ହାଇଭୋଲଟେଜ ପ୍ରଚାର- କମ୍ପିଲା ବିହାର ମୈଦାନ୍

ବିହାର ନିର୍ବାଚନ ପାଇଁ ଆଜି ଥିଲା ହାଇଭୋଲଟେଜ କ୍ୟାମ୍ପେନ୍। କାରଣ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଲାଗି ଆଉ ମାତ୍ର କେଇଟା ଦିନ ବାକି। ପ୍ରଧାନମନ୍ତ୍ରୀ ମୋଦି ମୁଜାଫରପୁରରର ମୋତିପୁର ଓ ଛପରାରେ ଜନସଭାକୁ ସମ୍ୱୋଧିତ କରିଛନ୍ତି। ସେପଟେ ନୀତିଶ କୁମାରଙ୍କ ଗୃହ ଜିଲ୍ଲା ନାଳନ୍ଦା ଓ ବରବିଘାରେ ନିର୍ବାଚନ ରାଲି କରିଛନ୍ତି ରାହୁଲ ଗାନ୍ଧୀ। ଆରଜେଡି ନେତା ତେଜସ୍ୱୀ ମଧେପୁରା, ଦରଭଙ୍ଗା ଓ ମୁଜାଫରପୁରରେ ମୋଟ୍ ୯ ଜନସଭା କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଚାରି ଚାରିଟା ଜନସଭାକୁ ସମ୍ୱୋଧିତ କରିଛନ୍ତି। ଆଉ ଏହି ହାଇଭୋଲଟେଜ ରାଲି ଓ ପ୍ରଚାରରେ ଆରୋପ ପ୍ରତ୍ୟାରୋପର ପାରଦ ବେଶ୍ ଉପରେ ଥିବା ଦେଖିବାକୁ ମିଳିଛି। ମୁଜାଫରପୁରରେ ରାହୁଲ ଓ ତେଜସ୍ୱୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ମୋଦି। ନିର୍ବାଚନ ଜିତିବାକୁ ଛଟି ମାଆଙ୍କୁ ଅପମାନିତ କରିଛନ୍ତି ଆରଜେଡି-କଂଗ୍ରେସ। ପୂଜାର ନିନ୍ଦା କରିଛନ୍ତି। ନିଜକୁ ଯୁବରାଜ ବୋଲାଉଥିବା ରାହୁଲ ଓ ତେଜସ୍ୱୀଙ୍କ ଯୋଡ଼ି ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି। ଗୋଟିଏ ପରିବାର ମିଛ ପ୍ରତିଶୃତିର ଦୋକାନ ଖୋଲି ଦେଶର ସବୁଠୁ ଭ୍ରଷ୍ଟ ପରିବାର ହୋଇଥିଲା ବେଳେ ଆଉ ଏକ ପରିବାର ବିହାରର ଦୁର୍ନୀତିଗ୍ରସ୍ତ ପରିବାର। କୋଟି କୋଟି ଟଙ୍କାର ଦୁର୍ନୀତିରେ ବୁଡ଼ି ବେଲ୍‌ରେ ଆସିଥିବା ସେମାନେ ପାଲଟା ମୋଦିଙ୍କୁ ଗାଳି କରୁଛନ୍ତି। କାରଣ ସେମାନେ ଜଣେ ଚାହା ବାଲା ପ୍ରଧାନମନ୍ତ୍ରୀ ହେବା ପରେ ସହିପାରୁନାହାନ୍ତି। କାମିକିଆ ଲୋକଙ୍କୁ ଗାଳି ଦେଉଛନ୍ତି ନାମଦାର ଲୋକେ। ତେବେ ସେମାନେ ମୋଦିଙ୍କୁ ଗାଳିଦେଉନାହାନ୍ତି। ଆରଜେଡି-କଂଗ୍ରେସର ସମ୍ପର୍କ ତେଲ ଓ ପାଣି ଭଳି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସତ୍ତାର ଲୋଭ ଏମାନଙ୍କୁ ଏକାଠି କରିଛି। ୨୦୦୫ ପୂର୍ବରୁ ପୁରା ବିହାର ଜଙ୍ଗଲରାଜ କବଳରେ ଥିଲା। ସମସ୍ତ ଉଦ୍ୟୋଗ, ବେପାର ଓ ଟ୍ରେଡିଂ ବନ୍ଦ ହୋଇଯାଇଥିଲା। କେବଳ ଗୋଟିଏ ଧନ୍ଦା ଚାଲିଥିଲା। ଅପହରଣ ଓ ଦାଦାବଟି। ଜଘନ୍ୟ ହତ୍ୟାକାଣ୍ଡ, ଅପରାଧ ଯେମିତି ଲାଲୁ-ରାବ୍ରି ରାଜରେ ମୁଖ୍ୟ କଥା ଥିଲା କହି ଲଖିସରାୟରେ ଟାର୍ଗେଟ କରି ବର୍ଷିଛନ୍ତି ଅମିତ ଶାହା। ନୀତିଶଙ୍କ ଶାସନରେ ଜଙ୍ଗଲରାଜ ସମାପ୍ତ ହେଲା। ପୁଣି ଥରେ ଏନଡିଏ ସରକାରକୁ କ୍ଷମତାକୁ ଆଣନ୍ତୁ କହି ଅପିଲ୍ କରିଛନ୍ତି ଅମିତ୍। ମୋଦିଙ୍କୁ ଅପଶବ୍ଦ ଓ ଛଟି ମାଆଙ୍କୁ ଅପମାନିତ କରିଥିବା ଗଠବନ୍ଧନ ରେଜଲ୍ଟ ବାହାରିବା ପରେ ସଫା ହୋଇଯିବେ। ବେଗୁସରାଇରେ ନୀତିଶ କୁମାର କହିଛନ୍ତି, ପୂର୍ବରୁ ବିହାରରେ ଫାଲଟୁ ସରକାର ଥିଲା। ସାମ୍ପ୍ରଦାୟିକ ଦଙ୍ଗା ହେଉଥିଲା। ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିଲା। ଏନଡିଏ ସରକାର ଆସିବା ପରେ ସମସ୍ତଙ୍କ ହିତରେ କାମ ହେଲା। ସେପଟେ ନାଳନ୍ଦାରେ ଜନସଭାକୁ ସମ୍ୱୋଧିତ କରି ମୋଦି ଓ ନୀତିଶଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀନିର୍ବାଚନୀ ରଣହୁଂକାର ଛାଡ଼ିଛନ୍ତି ରାହୁଲ। ନାଳନ୍ଦା ୟୁନିଭରସିଟି ପୁରା ଦୁନିଆରେ ପ୍ରସିଦ୍ଧ ଥିଲା। ଆଜି କିନ୍ତୁ ବିହାର ଶିକ୍ଷା ବ୍ୟବସ୍ଥା ପଚାରିଲେ କେବଳ ପେପର ଲିକ୍ ହେଉଛି ବୋଲି ଚର୍ଚ୍ଚା ହୁଏ। ବିହାର ଯୁବକ ବଡ଼ ଚାକିରୀର ସ୍ୱପ୍ନ ଦେଖେ ସତ। କିନ୍ତୁ ପରୀକ୍ଷା ପୂର୍ବରୁ ଏହି ସ୍ୱପ୍ନ ଭାଙ୍ଗିଯାଏ। ଟ୍ରମ୍ପଙ୍କୁ ମୋଦି ଡରୁଛନ୍ତି କହି ପୁଣି ନିଜ କଥା ଦୋହରାଇଛନ୍ତି ରାହୁଲ। ଟ୍ରମ୍ପଙ୍କୁ ଡରି ଆମେରିକା ନ ଯାଇ ମୋଦି ଲୁଚୁଛନ୍ତି। ଆଉ ବିହାରରେ ଭୋଟ ଚୋରୀ କରୁଛନ୍ତି। ମୋଦିଙ୍କ ଲାଗି ଦୁଇଟି ହିନ୍ଦୁସ୍ତାନ ହେବାକୁ ଯାଉଛି। ଗୋଟିଏ ହିନ୍ଦୁସ୍ତାନ ମୋଦି, ଆଦାନୀ ଓ ଅମ୍ୱାନୀଙ୍କର। ଆଉ ଗୋଟିଏ ହିନ୍ଦୁସ୍ତାନ ଗରିବ, ଚାଷୀ, ଶ୍ରମିକଙ୍କର। ମହାଗଠବନ୍ଧନ ସିଏମ ଚେହେରା ତେଜସ୍ୱୀ ଯାଦବ କହିଛନ୍ତି, ବିଜେପି ବିହାରକୁ କବଜା କରିବାକୁ ଚାହୁଁଛି। କିନ୍ତୁ ବିହାରରେ କେବଳ ବିହାରର ପୁଅ ରାଜ୍ୟର ବିକାଶ କରିପାରିବ। କୌଣସି ବାହାର ଲୋକ ନୁହେଁ। ନିର୍ବାଚନ ଆଚରଣବିଧି ଲାଗିବା ସତ୍ତ୍ୱେ ମହିଳାଙ୍କୁ ୧୦ହଜାର ଲେଖାଏଁ ଟଙ୍କା ଦିଆଯାଇଛି। ଏଥିରେ କିନ୍ତୁ ନିର୍ବାଚନ କମିଶନ ନୀରବ। ୨୦ ବର୍ଷ ହେଲା ଏନଡିଏ କିଛି କଲାନି। ନୂଆ ବିହାର ପାଇଁ ପରିବର୍ତ୍ତନ ଜରୁରୀ। ଦୁର୍ନୀତି, ବେରୋଜଗାର ଓ ମୁଦ୍ରାସ୍ଫୀତିକୁ ସମାପ୍ତ କରିବାକୁ ହେଲେ ମହାମେଣ୍ଟକୁ ଭୋଟ୍  ଦେବାକୁ ଅପିଲ୍ କରିଛନ୍ତି ତେଜସ୍ୱୀ। ବିହାର ନିର୍ବାଚନ ପାଇଁ ପ୍ରଚାର ମୈଦାନ କମ୍ପୁଛି। ଏହା ସହ ଆରୋପ ପ୍ରତ୍ୟାରୋପର ପର୍ବ ବି ଅଧିକରୁ ଅଧିକ ଶାଣିତ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *