ରାତି ପାହିଲେ ବିହାର ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ପ୍ରଥମ ପର୍ଯ୍ୟାୟରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ, ୨ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା, ବିଜେପିର ମୈଥିଲୀ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକୃପାଳ ଯାଦବଙ୍କ ସମେତ ଅନେକ ହେଭିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଜେଡିୟୁ ଲାଗି ଏସିଡ୍ ଟେଷ୍ଟ ସାଜିବ। କାରଣ ଦଳ ପ୍ରଥମ ପର୍ଯ୍ୟାୟ ଭୋଟରେ ୫୭ ଆସନରେ ଲଢ଼ୁଛି। ଏହି ୫୭ ଆସନରୁ ୨୩ ଆସନରେ ୨୦୨୦ରେ ଜେଡିୟୁ ଜିତିଥିଲା। ଏକଜିଟ୍ ପୋଲ୍ ଉପରେ ନଭେମ୍ୱର ୧୧ ସଂଧ୍ୟା ସାଢ଼େ ୬ ଯାଏଁ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ। କିନ୍ତୁ ଅପିନିୟନ ପୋଲ୍ ଉପରେ କୌଣସି ପ୍ରତିବନ୍ଧକ ନଥିବାରୁ ବିଭିନ୍ନ ସଂସ୍ଥା ଏହା ଜାରି କଲେଣି। ବିହାରରେ ସବୁଠି ଚର୍ଚ୍ଚା। ଏଥର କିଏ। ଏହାରି ଭିତରେ ଭୋଟ ଚୋରୀକୁ ନେଇ ଦିଲ୍ଲୀରେ ପ୍ରେସମିଟ୍ କରିଛନ୍ତି ରାହୁଲ ଗାନ୍ଧୀ। ଯେଉଁଠି କଂଗ୍ରେସ ଜିତିବାକୁ ଥିଲା, ସେଠାରେ ଭୋଟ ଚୋରୀ କରି ବିଜେପି ଶାସନଚୌକିକୁ ହାଇଜାକ୍ କରିନେଲା ବିଜେପି। ପୋଷ୍ଟାଲ ବାଲାଟ୍ ଓ ଭୋଟିଂ ଭିତରେ ବହୁ ତଫାତ୍ ରହୁଛି। ହରିଆଣାରେ ବ୍ରାଜିଲ ମହିଳା ମଡେଲ୍ ୨୨ଥର ଭୋଟ୍ ଦେଇଥିଲେ। କେତେବେଳେ ସୀମା, ସ୍ୱିଟି ତ କେତେବେଳେ ରଶ୍ମୀ, ସରସ୍ୱତୀ ନାଁରେ ଭୋଟ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।

ୱେଷ୍ଟ ଚମ୍ପାରନରେ ଭୋଟ ଚୋରୀ କଥା ଉଠାଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ୬୫ ଲକ୍ଷ ଭୋଟରଙ୍କ ନାଁ ଡିଲିଟ୍ କରିବାକୁ ଷଡ଼ଯନ୍ତ୍ର ହୋଇଛି। ବିହାରରେ ଭୋଟ ଚୋରୀ କରି ସରକାର ଗଠନ କରିବାକୁ ଚାହୁଁଛି ଏନଡିଏ। ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିଶନ ମିଳିତ ଭାବେ ସମ୍ୱିଧାନ ଓ ଗଣତନ୍ତ୍ରକୁ ମାରିଛନ୍ତି। ବିହାରରେ କ୍ରାଇମ୍ ଓ କରପସନକୁ ନିୟନ୍ତ୍ରଣ ବଦଳରେ କଂଗ୍ରେସ ପୋଷ୍ଟରରେ ତେଜସ୍ୱୀଙ୍କ ଫଟୋ ନଥିବା ନେଇ ବେଶୀ ବ୍ୟତିବ୍ୟସ୍ତ ମୋଦି ବୋଲି କଟାକ୍ଷ କରିଛନ୍ତି ପ୍ରିୟଙ୍କା। ସେପଟେ ରାହୁଲଙ୍କୁ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ। ୨୦୦୪ ନିର୍ବାଚନରେ ଏନଡିଏ ବି ହାରିଥିଲା। ୨୦୦୪ ନିର୍ବାଚନରେ ବି ଉଭୟ ଏକଜିଟ୍ ପୋଲ୍ ଓ ଓପିନିୟନ ପୋଲ୍ ବିଜେପି ଓ ଏନଡିଏକୁ ଜିତାଇଥିଲା। କିନ୍ତୁ ରେଜଲ୍ଟରେ ଏନଡିଏ ହାରିଗଲା। ସେତେବେଳେ ବିଜେପି ପରିଣାମକୁ ସ୍ୱୀକାର କଲା ଓ ୟୁପିଏକୁ ଅଭିନନ୍ଦନ ଜ୍ଞାପନ କଲା। କିନ୍ତୁ ନିର୍ବାଚନ କମିଶନଙ୍କୁ କେବେ ଗାଳି କରିନଥିଲା। ଗଣତନ୍ତ୍ରରେ ହାର୍ ଜିତ୍ ଲାଗିରହେ। ଉଭୟକୁ ସ୍ୱୀକାର କରିବାକୁ ହେବ। କିନ୍ତୁ ଏକଜିଟ୍ ପୋଲ୍ ଯେବେ କଂଗ୍ରେସ ସପକ୍ଷରେ ହୁଏ, ସେତେବେଳେ ବାହାବା କରେ କଂଗ୍ରେସ ଓ ବିରୁଦ୍ଧରେ ଗଲେ ମିଡିଆକୁ ଗାଳି କରେ।

ପୋଲଷ୍ଟ୍ରେଟ୍ ଜାରି କରିଥିବା ଅପିନିୟନ ପୋଲ୍ ଅନୁସାରେ, ଏନଡିଏ ଆଉ ଥରେ ସତ୍ତାକୁ ଆରାମରେ ଫେରିବ। ସର୍ଭେ ଅନୁସାରେ, ଏନଡିଏକୁ ପ୍ରାୟ ୪୪.୮୦ ପ୍ରତିଶତ ଭୋଟ୍ ସେୟାର ମିଳିବ। ଯେବେକି ମହାମେଣ୍ଟ ୩୮.୬୦ ପ୍ରତିଶତ ଭୋଟରେ ସୀମିତ ରହିପାରେ। ପ୍ରାୟ ୬ ପ୍ରତିଶତ ଭୋଟର ଅନ୍ତର ରହିବ। ଏନଡିଏ ୧୩୩ରୁ ୧୪୨ ସିଟ୍ ଜିତିପାରେ। ମହାଗଠବନ୍ଧନ ୮୦ରୁ ୮୮ ସିଟ୍ ପାଇବ। ବିଜେପିକୁ ୭୦ରୁ ୭୨, ଜେଡିୟୁକୁ ୫୩ରୁ୫୬, ଏଲଜେପିକୁ ୧୦ରୁ୧୨ ଓ ହାମ୍କୁ ୨ ସିଟରେ ସୀମିତ ରହିବାର ସମ୍ଭାବନା ରହିଛି। ଚାଣକ୍ୟ ଷ୍ଟ୍ରାଟେଜି ସର୍ଭେରେ ବିହାର ବିଧାନସଭାରେ ୧୨୮ରୁ ୧୩୪ ଆସନ ପାଇବ ଏନଡିଏ। ଆଉ ମହାଗଠବନ୍ଧନ ୧୦୨ରୁ ୧୦୮ ଆସନ ପାଇବ। ଅସାଦୁଦ୍ଦିନ ଓଓ୍ୱେସିଙ୍କ ଏଆଇଏମଆଇଏମ, ପଶୁପତି ପାରସଙ୍କ ଆରଏଲଜେପି ଓ ଅନ୍ୟ ଛୋଟ ଦଳକୁ ୩ଟି ଆସନ ହାସଲ କରିପାରେ। ମାଟ୍ରିଜ-ଆଇଏନଏସ ଅନୁସାରେ ଚିରାଗ ପାଶଓ୍ୱାନଙ୍କୁ ଶକ୍ତ ଧକ୍କା ଲାଗିବ। ଏନଡିଏ କ୍ଷମତାକୁ ଫେରିବ ସତ, କିନ୍ତୁ ଚିରାଗଙ୍କ ଦଳ ହାମୁଡ଼େଇପଡ଼ିବ। ପୋଲ୍ ଅନୁସାରେ, ଏନଡିଏ ୧୫୩ରୁ ୧୬୪ ଭିତରେ ଆସନ ଜିତିବ। ମୋଦି ମ୍ୟାଜିକ୍ କାମ କରିବ। ନୀତିଶଙ୍କ ଲୋକପ୍ରିୟତା ଓ ଶାସନରେ ସନ୍ତୁଷ୍ଟି ଭୋଟରଙ୍କ ଭିତରେ ଅତୁଟ ରହିବ। ଏନଡିଏ କ୍ଲିନସ୍ୱିପ୍ କରିବ। ମହାମେଣ୍ଟ ୭୬ରୁ୮୭ ଆସନରେ ସୀମିତ ରହିବ। ମୋଦିଙ୍କ ହନୁମାନ ବୋଲାଉଥିବା ଚିରାଗଙ୍କ ଦଳ ୨୯ ଆସନରେ ଲଢ଼ୁଛି। କିନ୍ତୁ ଏହା ମାତ୍ର ୪ରୁ୫ ଆସନରେ ସୀମିତ ରହିଯିବ। କିନ୍ତୁ ଜିତନରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆଓ୍ୱାମ୍ ମୋର୍ଚ୍ଚା (ହାମ୍) କିନ୍ତୁ ଆଶ୍ଚର୍ଯ୍ୟଜନକ ପରଫରମାନ୍ସ କରିବ। ଏହା ୪ରୁ ୫ ଆସନରେ ଜିତିବ, ଯାହାର ବିଜୟ ହାର ପ୍ରାୟ ୯୦ ପ୍ରତିଶତ ରହିବ। କଂଗ୍ରେସ ୬୨ ଆସନରେ ଲଢ଼ୁଛି। ମାତ୍ର ୭ରୁ୯ ସିଟରେ କେବଳ ଜିତିବ। ୟୁପି ଭଳି ବିହାରରେ ଅବସ୍ଥା ଭୋଗିବ କଂଗ୍ରେସ। ୟୁପିରେ ଅଖିଳେଶ ଯାଦବ ୨୦୧୭ରେ କଂଗ୍ରେସକୁ ଲଢ଼ିବାକୁ ୧୦୦ ଆସନ ଦେଇଥିଲେ। କିନ୍ତୁ ଦଳ ମାତ୍ର ୭ଟି ଆସନରେ ଜିତିଲା। ବିହାରରେ ସେମିତି ଆରଜେଡି ଏଥର କଂଗ୍ରେସକୁ ଅଧିକ ଆସନ ଦେଇଛି। ଆଉ ସମଦଶା ଭୋଗିବ। ମୁକେଶ ସହନୀଙ୍କ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି)ର କୌଣସି ପ୍ରଭାବ ରହିବନି। ଏହାର ଭୋଟ ସେୟାର ୧ ପ୍ରତିଶତକୁ ହ୍ରାସ ପାଇବ। ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ପୋଲରେ ଏଣ୍ଟ୍ରାନ୍ସ କରିଛି ସତ। କିନ୍ତୁ ଏହି ଏଣ୍ଟ୍ରିରେ ଜନସୁରାଜ ପାର୍ଟିର ଭୋଟହାର ୪ ପ୍ରତିଶତ ବଢ଼ିବ। ପୋଲ୍ ଅଫ ପୋଲସରେ ଏନଡିଏ ସରକାର କରିବ। ଏଥିରେ ଏନଡିଏକୁ ୧୪୩ ସିଟ୍, ମହାଗଠବନ୍ଧନ ୯୫ ସିଟ୍ ଓ ଅନ୍ୟାନ୍ୟ ଦଳକୁ ୫ ସିଟ୍ ମିଳିବ। ଆରଜେଡିକୁ ସବୁଠୁ ଅଧିକ ୬୨ରୁ ୬୬ ଭୋଟ୍ ମଳିବ। ଦୁଇ-ତୃତୀୟାଂଶ ବହୁମତରେ ଏନଡିଏ ବିହାରର ଶାସନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ରାଜନାଥ ସିଂ। ଏନଡିଏ ସପକ୍ଷରେ ହାଓ୍ୱା ବହୁଛି। ଲୋକଙ୍କୁ ଭୟଭୀତ କରି ଆରଜେଡି ଭୋଟ ନେବାକୁ ପ୍ରୟାସ କରୁଥିଲା। ବିହାରର ବିକାଶ ଲାଗି କଦାପି ଚିନ୍ତିତ ନଥିଲା ବୋଲି ବାଙ୍କା ନିର୍ବାଚନୀ ସଭାକୁ ସମ୍ୱୋଧିତ କରି କହିଛନ୍ତି ରାଜନାଥ। ରାହୁଲ ଜାଣିବା ଦରକାର, ଦେଶ ଚଳାଇବା ପିଲା ଖେଳ ନୁହେଁ। ନୀତିଶଙ୍କ ଦେହରେ ଦୁର୍ନୀତିର ଛିଟା ଲାଗିଥିବାର କେହି କହିପାରିବେନି। କିଏ ମାରିବ ବାଜି। ସୁଶାସନ ବନାମ ଜଙ୍ଗଲରାଜ। ବିକାଶ ବନାମ ବିଭ୍ରାନ୍ତ। ଆରୋପ ପ୍ରତ୍ୟାରୋପ ରାଜନୀତି ଭିତରେ ପୋଲ୍ ସର୍ଭେ ଜାରି କରିଥିବା ବିଭିନ୍ନ ସଂସ୍ଥାର ଆକଳନ କେତେଦୂର ସତ ହେଉଛି, ନଭେମ୍ୱର ୧୪ରେ ପ୍ରମାଣିତ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now