ବିହାର ନିର୍ବାଚନ ଲାଗି ବାଜିଲା ବିଧିବଦ୍ଧ ବିଗୁଲ୍। ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ୨ଟି ପର୍ଯ୍ୟାୟରେ ହେବ ନିର୍ବାଚନ। ନଭେମ୍ୱର ୬ରେ ପ୍ରଥମ ପର୍ଯ୍ୟାୟ ଓ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଆଜିଠୁ ବିହାରରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ୯୦ହଜାର ୭୧୨ ବୁଥରେ ଏଥର ଭୋଟ୍ ଦେବେ ୭ କୋଟି ୪୩ ଲକ୍ଷ ଭୋଟର। ବିହାର ବିଧାନସଭାର ୨୪୩ ଆସନ ଲାଗି ହେବ ଭୋଟିଂ। ଅନୁସୂଚିତ ଜାତିଙ୍କ ଲାଗି ୩୮ ଓ ଅନୁସୂଚିତ ଜନଜାତିଙ୍କ ଲାଗି ୨ଟି ଆସନ ସଂରକ୍ଷିତ ରହିଛି। ଗଲା ଥର ତିନୋଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ। ଆରଜେଡି, କଂଗ୍ରେସର ମହାଗଠବନ୍ଧନ ଦୁଇଟି ପର୍ଯ୍ୟାୟରେ ମତଦାନ କରିବାକୁ ନିର୍ବାଚନ କମିଶନଙ୍କୁ ଅପିଲ୍ କରିଥିଲା। ସତ୍ତାଧାରୀ ବିଜେପି ଓ ଜେଡିୟୁ ଗୋଟିଏ ପର୍ଯ୍ୟାରେ ଭୋଟିଂ ଲାଗି ପ୍ରସ୍ତାବ ରଖିଥିଲା। ସୁଚାରୁରୂପେ ମତଦାନ ପାଇଁ କୌଣସି ଭୋଟିଂ କେନ୍ଦ୍ରରେ ୧୨ଶହରୁ ଅଧିକ ମତଦାତା ରହିବେନି। ଏଣିକି ଭୋଟର ମୋବାଇଲ ଫୋନ୍ ବୁଥ ବାହାରେ ଜମା ରଖିପାରିବେ। ଆଶାୟୀଙ୍କ ଚେହେରା ଇଭିଏମ ମତପତ୍ର ଉପରେ ରଙ୍ଗୀନ ଛବିରେ ରହିବ। ଏଥର ବିହାରର ନିର୍ବାଚନ ମତଦାତାଙ୍କ ଲାଗି କେବଳ ସୁଗମ ଓ ସରଳ ହେବନି। ବରଂ ପୁରା ପାରଦର୍ଶିତା ସହ ସମ୍ପନ୍ନ ହେବ ବୋଲି କହିଛନ୍ତି ସିଇସି ଜ୍ଞାନେଶ କୁମାର। ବିହାରରେ କାହା ପାଖରେ କେତେ ସିଟ୍ ଅଛି, ନଜର ପକାନ୍ତୁ। ଏନଡିଏ ପାଖରେ ୧୩୧ ଆସନ ରହିଛି। ବିଜେପିର ୮୦, ଜେଡିୟୁର ୪୫, ହାମ୍ ପାଖରେ ୪ ଆସନ ଅଛି। ଏହା ବ୍ୟତୀତ ଦୁଇ ନିର୍ଦ୍ଦଳୀୟ ବିଧାୟକଙ୍କ ଏନଡିଏକୁ ସମର୍ଥନ ରହିଛି। ମହାଗଠବନ୍ଧନ ପାଖରେ ୧୧୧ ଆସନ ରହିଛି। ଏଥିରୁ ଆରଜେଡିର ୭୭, କଂଗ୍ରେସର ୧୯, ସିପିଆଇ(ଏମଏଲ)ର ୧୧, ସିପିଆଇ(ଏମ)ର ୨ ଓ ସିପିଆଇ ପାଖରେ ୨ ସିଟ୍ ରହିଛି। ତାରିଖ ଘୋଷଣା ପରେ ଏନଡିଏ ଓ ମହାଗଠବନ୍ଧନ ଉଭୟ ଏଥର ବିହାରବାସୀଙ୍କ ଆସ୍ଥା ଜିଣିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେପଟେ ନୂଆପଡ଼ା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଖାଲିପଡ଼ିଥିବା ଆସନରେ ନଭେମ୍ୱର ୧୧ରେ ହେବ ନୂଆପଡ଼ା ଭୋଟ୍। ଆସନ୍ତା ୧୩ ତାରିଖରେ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ନାମାଙ୍କନର ଶେଷ ତାରିଖ। ଅକ୍ଟୋବର ୨୨ରେ ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ। ନୂଆପଡ଼ାରେ ୨ଲକ୍ଷ ୪୮ହଜାର ଭୋଟର ମତସାବ୍ୟସ୍ତ କରିବେ। ୩୫୮ ବୁଥରେ ଭୋଟ ଦେବେ। ୫୬ଟି ନୂଆ ପୁଲିଂ ଷ୍ଟେସନ କରାଯାଇଛି। ଆସନ୍ତା ୧୦ ତାରିଖ ଯାଏଁ ନାଁ ଯୋଡ଼ିପାରିବେ ଭୋଟର। ନୂଆପଡ଼ାର ସବୁ ବୁଥରେ ଓ୍ୱେବକାଷ୍ଟିଂ ହେବ। ନୂଆପଡ଼ା ଆସନ ବିଜେଡି ହାତରେ ଥିଲା। ଉପନିର୍ବାଚନରେ କାହା ହାତକୁ ଯିବ ନା ବିଜେଡି ଆସନ ବଜାୟ ରଖିବ। ଶାସକ ବିଜେପି ପାଇଁ ଗଲା ଦେଢ଼ ବର୍ଷର ଶାସନର ହିସାବକୁ ଏହି ରେଜଲ୍ଟ ପ୍ରତିଫଳନ ପକାଇପାରେ।କାରଣ ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ହାତ ଖୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କଂଗ୍ରେସ ବି ଡେରା ପକାଇସାରିଲାଣି ନୂଆପଡ଼ାରେ। ନଭେମ୍ୱର ୬ ଓ ୧୧ରେ ପଡ଼ିବ ବିହାର ଭୋଟ। ୧୧ରେ ବି ହେବ ନୂଆପଡ଼ା ଉପନିର୍ବାଚନ ଲାଗି ଭୋଟ୍। ୧୪ରେ ହେବ ଭୋଟ ଗଣତି। ଭୋଟିଂ ପାଇଁ ଆଜିକୁ ଠିକ୍ ମାସେ ହାତରେ ରହିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now