ରାଜ୍ୟ ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିଛନ୍ତି ଜଣେ ସଚିବ : ଅପରାଜିତା ଷଡଙ୍ଗୀ

Spread the love

ଭୁବନେଶ୍ୱର : ଜଣେ ସଚିବସ୍ତରର ଅଧିକାରୀ ରାଜ୍ୟର ଶାସନ ବ୍ୟବସ୍ଥାକୁ ହାଇଜାକ୍ କରି ନେଇଛନ୍ତି । ଓଡ଼ିଶାରେ ଏଭଳି ବିଚିତ୍ର ଶାସନ ବ୍ୟବସ୍ଥାକୁ ନେଇ ଅନ୍ୟ ରାଜ୍ୟରେ ବି ଲୋକେ କଥା ହେଲେଣି । ବିଜେଡିର ନେତା,ମନ୍ତ୍ରୀ,ବିଧାୟକ,ସାଂସଦ ସବୁ ଏବେ କାହା ଦାସତ୍ୱ ସ୍ୱୀକାର କରିଛନ୍ତି ଫ ସେମାନଙ୍କୁ ଏହି ଦାସତ୍ୱ ସ୍ୱୀକାର କରିବା ପାଇଁ କାହିଁକି ବାଧ୍ୟ କରାଯାଇଛି ବୋଲି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।

ଶନିବାର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ନାଁ ନନେଇ ତାଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । ରାଜ୍ୟରେ ଏବେ ଯେଉଁ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି ସେଥିପାଇଁ ବାହାର ରାଜ୍ୟର ଲୋକମାନେ ଆମ ଉପରେ ହସୁଛନ୍ତି । ଏହି ସଚିବସ୍ତରୀୟ ଅଧିକାରୀ ହେଲିକପ୍ଟରରେ ଜିଲ୍ଲା ବୁଲିବାକୁ କିଏ ଅନୁମତି ଦେଇଛି, ଟଙ୍କା କେଉଁଠୁ ଆସୁଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଦାସତ୍ୱ ଏତେମାତ୍ରାରେ ରହିଛି ଯେ ଏହି ନିମ୍ନ ପଦସ୍ଥ ଅଧିକାରୀ ଜିଲ୍ଲା ଗସ୍ତରେ ଯିବାର ୨/୩ଦିନ ପୂର୍ବରୁୁ ମନ୍ତ୍ରୀ ଓ ବିଧାୟକମାନେ ସେଠାକୁ ଯାଇ ବ୍ୟବସ୍ଥା କରୁଛନ୍ତି । ସମ୍ପୃକ୍ତ ଅଧିକାରୀ ପବ୍ଲିକ ମିଟିଂରେ ଯୋଗ ଦେବାବେଳେ କୌଣସି ଲୋକ ପ୍ରତିନିଧିଙ୍କୁ ମଂଚରେ ଦେଖିବାକୁ ମିଳୁନି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ବୁଲୁଛନ୍ତି ବୋଲି ଲୋକଙ୍କୁ କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କିଭଳି ଜଣେ ନିମ୍ନପଦସ୍ଥ ସରକାରୀ କର୍ମଚାରୀ ଯିଏକି ସଚିବସ୍ତରରେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଏଭଳି ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିବାକୁ ଅନୁମତି ଦେଲେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।

ଅପରପକ୍ଷରେ ଶ୍ରୀମତୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି ଯେ ସମ୍ପୃକ୍ତ ଅଧିକାରୀ ଅଲଇଣ୍ଡିଆ ସର୍ଭିସ ରୁଲସକୁ ଉଲ୍ଲଘଂନ କରୁଛନ୍ତି । ନିୟମ ଅନୁଯାୟୀ କୌଣସି ସର୍ବଭାରତୀୟ ସେବା ଅଧିକାରୀ ପବ୍ଲିକ ମିଟିଂରେ ଯୋଗ ଦେଇପାରିବେ ନାହିଁ କିମ୍ବା ସର୍ବସାଧାରଣରେ ପ୍ରଶଂସା ସାଉଁଟିପାରିିବେ ନାହିଁ । ସେହିପରି ସର୍ଭିସ ରୁଲସ ୫(୧)ରେ ମଧ୍ୟ ଏସବୁ ପାଇଁ ବାରଣ ରହିଛି ।ତଥାପି ସମ୍ପୃକ୍ତ ସଚିବ ଯୁଆଡ଼େ ଯାଉଛନ୍ତି, ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି । ତାଙ୍କ ଉପରେ ଫୁଲ ପକାଯିବା, ପାଦ ଧୋଇବା ଫଟୋ ଆସୁଛି । ସରକାରୀ ଚାକିରି କରିବ, ସରକାରଙ୍କଠୁ ଦରମା ନେଇ ରାଜନୀତି କରିବ । ଯଦି ରାଜନୀତି କରିବାକୁ ଇଚ୍ଛା, ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ଅଲଇଣ୍ଡିଆ ସର୍ଭିସ ରୁଲସର ଉଲ୍ଲଘଂନ ହେଉଛି କି ନାହିଁ, ସଚିବସ୍ତରର ଅଫିସରଙ୍କୁ କିଏ ହେଲିକପ୍ଟର ଦେଇ ଜିଲ୍ଲାକୁ ପଠାଉଛି, ତାଙ୍କ ପାଇଁ କାହିଁକି ଜିଲ୍ଲାସ୍ତରରେ ପ୍ରାୟୋଜିତ ପବ୍ଲିକ ମିଟିଂ ହେଉଛି, କିଏ ସେସବୁ ପଇସା ଖର୍ଚ୍ଚ କରୁଛି । ତାଙ୍କୁ ସମ୍ବର୍ଦ୍ଧନା କିଏ ଦେଉଛି? ଜିଲ୍ଲାସ୍ତରରେ କ’ଣ ଏଭଳି ସମ୍ବର୍ଦ୍ଧନା ଓ ସଭାର ଆୟୋଜନ ମୁଖ୍ୟସଚିବଙ୍କ ପାଇଁ ହେଉଛି କି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *