ବିହାର ନିର୍ବାଚନ ପ୍ରଚାର ପାଇଁ ଓଲଟା କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ମୋଟ୍ ୨୪୩ ଆସନରେ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ। ନଭେମ୍ୱର ୬ରେ ପ୍ରଥମ ପର୍ଯ୍ୟାୟ ଓ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ। ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ଆସନରେ ମତଦାନ ହେବ। ଆଜି ପ୍ରଚାର ଅଭିଯାନ ସମ୍ଭାଳିବାକୁ କମାଣ୍ଡ ଧରିଥାଆନ୍ତେ ପ୍ରିୟଙ୍କା ଗାନ୍ଧୀ। କିନ୍ତୁ ପ୍ରବଳ ବର୍ଷା କାରଣରୁ ଖାଗଡ଼ିଆରେ ହେବାକୁ ଥିବା ଜନସଭାକୁ ସ୍ଥଗିତ କରିଦେଲେ ପ୍ରିୟଙ୍କା ଗାନ୍ଧୀ। ହେଲେ ବେଗୁସରାଇରେ କରିଥିଲେ ପ୍ରଚାର। ବିହାର ହେଉଛି ପବିତ୍ର ମାଟି। ଏ ମାଟି ଦେଶକୁ ସ୍ୱାଧୀନ ଦେଲା। ବିକାଶ ଦେଲା। ବଡ଼ ବଡ଼ ନେତା ଥିଲେ ବି ବିହାରର ବିକାଶ କାହିଁକି ହୋଇପାରୁନି ବୋଲି ପଚାରିଛନ୍ତି ପ୍ରିୟଙ୍କା। ବିହାରରେ ଡବଲ ଇଞ୍ଜିନ ନୁହେଁ, ସିଙ୍ଗଲ ଇଞ୍ଜିନ୍ ସରକାର ଚାଲିଛି। ସବୁ କିଛି କେନ୍ଦ୍ରରୁ ନିୟନ୍ତ୍ରଣ ହେଉଛି। ନୀତିଶଙ୍କୁ ନା କେହି ଆଦର କରୁଛନ୍ତି ନା କେହି ତାଙ୍କ କଥା ଶୁଣୁଛନ୍ତି। ୨୦ ବର୍ଷ ହେଲା ଏନଡିଏ ସରକାରରେ ଲୋକଙ୍କ ଅଧିକାର ଓ ସମାନତାକୁ ଦୁର୍ବଳ କରି ବିଭାଜନ ରାଜନୀତି ହୋଇଛି। ଏସଆଇଆର ଆଳରେ ୬୫ ଲକ୍ଷ ଭୋଟରଙ୍କୁ କାଟିଲେ। ନିର୍ବାଚନ କମିଶନଙ୍କ ନୀରବତାକୁ ନେଇ ବର୍ଷିଛି କଂଗ୍ରେସ। ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ପୋଷ୍ଟର ବୟ ସମ୍ରାଟ ଚୌଧୁରୀଙ୍କ ବୟସ ଜାଲିଆତି, ମିଛ ସତ୍ୟପାଠ, ତାରାପୁର ହତ୍ୟାକାଣ୍ଡରେ ସଂପୃକ୍ତିକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ମୋଦି-ଶାହାଙ୍କ ମିଛ, ଠକେଇ ଓ ଧୋକାର ବ୍ରାଣ୍ଡକୁ ଏଭଳି ନେତା ଜାରି ରଖିଛନ୍ତି। ଏନଡିଏ ପ୍ରାର୍ଥୀ ନିଜ ଗାଡ଼ି କନଭଏରେ ଗୁଳି, ବୋମା ରଖି ଚାଲୁଛନ୍ତି। କିନ୍ତୁ ନିର୍ବାଚନ କମିଶନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଏସବୁର ପ୍ରମାଣ ସତ୍ତ୍ୱେ କୁଆଡ଼େ ଗଲେ ସିଇସି ଜ୍ଞାନେଶ କୁମାର ବୋଲି ପାଟଣାରେ ପ୍ରେସମିଟ୍ କରି ବର୍ଷିଛନ୍ତି ସୁପ୍ରିୟା ଶ୍ରୀନେଟ୍।ଆଜି ଭିଡ଼ିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅପିଲ୍ କରିଛନ୍ତି ଯେ, ଏନଡିଏକୁ ଆଉ ଥରେ ସୁଯୋଗ ଦିଅନ୍ତୁ। ଆଜି ବିହାରୀ ଶବ୍ଦ ଗର୍ବର ପ୍ରତୀକ ସାଜିସାରିଛି। ପୂର୍ବରୁ ବିହାରୀ ଶବ୍ଦ ଅପମାନ ବୋଲି କୁହାଯାଉଥିଲା। କିନ୍ତୁ ଆଜି ସମ୍ମାନର ପ୍ରତୀକ କୁହାଯାଉଛି। ନିଜ ୨୦ ବର୍ଷର ଶାସନକାଳରେ କେମିତି ବିକାଶ କରିଛନ୍ତି, ତାକୁ ବିସ୍ତାର ଭାବେ ଦର୍ଶାଇଛନ୍ତି। ସେ ସତ୍ତା ସମ୍ଭାଳିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ବହୁତ ଖରାପ ଥିଲା। ଏନଡିଏ ସହ ବିହାରର ବିକାଶ ଦ୍ରୁତ ଗତିରେ ବଢ଼ୁଛି। ସେପଟେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଶିବାନ ଓ ମୁଜାଫରପୁରରେ ଦୁଇଟି ରାଲିକୁ ସମ୍ୱୋଧିତ କରିଛନ୍ତି। ଗୋପାଳଗଞ୍ଜ, ଉଜିୟାରପୁର ଓ ହାଜିପୁର ଭଳି ତିନୋଟି ଜନସଭାକୁ ସମ୍ୱୋଧିତ କରିଛନ୍ତି ଅମିତ ଶାହା। ଅମିତ୍ ଶାହା କହିଛନ୍ତି, ଏହି ନିର୍ବାଚନ ବିହାରର ଭବିଷ୍ୟତ ପାଇଁ। ଏହି ଫାଇଟ୍ ବିକାଶ ବନାମ ଜଙ୍ଗଲରାଜ ଭିତରେ ହେଉଛି। ଗୋପାଳଗଞ୍ଜରେ ଭର୍ଚ୍ଚୁଆଲ ରାଲିକୁ ସମ୍ୱୋଧନ କରିଥିଲେ ଶାହା। ସିଓ୍ୱାନରେ ଭର୍ଚ୍ଚୁଆଲ ସମ୍ୱୋଧନ କରି ନଡ୍ଡା କହିଛନ୍ତି, ବିହାରରେ ଲାଲୁ ଓ ରାବ୍ରୀଙ୍କ ଅତୀତର ଅନ୍ଧାରୀ ଶାସନର ଅବସାନ କରିବାକୁ ପଡ଼ିବ। ବିହାରରେ ସ୍ଥିର ସରକାର ଓ ସ୍ଥିର ନେତୃତ୍ୱ ପାଇଁ ଏନଡିଏ ପ୍ରାର୍ଥୀ ଜିତିବା ଜରୁରୀ। ବିହାର ନିର୍ବାଚନ ଲାଗି ପ୍ରଚାର ମୈଦାନରେ ହେଭିଓ୍ୱେଟ। ଦେଖିବାର କଥା ବିହାରର ଜନତା ପରିବର୍ତ୍ତନ କରିବେ ନା ଏନଡିଏକୁ ପୁଣି ଭରସା କରିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now