ଆନନ୍ଦ ଛାଡିଲେ କଂଗ୍ରେସ ନିର୍ବାଚନ ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ: କଂଗ୍ରେସ ଆଗାମୀ ୨୦୨୪ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ହିମାଚଳ ପ୍ରଦେଶରୁ କଂଗ୍ରେସକୁ ମିଳିଛି ଝଟକା। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଦଳର ନିର୍ବାଚନ ସଂଚାଳନ ସମିତିର ଅଧ୍ୟକ୍ଷ ପଦରୁ ଦେଇଛନ୍ତି ଇସ୍ତଫା।

ହିମାଚଳ ପ୍ରଦେଶ ନିର୍ବାଚନ ସଂଚାଳନ ସମିତିର ଅଧ୍ୟକ୍ଷ ପଦରୁ ନିଜ ଇସ୍ତଫା ଦେଇଛନ୍ତି ଆନନ୍ଦ ଶର୍ମା।  ସେ ତାଙ୍କ ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି। ପତ୍ର ସୋନିଆଙ୍କୁ ଦେବା ପରେ ଟ୍ବିଟ କରି ଶର୍ମା କହିଛନ୍ତି କି, ହିମାଚଳ ପ୍ରଦେଶ ନିର୍ବାଚନ ସଂଚାଳନ ସମିତିର ଅଧ୍ୟକ୍ଷ ପଦରୁ ମନସ୍ତାପ ମଧ୍ୟରେ ଇସ୍ତଫା ଦେଉଛୁ।

ସେ ଆହୁରି କହିଛନ୍ତି, ସ୍ବାଭିମାନୀ ହେବା କାରଣରୁ ବାରମ୍ବାର ବହିଷ୍କାର ଓ ଅପମାନକୁ ଦେଖିବା ପରେ ଇସ୍ତଫା ଭିନ୍ନ ଅନ୍ୟ କୌଣସି ବିକଳ୍ପ ମୋ ନିକଟରେ ନାହିଁ। ସେ ନିଜ ଟ୍ବିଟରେ ଆହୁରି କହିଛନ୍ତି କି, ଆଜୀବନ କଂଗ୍ରେସର ରହିଛି ଓ ଏହି ବିଶ୍ବାସରେ କାୟମ ରହିବି। କଂଗ୍ରେସର ବିଚାରଧାର ରକ୍ତହୋଇ ଶରୀରରେ ଦୌଡୁଛି ଓ ଏହାକୁ ନେଇ କୌଣସି ସନ୍ଦେହ ନାହିଁ।

ଶର୍ମା ସୋନିଆଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ମଧ୍ୟ ଅପମାନ ଓ ବହିଷ୍କାରର ଉଲ୍ଲେଖ କରିଛନ୍ତି। ବିଭିନ୍ନ ବୈଠକକୁ ତାଙ୍କୁ ଡକା ନ ଯିବା ସହ ବହୁ ପ୍ରସଙ୍ଗର ମଧ୍ୟ ଉଲ୍ଲେଖ କରିଛନ୍ତି।

ତେବେ କିଛି ଦିନ ପୂର୍ବରୁ ଜମ୍ମୁ କାଶ୍ମୀର କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଜମ୍ମୁ ନିର୍ବାଚନ ସଂଚାଳନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ବେଳେ ଏବେ ହିମାଚଳ ପ୍ରଦେଶର ଏହି ପଦରୁ ଶର୍ମା ଦେଇଛନ୍ତି ଇସ୍ତଫା। ଉଭୟ ନେତା କଂଗ୍ରେସର ଜି ୨୩ ଗୋଷ୍ଠୀର ରହିଛନ୍ତି, ଯେଉଁମାନେ  ଦଳରେ ଅନ୍ତରୀଣ ଲୋକତନ୍ତ୍ର ମଧ୍ୟରେ ନିର୍ବାଚନ ପାଇଁ ଦାବି କରିଆସୁଛନ୍ତି, ଏହାକୁ ନେଇ ଦଳ ଏହି ନେତାମାନଙ୍କୁ ଉପେକ୍ଷା କରିଆସୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *