ଆସାମରେ ଇସ୍ତଫାକୁ ନେଇ ହାଇ ଭୋଲଟେଜ ଡ୍ରାମା। ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସରେ ୩୨ ବର୍ଷ ହେଲା ଥିବା ବରିଷ୍ଠ ନେତା ଭୁପେନ ବୋରା ଆଜି ସକାଳେ ଦଳରୁ ଇସ୍ତଫା ଦେଇଥିଲେ। ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଏବେ ଅଛନ୍ତି ଭୁପେନ। ଆତ୍ମସମ୍ମାନ ପାଇଁ ଦଳରୁ ଇସ୍ତଫା ଦେଲି ବୋଲି କହିଥିଲେ ଭୁପେନ। ସେ ତାଙ୍କର ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ। ଦଳରୁ ସିନା ଇସ୍ତଫା ଦେଇଛନ୍ତି, କିନ୍ତୁ ରାଜନୀତିରୁ ନୁହେଁ ବୋଲି କହିଛନ୍ତି ଭୁପେନ। ଦୁଇ ଥରର ବିଧାୟକ ସେ। ଆସାମ ନିର୍ବାଚନ ପୂର୍ବରୁ ଭୁପେନଙ୍କ ଏଭଳି ଇସ୍ତଫା ସବୁଠି ହଇଚଇ ଖେଳାଇ ଦେଇଥିଲା। ବିଶେଷ କରି କଂଗ୍ରେସ ଶିବିରରେ ହଲଚଲ ସୃଷ୍ଟି କରିଥିଲା। ଆଇ ଇସ୍ତଫା ଖବର ଶୁଣିବା ମାତ୍ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କୁ ଦଳକୁ ସ୍ୱାଗତ କରିବାକୁ ଯେମିତି ଗୋଡ଼ ଟେକି ବସିଥିଲେ। ଆଉ ଭୁପେନଙ୍କୁ କଂଗ୍ରେସର ଶେଷ ହିନ୍ଦୁ ନେତା ବୋଲି କହି ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଭୁପେନ ବିଜେପିରେ ସାମିଲ୍ ହୋଇପାରନ୍ତି ବୋଲି ସଙ୍କେତ ବି ଦେଇଥିଲେ ହିମନ୍ତ। ଭୁପେନଙ୍କ ଇସ୍ତଫା ଅପ୍ରତ୍ୟାଶିତ ନଥିଲା। ଯେବେ ତାଙ୍କୁ ପିସିସି ସଭାପତି ପଦରୁ ହଟାଗଲା, ସେବେଠୁ ଦଳରେ ଭୁପେନଙ୍କ ସ୍ଥିତି ଦୁର୍ବଳ ବୋଲି ଜଣାପଡ଼ୁଥିଲା ବୋଲି କହିଛନ୍ତି ହିମନ୍ତ। ଏପରିକି ଭୁପେନ ଯଦି ବିଜେପିରେ ସାମିଲ୍ ହେବେ, ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକଟ ମିଳିପାରେ ବୋଲି କହିଛନ୍ତି ହିମନ୍ତ। କଂଗ୍ରେସରେ ତୁଷ୍ଟିକରଣ ରାଜନୀତି ପାଇଁ କୌଣସି ବ୍ୟକ୍ତିକୁ ଆଗକୁ ବଢ଼ିବାକୁ ଦିଆଯାଏନା। ଅଗଷ୍ଟ ୨୦୨୧ରେ ଭୁପେନଙ୍କୁ ପିସିସି ସଭାପତି ଦାୟିତ୍ୱ ଦେଇଥିଲେ ହାଇକମାଣ୍ଡ। ସେତେବେଳେ ବିଜେପି ଦ୍ୱିତୀୟ ଥର ବିଧାନସଭା ନିର୍ବାଚନ ଜିତିଥିଲା। ପରେ ମେ ୨୦୨୪ରେ ତାଙ୍କୁ ହଟାଇ ଲୋକସଭା ସାଂସଦ ଗୌରବ ଗୋଗୋଇଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି କରାଯାଇଛି। ଆସାମରେ ଆସନ୍ତା ମାର୍ଚ୍ଚ-ଏପ୍ରିଲ ଭିତରେ ବିଧାନସଭା ନିର୍ବାଚନ ହୋଇପାରେ। ଏଭଳି ସମୟରେ ଭୁପେନଙ୍କ ଇସ୍ତଫା ପାର୍ଟିକୁ ଝଟକା ଦେଇଥିଲା। ସକାଳ ୮ଟାରେ ଇସ୍ତଫା ଦେଇଥିବା ଭୁପେନଙ୍କୁ ମନାଇବାକୁ ତାଙ୍କ ଘରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା। ପିସିସି ସଭାପତି ତଥା ସାଂସଦ ଗୌରବ ଗୋଗୋଇଙ୍କ ସହ ବରିଷ୍ଠ ନେତା ଭୁପେନଙ୍କ ମାନଭଞ୍ଜନ ଲାଗି ଲାଗିପଡ଼ିଥିଲେ। ଆଉ ଶେଷରେ ଭୁପେନଙ୍କୁ ମନାଇବାରେ ସଫଳ ହୋଇଛନ୍ତି। ଆସାମ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି, ଭୁପେନ ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି। କିଛି ମତଭେଦରୁ ଏଭଳି ନିଷ୍ପତ୍ତି ନେଇଥିଲେ ଭୁପେନ। ଭୁପେନଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନି ଦଳ। ରାହୁଲଙ୍କ ସହ ସେ ୧୫ ମିନିଟ୍ କଥାବାର୍ତ୍ତା କରିଥିଲେ। ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ଥିଲା। ସମସ୍ତଙ୍କ ସହ ବସି ଭୁପେନଙ୍କ ମନରେ ଥିବା ଅସନ୍ତୋଷକୁ ଦୂର କରାଯାଇଛି। କ୍ୟାମ୍ପେନ କମିଟିର ଅଧ୍ୟକ୍ଷ ଥିବାରୁ ଭୁପେନଙ୍କ ନେତୃତ୍ୱରେ ଆସାମର ଭ୍ରଷ୍ଟ ବିଜେପି ସରକାର ବିରୁଦ୍ଧରେ ଦଳ ଲଢ଼ିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now