ହାଇଭୋଲଟେଜ୍ ପ୍ରଚାରରେ କମ୍ପୁଛି ବିହାର ମୈଦାନ। ପ୍ରଥମ ପର୍ଯ୍ୟାୟ ମତଦାନକୁ ମାତ୍ର ୨ଦିନ ବାକି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହା ନିଜ ପ୍ରଚାର ଶୈଳୀରେ ମହାମେଣ୍ଟକୁ ଧୂଲେଇ କରିଥିଲା ବେଳେ ପ୍ରଚାର କମାଣ୍ଡ ଧରିଥିବା ଖଡ଼ଗେ ଓ ପ୍ରିୟଙ୍କା ବି ପାଲଟା ଶାଣିତ ଆକ୍ରମଣ କରିଛନ୍ତି। ସହରସା କଟିହାରରେ କଂଗ୍ରେସ-ଆରଜେଡିକୁ ଟାର୍ଗେଟ କରିଛନ୍ତି ମୋଦି। କଂଗ୍ରେସ-ଆରଜେଡିକୁ ନା ବିକାଶର ଭାଷା ଜଣାଅଛି ନା ଏହାର ଅର୍ଥ । ଏମାନଙ୍କ ଡିକ୍ସନାରିରେ କ୍ରୁରତା, କୁସଂସ୍କାର, କଟୁତା, କୁଶାସନ ଓ ଦୁର୍ନୀତି ଶବ୍ଦ ଭରିରହିଛି। ଏମାନଙ୍କ ଜଙ୍ଗଲରାଜ ପାଠଶାଳାରେ ଏମାନେ କେବଳ ଏୟା ଶିଖିଛନ୍ତି। ଜଙ୍ଗଲରାଜ ଶାସନରେ ଖୋଦ୍ ରକ୍ଷକ ପୁଲିସ ବି ସୁରକ୍ଷିତ ନଥିଲା ବୋଲି କହିଛନ୍ତି ମୋଦି। ମହିଳା, ଦଳିତ, ପଛୁଆ ବର୍ଗଙ୍କ ଉପରେ ଅତ୍ୟାଚାର ହେଉଥିଲା। ବିକଶିତ ବିହାର ପାଇଁ ଏନଡିଏକୁ ଜିତାଇବା ଜରୁରୀ। ଆରଜେଡି-କଂଗ୍ରେସକୁ ଏମିତି ପରାଜୟ ଦେବାକୁ ପଡ଼ିବ, ଯେମିତି କେବେ ବି ବିହାରର ଖରାପ ଭାବିବେନି। ଖୁଟୋନା ଓ ମଧୁବନୀରେ ପ୍ରଚାର କରି ଅମିତ ଶାହା କହିଛନ୍ତି, ପୁରା ବିହାରରେ ପ୍ରଥମ ଥର ସଂଧ୍ୟା ୫ଟା ଯାଏ ଭୋଟ୍ ପଡ଼ିବ। କାରଣ ବିହାର ଏବେ ପୁରା ନକ୍ସଲବାଦରୁ ମୁକ୍ତ। ନଭେମ୍ୱର ୧୪ ଅପରାହ୍ନ ଗୋଟାଏ ସୁଦ୍ଧା ରାହୁଲ-ଲାଲୁ ଦଳ ସଫା ହୋଇଯିବେ। ଅପରାହ୍ନ ଗୋଟାଏ ସୁଦ୍ଧା ଏନଡିଏ ସରକାର ସତ୍ତାକୁ ଆସିସାରିଥିବ। କାରଣ ଏହା ମହାମେଣ୍ଟ ନୁହେଁ, ମହାଠକବନ୍ଧନରେ ନା ନୀତି ଅଛି ନା ନେତା ଅଛନ୍ତି।

ରାଜାପାକରରେ ପ୍ରଚାର କରି ମୋଦି- ନୀତିଶ ଯୋଡ଼ିକୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ନୀତିଶ ୯ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେଣି। ବିହାରର ଗରିବୀ ଦୂର ସହ ଶିକ୍ଷା, ରୋଜଗାର ବୃଦ୍ଧି ଓ ଦାଦନ ଶ୍ରମିକ ରୋକିବାକୁ କୌଣସି ପଦକ୍ଷେପ ନେଲେନି। ୨୦ ବର୍ଷ ହେଲା ଶାସନ ଚୌକିରେ ବସି ବିହାରର ଦୁର୍ଗତି ଦୂର କରିପାରିନଥିବା ନୀତିଶ ସତ୍ତାରେ ରହିବାକୁ କୌଣସି ହକ୍ ନାହିଁ। ବିହାରରେ ମୋଦି ଏମିତି ବୁଲୁଛନ୍ତି, ଯେମିତି ତାଙ୍କ ପୁଅର ବାହାଘର। ମୋଦିଙ୍କ ଚେହେରାକୁ ବିଜେପି ସୋ କରିବାରେ ଲାଗିଛି। ମୋଦି ଗରିବଙ୍କୁ ଦେଖନ୍ତିନି। କେବଳ ନିର୍ବାଚନରେ ଦେଖାଦିଅନ୍ତି ନଚେତ ବିଦେଶରେ ବୁଲନ୍ତି। ୨୦ ବର୍ଷ ହେଲା ନୀତିଶ ସହ ଥିବା ମୋଦି ବିହାରରୁ ଜଙ୍ଗଲରାଜ କଅଣ ଶେଷ କରିପାରିଲେନି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରୋସେରାରେ ରୋଡ୍ ସୋ କରିଛନ୍ତି। ବିଜେପି- ଜେଡିୟୁର ମାନସିକତା ସଫା ନାହିଁ। ନିର୍ବାଚନ ପୂର୍ବରୁ ଟଙ୍କା ଘୋଷଣା ଓ ବାଣ୍ଟିବା କାମ କରି ମହିଳାଙ୍କୁ ପ୍ରଲୋଭନ ଦେଖାଉଛନ୍ତି। ମୋଦି ନୂଆ ମନ୍ତ୍ରାଳୟ କରନ୍ତୁ। ଅପମାନ ମନ୍ତ୍ରାଳୟ କରି ନିଜେ ତାଲିକା ତିଆରି କରନ୍ତୁ ମୋଦି। ବିରୋଧୀ ପ୍ରଶ୍ନ କଲେ ନିଜକୁ ଅପମାନବୋଧ ମଣୁଛନ୍ତି ନଚେତ ବିରୋଧୀଙ୍କୁ ଦେଶଦ୍ରୋହୀ ସଜାଇଦେଉଛନ୍ତି। ଗାନ୍ଧୀ ପରିବାରକୁ ଯେତିକି ଗାଳି ଦେଇଛନ୍ତି, ତାହାର ରେକର୍ଡ ବି ଲାଇବ୍ରେରୀରେ ରଖନ୍ତୁ।୬ ତାରିଖରେ ବିହାରର ପ୍ରଥମ ପର୍ଯ୍ୟାୟ ମତଦାନ। ଆଉ ତା ପୂର୍ବରୁ ହାଇଭୋଲଟେଜ୍ ପ୍ରଚାରରେ ଆରୋପ ପ୍ରତ୍ୟାରୋପ ରାଜନୀତିରେ ମାତିଛନ୍ତି ହେଭିଓ୍ୱେଟ୍।

Naxatra News is now on Whatsapp
Join and get latest news update delivered to you via whatsapp
Join Now