ଚାଷୀଙ୍କ ଉନ୍ନତି ନାମରେ ନିଜର ପକେଟ୍ ଗରମ କରୁଛି ବିଜୁ ଜନତା ଦଳ : ବିଜେପି

Spread the love

ଭୁବନେଶ୍ୱର : ରାଜ୍ୟରେ ବିଜେଡି ସରକାର କ୍ରମାଗତ ଭାବେ ଚାଷୀଙ୍କୁ ପ୍ରତାରଣା କରିଆସୁଛନ୍ତି । ଚାଷୀଙ୍କ ମୃର୍ତିକା ଉର୍ବର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଜଣେ ଚାଷୀ କିଭଳି ଅଧିକ ଅମଳ କରିପାରିବ ସେ ନେଇ ମୋଦି ସରକାର ନୂଆ ଚିନ୍ତା ଓ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି । ନିମ୍ କୋଟେଡ ୟୁରିଆ, ନାନୋ ୟୁରିଆର ପ୍ରଚଳନ ଦ୍ୱାରା ଜମିର ଉର୍ବରତା ବୃଦ୍ଧି ପାଇବ, ଉତ୍ପାଦନ ବୃଦ୍ଧି ପାଇବ ଏବଂ କୃଷକର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଅନୁରୁପ ଭାବେ ପରିବେଶ ଓ ପ୍ରଦୁଷଣ ହ୍ରାସ ପାଇବ । ଗୋଟିଏ ଏକରରେ ଦୁଇବସ୍ତା ୟୁରିଆ ଆବଶ୍ୟକ ଥିବାବେଳେ ସେଠି ନାନୋ ୟୁରିଆ ମାତ୍ର ୫୦୦ଗ୍ରାମ ଆବଶ୍ୟକ ରହିଛି । ସେହିପରି ତରଳ ୟୁରିଆ (ଲିକ୍ୟୁଡି ୟୁରିଆ)ର ବ୍ୟବହାର ଚାଷୀଙ୍କ ପାଇଁ ବଡ ସହାୟକ ହେବା ସହିତ ଜମିର ଉର୍ବରତାକୁ ମଧ୍ୟ ସୁରକ୍ଷା ଯୋଗାଇବ । ମାତ୍ର ଓଡିଶାରେ ବିଜୁ ଜନତା ଦଳ ଚାଷୀଙ୍କ ନାମରେ ବସ୍ତା ବସ୍ତା ୟୁରିଆ ଆଣି କଳାବଜାରୀ ଓ ଘୋଟାଲା କରିବା ହେଉଛି ମୁଳ ଉଦ୍ଦେଶ୍ୟ । ପ୍ରକୃତରେ ରାଜ୍ୟ ସରକାର “ଚାଷୀଙ୍କ ଉନ୍ନତି ନାମରେ ନିଜର ପକେଟ୍ ଗରମ” ହେବ ସେକଥା ଚିନ୍ତା କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ବର୍ଷା ହେଲେ ପନିପରିବା ଦର ବୃଦ୍ଧି ପାଏନାହିଁ, ବରଂ ଅମଳ ବୃଦ୍ଧି ହୋଇଥାଏ । ମାତ୍ର ଅମଳ ହୋଇଥିବା ଶସ୍ୟକୁ ସଂରକ୍ଷଣ କରିନପାରିଲେ ଏହା ନଷ୍ଟ ହୋଇଥାଏ କିମ୍ବା କଳାବଜାରୀଙ୍କ ହାତକୁ ଚାଲିଯାଇଥାଏ ଏବଂ ଦର ନିୟନ୍ତ୍ରଣ ବାହାରୁ ଚାଲିଯାଏ । ଏ କଥା ବୋଧ ହୁଏ ରାଜ୍ୟର କୃଷିମନ୍ତ୍ରୀ ମହୋଦୟ ଭୁଲିଯାଇଛନ୍ତି । ପ୍ରକୃତିକୁ ଦୋଷ ଲଦି ଦେଇ ଏଭଳି ମିଥ୍ୟା ଏବଂ ବିଭ୍ରାନ୍ତକାରୀ ମନ୍ତବ୍ୟ ଦେବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ।

ରାଜ୍ୟରେ ଆଜି ଆକାଶଛୁଆଁ ପନିପରିବା ଦର ପାଇଁ ବିଜେଡି ସରକାର ସଂପୂର୍ଣ୍ଣ ଦାୟୀ । କିଛି ମାସ ତଳେ ମାତ୍ର ୫୦ ପଇସା ପ୍ରତି କେଜି ଦରରେ ବିକ୍ରି ହେଉଥିବା ଟମାଟୋର ଦର ଆଜି ୧୦୦ ଟଙ୍କାରେ ପହଂଚିଛି । କେବଳ ଟମାଟୋ ନୁହେଁ ବରଂ ଅନ୍ୟାନ୍ୟ ଆବଶ୍ୟକୀୟ ପନିପରିବା ଦର ମଧ୍ୟ ସାଧାରଣ ଲୋକଙ୍କ ପକେଟକୁ ବଡ ବାଧୁଛି । ୨୩ ବର୍ଷର ଶାସନରେ ଗୋଟିଏ ହେଲେ ନୂତନ ଶୀତଳ ଭଣ୍ଡାର ଖୋଲିବାରେ ଅସମର୍ଥ ବିଜେଡି ସରକାର ଦରଦାମ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ସୁଲଭ ମୂଲ୍ୟରେ ଖାଉଟିଙ୍କୁ ପରିବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *