ବିହାର ନିର୍ବାଚନରେ କାହାର ଇସ୍ତାହାର କେତେ ଦମଦାର। ଏନଡିଏ ଆଜି ନିଜର ସଂକଳ୍ପ ପତ୍ର ଜାରି କରିଛି। କୋଟିଏ ଲୋକଙ୍କୁ ରୋଜଗାର, ମହିଳାଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା, ଚାଷୀଙ୍କୁ ବାର୍ଷିକ ୯ହଜାର ଟଙ୍କା ଅନୁଦାନ, ୭ ଏକ୍ସପ୍ରେସ-ଓ୍ୱେ, ୪ ମେଟ୍ରୋ ସହର, ୧ ଲକ୍ଷ କୋଟି ଟଙ୍କାର ନିବେଶ ଓ ଗରିବଙ୍କୁ ପଞ୍ଚାମୃତ ଗ୍ୟାରେଣ୍ଟି ଭଳି ବଡ଼ ବଡ଼ ପ୍ରତିଶୃତି ଦେଇଛି ଏନଡିଏ। ପଞ୍ଚାମୃତ ଗ୍ୟାରେଣ୍ଟି ହେଲା- ଗରିବଙ୍କୁ ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି, ମାଗଣା ରାସନ, ୫ଲକ୍ଷ ଟଙ୍କା ଯାଏଁ ମାଗଣା ସ୍ୱାସ୍ଥ୍ୟବୀମା, ୫୦ଲକ୍ଷ ପକ୍କା ଘର ଓ ପରିବାରକୁ ସାମାଜିକ ସୁରକ୍ଷା ପେନସନ। ସର୍ବୋପରି ବିକାଶ ଓ ସୁଶାସନ ଉପରେ ଜୋର୍ ଦିଆଯାଇଛି। ନିଯୁକ୍ତି, ମହିଳା ସଶକ୍ତିକରଣ ଓ ସବୁବର୍ଗର କଲ୍ୟାଣକାରୀ ଯୋଜନାର ପ୍ରତିଶୃତି ରଖିଛି ଏନଡିଏ। ଅତି ପଛୁଆ ବର୍ଗଙ୍କ ଲାଗି ଆର୍ଥିକ ଓ ସାମାଜିକ ସମର୍ଥନର ପ୍ରତିଶୃତି ଦେଇଛି ଏନଡିଏ। ଏହି ବର୍ଗର ଲୋକଙ୍କୁ ବ୍ୟବସାୟ ଲାଗି ପରିବାରକୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଚାଷୀଙ୍କ ଲାଗି କର୍ପୁରୀ ଠାକୁର କିଷାନ ସମ୍ମାନ ନିଧି ଆରମ୍ଭ ହେବ। ପ୍ରତି ଫସଲ ଋତୁରେ ୩ହଜାର ହିସାବରେ ବାର୍ଷିକ ମିଳିବ ୯ହଜାର ଟଙ୍କା। କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ୱାନ, ଜିତନରାମ ମାଞ୍ଝୀ, ଆରଏଲଏମ ନେତା ଉପେନ୍ଦ୍ର କୁଶଓ୍ୱାହା ଓ ଗଠବନ୍ଧନ ନେତା ଉପସ୍ଥିତ ଥିଲେ। ବିହାର ବିକାଶର ବ୍ଲୁପ୍ରିଣ୍ଟରେ ଏନଡିଏ ସବୁ ବର୍ଗକୁ ନଜରରେ ରଖି ଇସ୍ତାହାର ପତ୍ର ପ୍ରକାଶ ହୋଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜେପି ସାଂସଦ ରବିଶଙ୍କର ପ୍ରସାଦ। ଏନଡିଏ ନିଜର ଘୋଷଣାପତ୍ରକୁ ସଂକଳ୍ପପତ୍ର ନାଁ ଦେଇ ୨୫ଟି ପ୍ରମୁଖ ବଡ଼ ଘୋଷଣା କରିଛି। ସେପଟେ ଏହାକୁ କାଉଣ୍ଟର କରିଛି କଂଗ୍ରେସ। ମାତ୍ର ୨୬ ସେକେଣ୍ଡରେ ଏନଡିଏ ନିଜର ପ୍ରେସମିଟ୍ ସାରିଦେଲା। ମୋଦି କେବେ ମିଡିଆକୁ ଭେଟନ୍ତିନି ଓ ଆଉ ମାନିଫେଷ୍ଟୋ ଉଦଘାଟନରେ ବିଜେପି ନେତା ପଳାଇଲେ। ବିଜେପିକୁ ଲୋକତନ୍ତ୍ରରେ ବିଶ୍ୱାସ ନାହିଁ ଓ ଏହା ହିଁ ବିପଜ୍ଜନକ ସଙ୍କେତ। ବିହାରକୁ ୧ଲକ୍ଷ ୨୫ହଜାର କୋଟିର ପ୍ୟାକେଜ୍ ଦେଇଥିବା କହିଥିଲେ ମୋଦି। ଏହାର ହିସାବ ଦେବା ଜରୁରୀ। ୨୦ ବର୍ଷ ହେଲା ନୀତିଶ ଓ କେନ୍ଦ୍ରରେ ମୋଦି ୧୧ ବର୍ଷରେ କ୍ଷମତା ରହିଛନ୍ତି। କିନ୍ତୁ ବିହାରରେ ଗୋଟିଏ ବି କାମ ହୋଇନି। କିନ୍ତୁ ମହାମେଣ୍ଟ ସରକାରରେ ଆସିବା ମାତ୍ରେ ସବୁ ପ୍ରତିଶୃତି ପାଳନ କରିବ ବୋଲି କହିଛନ୍ତି ବିହାରର ବରିଷ୍ଠ ପର୍ଯ୍ୟବେକ୍ଷକ ଅଶୋକ ଗେହଲଟ। ଆରଜେଡି କହିଛି, ଏହି ଇସ୍ତାହାର ପତ୍ର ମହାଗଠବନ୍ଧନର ନକଲ। କିଛି ଦିନ ତଳେ ମହାଗଠବନ୍ଧନ ନିଜର ଘୋଷଣା ପତ୍ରକୁ ତେଜସ୍ୱୀ ପ୍ରଣ ନାଁରେ ଜାରି କରିଛି। ତେଜସ୍ୱୀ ପ୍ରଣରେ ୨୫ଟି ପ୍ରତିଶୃତି ଦିଆଯାଇଛି। ସରକାରୀ ଚାକିରୀ, ପେନସନ, ୨ଶହ ୟୁନିଟ୍ ମାଗଣା ବିଜୁଳି ଓ ମହିଳା ସଶକ୍ତିକରଣକୁ ଫୋକସ କରିଛି ମହାମେଣ୍ଟ। ଦୁଇ ମେଣ୍ଟର ଘୋଷଣାପତ୍ରରୁ ସ୍ପଷ୍ଟ ସଙ୍କେତ ମିଳିଛି ଯେ, ନିର୍ବାଚନୀ ଯୁଦ୍ଧ କେବଳ ନାରାରେ ନୁହେଁ। ବରଂ ମାଗଣା ସ୍କିମ୍, ରୋଜଗାର ବନାମ ବିକାଶ ମଡେଲ ଚର୍ଚ୍ଚା ଉପରେ ରହିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now