ବିହାରରେ ଏଥର ପୁଣି କ୍ଷମତାକୁ ଫେରିବ ଏନଡିଏ। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ୱର ୧୨୨। କିନ୍ତୁ ମ୍ୟାଜିକ ନମ୍ୱରରୁ ଅଧିକ ଆସନ ଆଣି ବଡ଼ ବିଜୟ ହାସଲ କରିବ ଏନଡିଏ ବୋଲି ଏକଜିଟ୍ ପୋଲ୍ ପୂର୍ବାନୁମାନ ଲଗାଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଐତିହାସିକ ବିଜୟ ହାସଲ କରିବ ବୋଲି ଦାବି କରିଛନ୍ତି ଅଧିକାଂଶ ସଂସ୍ଥା। ୧୩୦ରୁ ନେଇ ୧୬୭ ଯାଏ ଆସନ ଦଖଲ କରିବ ଏନଡିଏ। ଆଉ ମହାମେଣ୍ଟ ୮୦ରୁ ୧୦୮ ଭିତରେ ସୀମିତ ରହିଯିବ। ଆରଜେଡି-କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟ ବିହାରରେ କ୍ଷମତାକୁ ଫେରିବାର ସ୍ୱପ୍ନ ସାକାର ହେବା ଭଳି ଦିଶୁନି ବୋଲି ଦାବି କରିଛନ୍ତି ସର୍ଭେ ସଂସ୍ଥା। ପି-ମାର୍କ, ଦୈନିକ ଭାସ୍କର, ଡିବି-ରିସର୍ଚ୍ଚ, ଚାଣକ୍ୟ, ପିପୁଲ୍ସ ପୋଲ୍ସ, ମାଟ୍ରିଜ-ଆଇଏଏନଏସ, ଜେଭିସି ପୋଲ୍, ପିପୁଲ୍ସ ଇନସାଇଟ୍, ପୋଲଷ୍ଟ୍ରାଟ ଭଳି ଅନେକ ସର୍ଭେ ସଂସ୍ଥା ଏକପାଖିଆ ଏନଡିଏର ଜିତ୍ ହେବ ବୋଲି ଦାବି କରିଛି। କେବଳ ଏକମାତ୍ର ଏକଜିଟ୍ ପୋଲ୍ ଜର୍ଣ୍ଣୋ ମିରର ମହାମେଣ୍ଟକୁ ବହୁମତ ମିଳିବ ବୋଲି ଦାବି କରିଛି। ଏଆଇ ପଲିଟିକ୍ସ- ନ୍ୟୁଜ୍ ପିଞ୍ଚ୍ ଏକଜିଟ୍ ପୋଲରେ ମହାଗଠବନ୍ଧନ ଓ ଏନଡିଏ ଭିତରେ କଡ଼ା ଫାଇଟ୍ ହେବ ବୋଲି ଦର୍ଶାଇଛି। ଆକ୍ସିସ ମାଇ ଇଣ୍ଡିଆ ଓ ଟୁଡେଜ୍ ଚାଣକ୍ୟ ଆଜି ଏକଜିଟ୍ ପୋଲ୍ ଜାରି କରିଛି। ଏଆଇ ପଲିଟିକ୍ସ ଓ ୟୁଟ୍ୟୁବ ଚାନେଲ ନ୍ୟୁଜ୍ ପିଞ୍ଚ୍ ଆକଳନ ଅନୁସାରେ ତେଜସ୍ୱୀ ଓ ସମ୍ରାଟ ଜିତୁଛନ୍ତି। ଛପରାରୁ ଭୋଜପୁରୀ ଆକ୍ଟର ଖେସାରି ଲାଲ ଓ ମହୁଆ ଆସନରୁ ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ନିର୍ବାଚନ ହାରୁଛନ୍ତି। ଲକିସରାଇ ସିଟରୁ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଓ ଅଲିନଗର ଆସନରୁ ଲୋକଗାୟିକା ମୈଥିଲି ଠାକୁର ଜିତିବାର ଅନୁମାନ କରାଯାଇଛି। ଏକଜିଟ୍ ପୋଲରେ ଏନଡିଏ ଗଦ୍ଗଦ ହୋଇଯାଇଛି। ପାଟଣାରେ ଜିଲ୍ଲା ମୁଖ୍ୟାଳୟ, ବିଜେପି ଓ ଜେଡିୟୁ ଦପ୍ତରରେ କାର୍ଯ୍ୟକର୍ତ୍ତା ସେଲିବ୍ରେସନ ଆରମ୍ଭ ହୋଇଯାଇଛି। ନୀତିଶ କହିଛନ୍ତି, ବିହାରବାସୀ ପୁଣି ବିକାଶ, ସ୍ଥିର ଓ ସୁଶାସନ ଉପରେ ଭରସା କରିଛନ୍ତି। ଜେଡିୟୁ କହିଛି, ଏକଜିଟ୍ ପୋଲ ସଙ୍କେତ ଦେଇଛି- ଜନତା ଜାତିବାଦ ଓ ନକରାତ୍ନକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକଜିଟ ପୋଲ ଉପରେ ଭରସା ନାହିଁ ବୋଲି କହିଛି ଆରଜେଡି। ମହାଗଠବନ୍ଧନ ୨ଶହରୁ ଅଧିକ ଆସନ ଆଣିବ। ବିହାରରେ ସରକାର କରିବ ବୋଲି ଦାବି କରିଛି ଆରଜେଡି। ରେଜଲ୍ଟ ଏକଜିଟ୍ ପୋଲ୍ ଉପରେ ନୁହେଁ, ଏକଜାଟ୍ ପୋଲ୍ ଯାହା ଜନତା ଜନାର୍ଦ୍ଦନ ସ୍ଥିର କରନ୍ତି, ତା ଉପରେ ନିର୍ଭର କରେ। ବିହାରର ଭବିଷ୍ୟତ ଓ ବିହାରରେ ପରିବର୍ତ୍ତନ ଲାଗି ଜନତା ମନସ୍ଥିର କରିସାରିଛନ୍ତି। ନଭେମ୍ୱର ୧୪ରେ ଏହା ପ୍ରମାଣିତ ହେବ। ଏଭଳି ଏକଜିଟ୍ ପୋଲ୍ କାହା ନିର୍ଦେଶରେ ଦେଖାଯାଏ, ସମସ୍ତେ ଜାଣନ୍ତି। ସ୍ୱାଧୀନ ସାଂସଦ ପପୁ ଯାଦବ କହିଛନ୍ତି, ଏକଜିଟ୍ ପୋଲ୍ କେବେ ବି ଠିକ୍ ନଥିଲା। ବଡ଼ କଥା ହେଲା, ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ଦଳ ଯେଉଁ କିଙ୍ଗମେକର ହେବ ବୋଲି ଆକଳନ କରାଯାଉଥିଲା, ତାହାର କୌଣସି ପ୍ରଭାବ ପକାଇନି ଭୋଟରଙ୍କ ଉପରେ ବୋଲି ଦାବି କରିଛି ଏକଜିଟ ପୋଲ୍। ଜନସୁରାଜ ଦଳ ସର୍ବାଧିକ ୫ଟି ଆସନ ଦଖଲ କରିପାରେ। ଅଧିକାଂଶ କହିଛନ୍ତି, ଖାତା ବି ଖୋଲିନପାରେ ଜନସୁରାଜ ଦଳ। ପ୍ରଚାରରେ ବେଶ୍ ଦମଦାର ଥିବା ସତ୍ତ୍ୱେ, ସାରା ରାଜ୍ୟରେ ୩ ବର୍ଷର ପଦଯାତ୍ରା, ବର୍ଷେ ପୂର୍ବେ ଜନସୁରାଜ ପ୍ରତିଷ୍ଠା କରିଥିବା ପ୍ରଶାନ୍ତ କିଶୋରଙ୍କ ୨୫ ନିର୍ବାଚନ ଏକ ଡେବ୍ୟୁରୁ ଅଧିକ ଥିଲା। ପ୍ରଶାନ୍ତଙ୍କ ସ୍ୱଛ, ପ୍ରସଙ୍ଗଭିତ୍ତିକ ରାଜନୀତିର ବାର୍ତ୍ତା ବିହାର ଭୋଟରଙ୍କ ମନକୁ ଛୁଇଁପାରିଲାନି। ଗଲା ନିର୍ବାଚନରେ ଅସାଦୁଦ୍ଦିନ ଓଓ୍ୱେସିଙ୍କ ଦଳ ଜିତିଥିଲା ୫ ସିଟ୍। ଯଦିଓ ଏଥିରୁ ୪ ବିଧାୟକ ପରେ ଆରଜେଡିକୁ ପଳାଇଥିଲେ। ଏଥର ଏଆଇଏମଆଇଏମ ଆସନ ହରାଇବ। କଂଗ୍ରେସକୁ ବଡ଼ ଝଟକା ଲାଗିବ। କୌଣସି ଏକଜିଟ୍ ପୋଲରେ କଂଗ୍ରେସକୁ ୨୦ରୁ ଅଧିକ ଆସନ ମିଳିବାର ଅନୁମାନ ନାହିଁ। ଗଲା ନିର୍ବାଚନରେ ୭୦ ଆସନରେ ଲଢ଼ି କଂଗ୍ରେସ ମାତ୍ର ୧୯ ଆସନ ଦଖଲ କରିଥିଲା। ଯାହା ମହାଗଠବନ୍ଧନ ହାରର ବଡ଼ କାରଣ ସାଜିଥିଲା। ମୁକେଶ ସହନୀଙ୍କ ଭିଆଇପି ଦଳକୁ ଗୋଟିଏ ବି ଆସନ ମିଳିବନି ବୋଲି ଆକଳନ କରାଯାଇଛି। ମହାଗଠବନ୍ଧନରେ ରହି ଭିଆଇପି ଦଳ ୧୪ ଆସନରେ ପ୍ରାର୍ଥୀଙ୍କୁ ଓହ୍ଲାଇଥିଲା। କଂଗ୍ରେସ କହିଛି, ଭୋଟ ଚୋରୀ ହୋଇଛି। ତା ସତ୍ତ୍ୱେ ମହାମେଣ୍ଟ ସରକାର କରିବ।ଏଥର ରେକର୍ଡ ମତଦାନ ହୋଇଛି। କେଉଁ ଦଳକୁ ଜନତା ସମର୍ଥନ ଢାଳୁଛି, ୧୪ରେ ସ୍ପଷ୍ଟ ହେବ। ଏକଜିଟ୍ ପୋଲ୍ ଏକଜାଟ୍ ହେଉଛି ନା ଓଲଟିଯାଉଛି, ଦେଖିବାର କଥା।
Naxatra News is now on Whatsapp
Join and get latest news update delivered to you via whatsapp
Join Now