍। ଏହା ପୂର୍ବରୁ କେରଳ ରାଜ୍ୟପାଳ ଥିଲେ ଆରିଫ୍। ଆରିଫଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି କ୍ରିଷ୍ଣା ବିନୋଦ ଚନ୍ଦ୍ରନ ଶପଥ ପାଠ କରାଇଥିଲେ। ତେବେ ଶପଥ ନେବା ପୂର୍ବ ଦିନ ଅର୍ଥାତ ବୁଧବାର ରାବ୍ରୀ ନିବାସ ଯାଇ ରାବ୍ରୀ ଦେବୀଙ୍କ ଜନ୍ମଦିନରେ ଶୁଭେଛା ଜଣାଇବା ସହ ଲାଲୁଙ୍କ ପୁରା ପରିବାରକୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ ଆରିଫ୍। ଯଦିଓ ପ୍ରୋଟୋକଲ ଅନୁସାରେ ରାଜ୍ୟପାଳ ରାବ୍ରୀ ନିବାସ ଯିବା ଠିକ୍ ନଥିଲା। ଯେହେତୁ ରାଜ୍ୟପାଳ ଭାବେ ଶପଥ ନେଇନଥିଲେ, ସେଥିଲାଗି ଏହାକୁ ଗଣ୍ଠି କରିହେବନି। କେବଳ ଏତିକି ନୁହେଁ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ତାଙ୍କ ଗାଁ କଲ୍ୟାଣବିଘା ବି ଯାଇଥିଲେ। ନୀତିଶଙ୍କ ମାଆଙ୍କ ପୂଣ୍ୟତିଥିରେ ସାମିଲ୍ ହୋଇଥିଲେ। ଲାଲୁଙ୍କୁ ଭେଟିବା ପଛରେ ରହସ୍ୟ କଅଣ। ବିହାରରେ କିଛି ଖେଳ ଆରମ୍ଭ ହେବ କି।ଆରିଫ୍ କହିଛନ୍ତି, ବିହାରର ଗୌରବଶାଳୀ ଇତିହାସ ରହିଛି। ବିକାଶ କରିବାକୁ ବିହାରବାସୀଙ୍କ ବେଶ୍ କ୍ଷମତା ରହିଛି। ବିହାର ପୁରା ଦେଶର ବ୍ୟବସ୍ଥା ଚଳାଉଛି। ଲାଲୁଙ୍କ ପରିବାର ସହ ବହୁ ପୂର୍ବରୁ ତାଙ୍କର ଘନିଷ୍ଠତା ରହିଛି। ସବୁ କଥାରେ ରାଜନୀତି ଦେଖନ୍ତୁନି ବୋଲି ଅପିଲ୍ କରିଛନ୍ତି ଆରିଫ୍।

ସେପଟେ ବିହାର ରାଜ୍ୟପାଳ ଥିବା ରାଜେନ୍ଦ୍ର ଆର୍ଲେକରଙ୍କୁ କେରଳ ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି। କେରଳର ୨୩ତମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ରାଜେନ୍ଦ୍ର ଆର୍ଲେକର। କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ନିତିନ ଜାମଦାର ତାଙ୍କୁ ଶପଥ ପାଠ କରାଇଛନ୍ତି। କେରଳର ନବନିଯୁକ୍ତ ରାଜ୍ୟପାଳ ସାମ୍ୱିଧାନିକ ରୂପରେ କାମ କରିବେ ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବେ ବୋଲି ଆଶାବାଦୀ ଅଛନ୍ତି ପିନାରାୟୀ ବିଜୟନ ସରକାର। ପୂର୍ବତନ ରାଜ୍ୟପାଳ ଆରିଫ୍ ଖାନଙ୍କ ସହ କେରଳ ସରକାରଙ୍କ ଅପଡ଼ର ଅଧ୍ୟାୟ ଚରମସୀମା ଡେଇଁଥିଲା। ସଂଘ ପରିବାରର ଏଜେଣ୍ଡାକୁ ଚରିତାର୍ଥ ଲାଗି ଆରିଫ୍ ଅସାମ୍ୱିଧାନିକ କାମ କରୁଥିଲେ ବୋଲି ଆରୋପ ଲଦିଥିଲେ କେରଳ ସରକାର। ସ୍ଥିତି ଏମିତି ହେଲା ଯେ, ସୁପ୍ରିମକୋର୍ଟ ବି ରାଜ୍ୟପାଳଙ୍କ ସାମ୍ୱିଧାନିକ ଦାୟିତ୍ୱ ନେଇ ତାଗିଦ୍ କରିବାକୁ ପଛାଇନଥିଲେ।

ସେପଟେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ହରି ବାବୁ କମ୍ଭମପତି ଗୁରୁବାର ଓଡ଼ିଶାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ। ଏଠାରେ କିଛି ଲୋକଙ୍କୁ ସାକ୍ଷାତ କରିଥିଲେ ନବନିଯୁକ୍ତ ରାଜ୍ୟପାଳ। ଏହା ପରେ ସିଧା ପୁରୀ ଯାଇଛନ୍ତି। ପୁରୀ ରାଜଭବନରେ ରାତ୍ରୀଯାପନ କରି ଶୁକ୍ରବାର ସକାଳେ ମହାପ୍ରଭୂଙ୍କୁ ଦର୍ଶନ କରିବେ। ଦର୍ଶନ କରି ଫେରିବା ପରେ ଶପଥ ନେବେ। ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ। ଶୁକ୍ରବାର ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ହରିବାବୁ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ତାଙ୍କୁ ଶପଥପାଠ କରାଇବେ। ଓଡିଶାର ରାଜ୍ୟପାଳ ଥିବା ରଘୁବର ଦାସଙ୍କ ଇସ୍ତଫା ତୁରନ୍ତ ଗ୍ରହଣ କରି ତାଙ୍କ ଜାଗାରେ ହରିବାବୁଙ୍କୁ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରଘୁବର ଦାସ ଅନେକ ବିବାଦରେ ଛନ୍ଦି ହୋଇଥିଲେ। ଏଏସଓଙ୍କୁ ପୁଅର ମାଡ଼ ଘଟଣାରୁ ନେଇ ଝାଡ଼ଖଣ୍ଡ ନିର୍ବାଚନ ଲାଗି ରାଜଭବନକୁ ଓ୍ୱାରରୁମରେ ପରିଣତ ଆଦି ଆରୋପରେ ଛନ୍ଦି ହୋଇଥିଲେ ରଘୁବର।

ମଣିପୁର ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଅଜୟ ମଣିପୁର ରାଜ୍ୟପାଳ ଭାବେ ୩ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ। ମଣିପୁରରେ କୁକି-ମୈତେୟୀ ସମ୍ପ୍ରଦାୟ ଭିତରେ ଜାତିଗତ ହିଂସାକୁ ନେଇ ତିକ୍ତତା ଜାରି ଭିତରେ ରାଜ୍ୟପାଳଙ୍କ ଭୂମିକା ବେଶ୍ ଗୁରୁତ୍ୱବହନ କରୁଛି। ମେ ୩, ୨୦୨୩ରେ ମଣିପୁର ହିଂସା ଆରମ୍ଭ ବେଳେ କେନ୍ଦ୍ରର ଗୃହ ସଚିବ ଥିଲେ ଅଜୟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *