ସରିଲା ପ୍ରଚାର- ୬ରେ ବିହାର ପ୍ରଥମ ପର୍ଯ୍ୟାୟ ଭୋଟ୍

ଆଜି ପ୍ରଥମ ପର୍ଯ୍ୟାୟ ବିହାର ନିର୍ବାଚନ ପାଇଁ ସରିଛି ପ୍ରଚାର। ପ୍ରଚାରର ଥିଲା ଶେଷ ଦିନ। ୧୮ ଜିଲ୍ଲାର ୧୨୧ ଆସନରେ ୬ ତାରିଖରେ ପଡ଼ିବ ଭୋଟ୍। ଏଥିଲାଗି ଆଜି ସଂଧ୍ୟା ୫ଟାରେ ପ୍ରଚାର ସରିଛି। ଏହି ପର୍ଯ୍ୟାୟରେ ମୋଟ୍ ୩କୋଟି ୭୫ଲକ୍ଷ ୧୩ହଜାର ୩୦୨ ମତାଦାତା ମତସାବ୍ୟସ୍ତ କରିବେ। ପ୍ରଥମ ପର୍ଯ୍ୟାୟରେ ୧୩୧୪ ଆଶାୟୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ମହାଗଠବନ୍ଧନ ସିଏମ ଚେହେରା ତେଜସ୍ୱୀ ଯାଦବ ଆଜି ବଡ଼ ଘୋଷଣା କରିଛନ୍ତି। ଜାନୁଆରୀ ୧୪ରେ ମହିଳା ସମ୍ମାନ ଯୋଜନାରେ ୩୦ହଜାର ଟଙ୍କା ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ଯିବ। ସମସ୍ତ ସରକାରୀ କର୍ମଚାରୀଙ୍କୁ ହୋମ୍ କ୍ୟାଡ଼ରରୁ ୭୦ କିଲୋମିଟର ଭିତରେ ହିଁ ଟ୍ରାନ୍ସଫର ପୋଷ୍ଟିଂ କରିବାକୁ ପ୍ରତିଶୃତି ଦେଇଛନ୍ତି। ଚାଷୀଙ୍କୁ ଏମଏସପି ଉପରେ ମିଳିବ ବୋନସ। ତେଜସ୍ୱୀ ଆଜି ଡଜନରୁ ଅଧିକ ରାଲିରେ ସାମିଲ୍ ହୋଇଛନ୍ତି। ସେପଟେ ଆଜି ରାହୁଲ ଗାନ୍ଧୀ ବିହାରର ଔରଙ୍ଗାବାଦ, କୁଟୁମ୍ୱା ଓ ବଜିରଗଞ୍ଜ ଜନସଭାକୁ ସମ୍ୱୋଧିତ କରିଛନ୍ତି। ରାହୁଲ କହିଛନ୍ତି, ବିହାରରେ ନୀତିଶ ସରକାର ଚାଲୁନି। ମୋଦି-ଶାହା ଟିଭି ଚ୍ୟାନେଲ୍ ଭଳି ନୀତିଶଙ୍କ ରିମୋଟ୍ ବଦଳାନ୍ତି। ସେଭଳି ନୀତିଶଙ୍କ ଚାନେଲ ବଦଳାଇ ଯାହା ଚାହାନ୍ତି, ସେମାନେ କରନ୍ତି। ମୋଦି ଓ ଶାହା ଯୋଡ଼ି ଜାଣନ୍ତି, ବିହାରରେ ସେମାନେ ଜିତିପାରିବେନି। କେବଳ ଭୋଟ ଚୋରୀ କରି ଜିତିପାରିବେ। କିନ୍ତୁ ବିହାରର ଜନତା ହୁସିଆର୍ ହୋଇଗଲେଣି। ଏନଡିଏ କହିଛି, ମୋଦିଙ୍କ ପ୍ରତି ଭରସା ଓ ନୀତିଶଙ୍କ ନେତୃତ୍ୱରେ ବିହାରରେ ବିକାଶର ଲହରି ଖେଳୁଛି। ବିହାରରେ ଜଙ୍ଗଲରାଜ ଆଉ ଥରେ ଆସିବନି। ପ୍ରଚାରର ଶେଷ ଦିନରେ ଅମିତ ଶାହା, ରାଜନାଥ ସିଂ ଓ ଯୋଗୀ ଆଦିତ୍ୟନାଥ ଆଜି ନିର୍ବାଚନ ପ୍ରଚାର କରିଛନ୍ତି। ରାଧୋପୁର, ଫତୁହା, ସିମରି ଓ ତାରାପୁର ବିଧାନସଭା କ୍ଷେତ୍ରରେ ରାଜନାଥ ପ୍ରଚାର କରିଥିଲା ବେଳେ ଜେପି ନଡ୍ଡା ଗୟାରେ ରୋଡ୍ ସୋ ସହ ସଭା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୫ ଘଣ୍ଟାରେ କୋସିରୁ ପାଟନା ଯାଏ ୯ ଆସନରେ ୫ଟି ସଭା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବଡ଼ହିୟାରେ ନିର୍ବାଚନୀ ସଭାକୁ ସମ୍ୱୋଧିତ କରିଛନ୍ତି। ଶାହା କହିଛନ୍ତି, ବିହାର ୧୫ ବର୍ଷ ହେଲା ଲାଲୁ-ରାବ୍ରୀ ଜଙ୍ଗଲରାଜର ଶୀକାର ହୋଇଛି। ଏବେ ମହାମେଣ୍ଟ ନାଁରେ ଜଙ୍ଗଲରାଜ ଚେହେରା ଓ ବେଶ ବଦଳାଇ ଚୁପଚାପ୍ ଶାସନ କ୍ଷମତାକୁ ଆସିବାକୁ ଚାହୁଁଛି। ଜନସୁରାଜ ଦଳର ସୁପ୍ରିମୋ ପ୍ରଶାନ୍ତ କିଶୋର ଜୟ ବିହାର ସ୍ଲୋଗାନ ଦେଇ କହିଛନ୍ତି, ବିହାର ଭୋଟର ତାଙ୍କ ବାଟରେ ଚାଲନ୍ତୁ। ସେ ତାଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହୁନାହାନ୍ତି। କିନ୍ତୁ ଭୋଟ୍ ଦେବା ବେଳେ ଯେଉଁ ମାର୍ଗ ଆପଣାଇବାକୁ କହିଛନ୍ତି, ସେମିତି ହେଲେ ବିହାରର ସ୍ଥିତି ପରିବର୍ତ୍ତନ ହୋଇପାରିବ। ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ଲଲନ ସିଂ ନିର୍ବାଚନ ପ୍ରଚାରବେଳେ ଏନଡିଏ କର୍ମୀଙ୍କୁ କହିଛନ୍ତି, ନିର୍ବାଚନ ଦିନ ବିରୋଧୀଙ୍କୁ ସେମାନଙ୍କ ଘରେ ବନ୍ଦ କରିଦିଅନ୍ତୁ। ପପୁ ଯାଦବ କହିଛନ୍ତି, ଅମିତ ଶାହା କଅଣ ଜ୍ୟୋତିଷ କି। ଭବିଷ୍ୟତ କହୁଥିବା ଶାହା ଆଗ ୧୬ ବର୍ଷ ଧରି ବିହାରରେ କଅଣ କରିଛ, ହିସାବ ଦିଅ। ନଭେମ୍ୱର ୬ରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ୍। ଧୂଆଁଧାର ପ୍ରଚାର ସରିଲା ପରେ ଏବେ ଭୋଟରଙ୍କ ମୁଡ୍ କୁଆଡ଼କୁ ମୁହାଁଇବ। ତା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *