ଓଡ଼ିଶାର ଯୁବକ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜୁ ଯୁବଜନତା ଦଳ ସଂକଳ୍ପ କରୁ : ଯୁବମୋର୍ଚ୍ଚା

Spread the love

ଭୁବନେଶ୍ୱର : ଗତକାଲି ବିଜୁ ଯୁବଜନତା ଦଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରି ପ୍ରତ୍ୟେକ ଜିଲ୍ଲାରେ “ସଂକଳ୍ପ ସମାବେଶ” ଓ ଆନ୍ଦୋଳନ କରିବାର ନିଷ୍ପତି ନେଇଛି । ଏନେଇ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିସ୍ ଆଚାର୍ଯ୍ୟ ୨୩ବର୍ଷର ବିଜୁ ଯୁବଜନତା ଦଳଙ୍କ ଏଭଳି ନିଷ୍ପତି ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ।

ଆଚାର୍ଯ୍ୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୁ ଯୁବଜନତା ଦଳ ରାଜ୍ୟ ସରକାରଙ୍କ ଗୁମାସ୍ତା ନହୋଇ ଓଡ଼ିଶାର ଯୁବକ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସଂକଳ୍ପ କରୁ । ବିଜୁ ଯୁବଜନତା ଦଳ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ଉଠାଇବା ପାଇଁ ଭୟ କରୁଛି । କାରଣ ରାଜ୍ୟର ଯୁବପିଢ଼ିଙ୍କ ସମସ୍ୟାକୁ ଅଣଦେଖା କରିଛନ୍ତି ରାଜ୍ୟ ସରକାର । ଯୁବକମାନଙ୍କ ପାଇଁ ରାଜ୍ୟରେ ରୋଜଗାର ନାହିଁ । ଗାଁ ଗାଁରେ ଯୁବକ ମାନଙ୍କୁ ନିଶାରେ ବୁଡାଇ ରଖିଛନ୍ତି ରାଜ୍ୟ ସରକାର । ଓଡିଶାରେ ଏବେ ୯ଲକ୍ଷ ବେକାରୀ ରହୁଛନ୍ତି କିନ୍ତୁ ବିଜୁ ଯୁବଜନତା ଦଳ ଏନେଇ କୌଣସି ସ୍ୱର ଉଠାଉନାହିଁ ।

ରାଜ୍ୟ ସରକାର କଲେଜମାନଙ୍କରେ ନିର୍ବାଚନ ବନ୍ଦ କରି ଛାତ୍ରନେତା ତିଆରି କରିବାର ସୁଯୋଗ ବନ୍ଦ କରିଦେଲେ । କଲେକ୍ଟର,ଏସପି, ବ୍ଲକ, ବିଡିଓ, ତହସିଲଦାର ଇତ୍ୟାଦି ଚାକିରୀ ପରେ ନେତା ହେବେ । ଯେଉଁମାନେ ରାଜନୀତି କରିବେ ସେମାନେ ପ୍ରଶାସନିକ ଅଧିକାରୀଙ୍କ ଗୁମାସ୍ତା ହେବେ । ରାଜ୍ୟରେ କାହିଁକି ବେରୋଜଗାର ବଢ଼ୁଛି, ଲୋକେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ତାହାର ବିଜୁ ଯୁବଜନତା ଦଳ କୌଣସି ବ୍ୟବସ୍ଥା ନକରି “ସଂକଳ୍ପ ସମାବେଶ” କ’ଣ କରିବେ ବୋଲି ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ସେହିପରି ଦୀର୍ଘ ୬ବର୍ଷ ପୁର୍ବର ମହାନଦୀ ବଞ୍ଚାଅ ନାରା କଆଡେ ଗଲା । ୫୨ପ୍ରତିଶତ ଜଳ ସଂରକ୍ଷଣ ହେବ ବୋଲି ରାଜ୍ୟ ସରକାର ମାଷ୍ଟର ପ୍ଲାନ କରିଥିଲେ କୁଆଡେ ଗଲା । ପୂର୍ବରୁ ମହାନଦୀ ଅବବାହିକାରେ ଲକ୍ଷ ଲକ୍ଷ ଚାରା ଲଗାଯାଇଥାନ୍ତା କିନ୍ତୁ ତାହାକୁ ମଧ୍ୟ ଘୋଟାଲା କରିଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ଧାନର ଏମଏସପି ୨୦୧୪ରେ ୧୩୧୦ଟଙ୍କା ଥିଲା ତାହା ୨୧୮୩ଟଙ୍କାରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ପାଇଁ ଚାଷୀ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେବା ସହ ଧାନ ମଣ୍ଡିରେ ପଡିରହିଥିବାରୁ ଧାନ ଗଜା ହୋଇଗଲାଣି । ଏନେଇ ବିଜେପି ବାରମ୍ବାର ଆନ୍ଦୋଳନ କରୁଛି । ୨୦୧୭ରେ ମୁଖ୍ୟମନ୍ତ୍ରୀ ସୋହେଲା ଚାଷୀ ସମାବେଶରେ ୧୦୦ଟଙ୍କା ବୋନସ ଦେବେ ବୋଲି କହିଥିଲେ କିନ୍ତୁ ଏଯାଏଁ ମିଳିନାହିଁ । ମିଛୁଆ ମୁଖ୍ୟମନ୍ତ୍ରୀ ପାଇଁ ଆନ୍ଦୋଳନ କରିବେ ନା ଚାଷୀ ହକ ପାଇଁ ଆନ୍ଦୋଳନ କରିବ ବିଜୁ ଯୁବଜନତା ଦଳ ତାହାର ଉତର ରଖନ୍ତୁ ବୋଲି ଆଚାର୍ଯ୍ୟ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ ଷଡଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଧର, ଯୁବମୋର୍ଚ୍ଚା କାର୍ଯ୍ୟାଳୟ ସମ୍ପାଦକ ମନୋଜ ପଶ୍ଚିମକବାଟ, ଯୁବମୋର୍ଚ୍ଚା ମିଡିଆ ସହ ସଂଯୋଜକ ଅଭିଜିତ ମିଶ୍ର, ସାମାଜିକ ଗଣମାଧ୍ୟମ ସଂଯୋଜକ ସ୍ମରଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *