ମଙ୍ଗଳବାର ବିହାରରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍। ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜିଲ୍ଲାର ୧୨୨ ଆସନରେ ପଡ଼ିବ ଭୋଟ୍। ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଦ୍ୱିତୀୟ ପର୍ଯ୍ୟାୟରେ ୩ କୋଟି୭୦ଲକ୍ଷ ୧୩ହଜାର ୫୫୬ ମତଦାତା ସେମାନଙ୍କ ମତସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ମିଥିଲାଞ୍ଚଳରୁ ସୀମାଞ୍ଚଳ। ଚମ୍ପାରଣ ବେଲ୍ଟରୁ ନେଇ ଶାହାବାଦ-ମଗଧ କ୍ଷେତ୍ରର ଆସନରେ ପଡ଼ିବ ଭୋଟ୍। ୨୦୨୦ ନିର୍ବାଚନ ପରିଣାମକୁ ଦେଖିଲେ, ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ମହାମେଣ୍ଟ ଲାଗି ସବୁଠୁ ବଡ଼ ଆହ୍ୱାନ ସାଜିବ। ଏନଡିଏର ପ୍ରତିଷ୍ଠା ବାଜିରେ ଲାଗିଥିଲା ବେଳେ ମହାଗଠବନ୍ଧନ ଏହି ସବୁ ଆସନରେ କମବ୍ୟାକ୍ ଲାଗି ପୁରା ଦମ୍ ଲଗାଇଛି। ୨୦୨୦ରେ ଏନଡିଏ ୬୬ ଆସନ ପାଇଥିଲା ବେଳେ ମହାଗଠବନ୍ଧନ ଖାତାକୁ ୪୯ ଆସନ ଯାଇଥିଲା। ବିଜେପି ୪୨, ଜେଡିୟୁ ୨୦ ସିଟ୍ ଦଖଲ କରିଥିଲା। ଆରଜେଡି ୩୩, କଂଗ୍ରେସ ୧୧ ଓ ବାମପନ୍ଥୀ ଦଳ ୫ଟି ଆସନ ହାତେଇଥିଲା। ଓଓ୍ୱେସିଙ୍କ ଦଳ ୫ଟି ସିଟରେ ଜିତିଥିଲା ବେଳେ ବିଏସପି ଗୋଟିଏ ସିଟ୍ ଦଖଲ କରିଥିଲା। ଅସାଦୁଦ୍ଦିନ ଓଓ୍ୱେସି, ଜିତନରାମ ମାଞ୍ଝୀ ଓ ଉପେନ୍ଦ୍ର କୁଶଓ୍ୱାହାଙ୍କ ପାର୍ଟିର ଅସଲ ଅଗ୍ନିପରୀକ୍ଷା ଏହି ଅନ୍ତିମ ପର୍ଯ୍ୟାୟରେ ହେବ। କଂଗ୍ରେସ ପାଇଁ କର ବା ମର ଭଳି ସ୍ଥିତି। ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ସର୍ବାଧିକ ୫୩ ଓ ଜେଡିୟୁ ୪୪ ଆସନରେ ଲଢ଼ୁଛି। ଜିତନରାମଙ୍କ ହାମ୍ ଦଳ ସମସ୍ତ ୬ଟି ଆସନରେ ଭାଗ୍ୟପରୀକ୍ଷା କରିବ। ଉପେନ୍ଦ୍ର କୁଶଓ୍ୱାହାଙ୍କ ଆରଏଲଏମ ୪ଟି ଓ ଏଲଜେପି(ଆର)ର ୧୫ ଆସନରେ ପ୍ରାର୍ଥୀ ମୈଦାନରେ ଅଛନ୍ତି। ମହାଗଠବନ୍ଧନରେ ଆରଜେଡି ସର୍ବାଧିକ ୭୧ ଆସନରେ ଭାଗ୍ୟ ପରୀକ୍ଷା କରିବ। କଂଗ୍ରେସ ୩୭, ମୁକେଶ ସହନିଙ୍କ ଭିଆଇପି ପାର୍ଟି ୭, ସିପିଆଇ(ଏମଏଲ) ୭, ସିପିଆଇ ୪ ଓ ସିପିଏମ ଗୋଟିଏ ସିଟରେ ଲଢ଼ୁଛି। ଓଓ୍ୱେସିଙ୍କ ଦଳ ଏହି ପର୍ଯ୍ୟାୟରେ ୨୧ ଆସନ ଓ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ଦଳ ୧୨୦ ଆସନରେ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି। ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ କରିବାକୁ ପ୍ରଶାସନର ସମସ୍ତ ପ୍ରସ୍ତୁତି ସରିଛି। ପୁଲିଂ ଟିମ୍ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଇଭିଏମ୍ ଧରି ବାହାରିସାରିଲେଣି। ସମ୍ୱେଦନଶୀଳ ତଥା ଦୁର୍ଗମ ଅଞ୍ଚଳକୁ ସ୍ୱତନ୍ତ୍ର ହେଲିକେପ୍ଟରରେ ପୁଲିଂ ପାର୍ଟିକୁ ପଠାଯାଇଛି। ୪୫ହଜାରରୁ ଅଧିକ ମତଦାନ କେନ୍ଦ୍ର କରାଯାଇଛି। ୪ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଡ୍ରୋନ୍ ଜରିଆରେ ନଜର ରଖାଯିବ। ସେପଟେ ୨୦୮ ପୁଲିସ କମ୍ପାନୀ ବିହାରରେ ନିୟୋଜିତ ନେଇ ପ୍ରଶ୍ନ କରିଛନ୍ତି ତେଜସ୍ୱୀ ଯାଦବ। ଏ ସବୁ ଫୋର୍ସ ବିଜେପି ଶାସିତ ରାଜ୍ୟରୁ କାହିଁକି ଆସିଲା। ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଝାଡ଼ଖଣ୍ଡ କି ତାମିଲନାଡ଼ୁରୁ ବି ଫୋର୍ସ ମଗାଯାଇପାରିଥାଆନ୍ତା ବୋଲି ପଚାରିଛନ୍ତି ତେଜସ୍ୱୀ। ପୁରା ସିଏମ ହାଉସ୍ ଓ ଦେଶର ଗୃହମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି। କେଉଁ ବିରୋଧୀ ଦଳର ନେତାଙ୍କୁ ରାତିରେ ଉଠାଯିବ, ଅଟକ ରଖାଯିବ, ବୁଥ ଜବରଦଖଲର ଚକ୍ରାନ୍ତ ହେଉଛି। ଅଧିକାରୀ ଅନ୍ୟାୟ କଲେ ମୁହଁତୋଡ଼ ଜବାବ ଦିଆଯିବ ବୋଲି ଚେତାଇ ଦେଇଛନ୍ତି ତେଜସ୍ୱୀ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି ବିହାରର ସଚେତନ ଭୋଟର ମହାଗଠବନ୍ଧନକୁ ଆଶୀର୍ବାଦ କରିବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ମିଶା ଯାଦବ। ସେପଟେ ବିହାର ନିର୍ବାଚନରେ ବିଜେପିର ଲକି ମାସ୍କଟ ବୋଲି କୁହାଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ। ଧର୍ମେନ୍ଦ୍ରଙ୍କୁ ବିହାର ନିର୍ବାଚନ ପରିଚାଳନା ଦାୟିତ୍ୱ ଦଳ ଦେଇଛି। ଧର୍ମେନ୍ଦ୍ରଙ୍କ ସଫଳ ରଣନୀତି ବିଜେପି ତଥା ଏନଡିଏକୁ ଜିତାଇଆସୁଛି। ଏଥର ଧର୍ମେନ୍ଦ୍ରଙ୍କ କାଟତି ଅତୁଟ ରହୁଛି ନା ଅଙ୍କ ବଦଳୁଛି, ସମସ୍ତଙ୍କ ନଜର। ବିଜେପି କହିଛି, ମୋଦିଙ୍କ ନୀତି ଓ ନୀତିଶଙ୍କ ନେତୃତ୍ୱ ପ୍ରତି ବିହାରବାସୀଙ୍କ ଭରସା ଅଛି। ଭୋଟିଂରେ ଏହା ପ୍ରତିଫଳିତ ହୋଇଛି ଓ ଆଗକୁ ବି ହେବ। ୧୨୧ ସିଟ୍ ପାଇଁ ନଭେମ୍ୱର ୬ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ରେକର୍ଡ ୬୫ ପ୍ରତିଶତ ମତଦାନ ହୋଇଥିଲା। ଆଉ ଅନ୍ତିମ ପର୍ଯ୍ୟାୟରେ ବି ମତଦାନର ହାରାହାରି ସେମିତି ଉତ୍ସାହଜନକ ରହିବ ବୋଲି ଆଶା କରାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now