ବିହାର ଭୋଟ୍- ଭୋଟରଙ୍କ ମୁଡ୍

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପଡ଼ିଛି। ଏଥିଲାଗି ମତଦାତାଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ବିଭିନ୍ନ ବୁଥ ଆଗରେ ଭୋଟରଙ୍କ ଲମ୍ୱାଲାଇନ୍ ଲାଗିଥିଲା। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ପ୍ରଥମ ପର୍ଯ୍ୟାୟରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ, ୨ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା, ବିଜେପିର ମୈଥିଲୀ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକୃପାଳ ଯାଦବଙ୍କ ସମେତ ଅନେକ ହେଭିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ବିହାରର ବିକାଶ ଲାଗି ଏହି ପର୍ବରେ ଅଧିକରୁ ଅଧିକ ମତଦାତା ଭାଗ ନେଇ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ, ଅମିତ ଶାହା, ନୀତିଶ କୁମାର, ରାହୁଲ ଗାନ୍ଧୀ, ତେଜସ୍ୱୀଙ୍କ ସମେତ ଅନେକ ତୁଙ୍ଗ ନେତା। ଆଗ ମତଦାନ, ପରେ ଜଳପାନ ବୋଲି ମନେ ପକାଇଦେଇଛନ୍ତି ମୋଦି। ବୋଲି ବିଭିନ୍ନ ଦଳ ଅପିଲ୍ କରିଛନ୍ତି। ଲାଲୁ, ରାବ୍ରୀ ଓ ତାଙ୍କ ପରିବାର ମତସାବ୍ୟସ୍ତ କରିଛନ୍ତି। ଲାଲୁ କହିଛନ୍ତି, ଏଥର ବିହାରରେ ପରିବର୍ତ୍ତନର ଲହର ବୋହୁଛି। ଏଥର ପରିବର୍ତ୍ତନ ଥୟ। ରାବ୍ରୀ ଦେବୀ କହିଛନ୍ତି, ବିହାରବାସୀ ନିଜ ଅଧିକାରରୁ ନିଜକୁ ବଞ୍ଚିତ କରନ୍ତୁନି। ତେଜସ୍ୱୀ ଓ ତେଜ୍ ପ୍ରଚାପଙ୍କୁ ଆଶୀର୍ବାଦ ଦେଇ ସେମାନଙ୍କ ବିଜୟ ଲାଗି କାମନା କରିଛନ୍ତି ରାବ୍ରୀ। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ କହିଛନ୍ତି, ବିହାରର ବର୍ତ୍ତମାନ ଓ  ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଜନତା ନିଜର ମତସାବ୍ୟସ୍ତ କରନ୍ତୁ। ଜନଶକ୍ତି ଜନତା ଦଳ ସଭାପତି ତେଜପ୍ରତାପ କହିଛନ୍ତି, ଅଭିଭାବକଙ୍କ ଆଶୀର୍ବାଦ ଓ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ଅଲଗା ଅଲଗା କଥା। ପ୍ରତିଟି ଭୋଟ୍ ମୂଲ୍ୟବାନ। ଭୋଟରେ ଜନତା ହିଁ ଅସଲ ମାଲିକ। ମହାଗଠବନ୍ଧନ ଉପ-ମୁଖ୍ୟମନ୍ତ୍ରୀ ଚେହେରା ତଥା ଭିଆଇପି ମୁଖ୍ୟ ମୁକେଶ ସହନୀ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଞ୍ଜୁସିହ୍ନା ପ୍ରୋଜେକ୍ଟ ସ୍କୁଲରେ ନିଜର ମତଦାନ କରିଛନ୍ତି। ଏଥର ଏନଡିଏ ପୁଣି ଶାସନ କ୍ଷମତାକୁ ଫେରିବ, ସେ ନେଇ ସେ ନିଶ୍ଚିତ ବୋଲି କହିଛନ୍ତି ନୀତିଶ। ବିହାର ଉପ-ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଲକିସରାଇରୁ ପ୍ରାର୍ଥୀ ହୋଇଥିବା ବେଳେ ଆଜି ନିଜର ମତସାବ୍ୟସ୍ତ କରିଛନ୍ତି। ଲୋକତନ୍ତ୍ରର ମହାପର୍ବରେ ପ୍ରତି ବିହାରୀ କେବଳ ସରକାର ଗଠନ ଲାଗି ଭୋଟ ଦେଉନାହାନ୍ତି। ବରଂ ବିକଶିତ ବିହାର ଲାଗି ଭୋଟ ଜରୁରୀ। ବିଜୟ ସିହ୍ନା କହିଛନ୍ତି, ଜଙ୍ଗଲରାଜ, ଅରାଜକତାରୁ ବିହାରକୁ ଦୂରେଇ ରଖିବାକୁ ହେଲେ ଭାଗିଦାରୀ ଅଧିକ ଜରୁରୀ। ବିହାର ଓ ବିହାରୀଙ୍କୁ ବଦନାମ କରୁଥିବା ତତ୍ତ୍ୱ ଓ ଶକ୍ତିକୁ ପ୍ରତିହତ କରିବାକୁ ପଡ଼ିବ। ବିହାରରେ ବିକାଶର ଗତି ଯେଭଳି ଜାରି ରହିଛି, ଏହାକୁ ଆଗକୁ ନେବାକୁ ପଡ଼ିବ। ଚିରାଗ ପାଶଓ୍ୱାନ କହିଛନ୍ତି, ଯାହା ସପକ୍ଷରେ ଭୋଟର ବି ଭୋଟ ଦେଉଛନ୍ତି, ସେମାନଙ୍କ ନୀତି ଓ ନେତୃତ୍ୱକୁ ଆଗ ପରଖନ୍ତୁ। ତା ପରେ ବିଶ୍ୱାସ ରଖି ବଟନ୍ ଟିପନ୍ତୁ। କେନ୍ଦ୍ରମନ୍ତ୍ରୀ ଲଲନ ସିଂ କହିଛନ୍ତି, ଅନେକ ଆକଳନ ହେଉଛି ସତ। କିନ୍ତୁ ବିହାରବାସୀଙ୍କ ମୁଡ୍ କଅଣ, ତାହା ଖୁବ ଶୀଘ୍ର ଜଣାପଡ଼ିଯିବ। ସିପିଆଇ କହିଛି, ବିହାରବାସୀ ବୁଝିଲେଣି। ଏଥର ମହାଗଠବନ୍ଧନକୁ ଜିତାଇ ଶାସନ କ୍ଷମତାର ଡୋରି ଧରାଇବେ ବୋଲି କହିଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା। ଜନସୁରାଜ ଦଳର ସୁପ୍ରିମୋ ପ୍ରଶାନ୍ତ କିଶୋର କହିଛନ୍ତି, ବିହାରବାସୀ ବିକଳ୍ପ ପାଉନାହାନ୍ତି ବୋଲି ବାଧ୍ୟ ହୋଇ ନୀତିଶଙ୍କୁ ଭୋଟ ଦେଉଛନ୍ତି। ଲାଲୁ-ରାବ୍ରୀଙ୍କ ଜଙ୍ଗଲରାଜର ଶାସନରେ ଅତିଷ୍ଠ ଥିଲେ ବିହାରବାସୀ। ମୋଦି-ନୀତିଶଙ୍କ ଯୋଡ଼ି ବିହାରର ଦାଦନ ଶ୍ରମିକ, ଭ୍ରଷ୍ଟାଚାରକୁ ରୋକିବାରେ ସକ୍ଷମ ହେଲେନି। ଯଦି ଭୋଟର ଏଥର ଭୁଲ୍ କରିବେ, ତାହେଲେ ଆସନ୍ତା ୫ ବର୍ଷ ଏମିତି ଭୋଗିବେ। ପ୍ରଚଳିତ ବ୍ୟବସ୍ଥାକୁ ହଟାନ୍ତୁ ଭୋଟର। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି। ବିହାର ଜନତାଙ୍କ ମୁଡ୍ କାହା ସପକ୍ଷରେ ଯାଇଛି। ତାହା ଇଭିଏମରେ କଏଦ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *