ସତ୍ତା ପାଇଁ ବିଜେପି-କଂଗ୍ରେସ ଭିତରେ ମେଣ୍ଟ : ମହାରାଷ୍ଟ୍ର ରାଜନୀତିରେ ହଲଚଲ

ମହାରାଷ୍ଟ୍ରରେ ଅଜବ ମେଣ୍ଟ। ମହାନଗର ନିର୍ବାଚନରେ କଟ୍ଟର ବିରୋଧୀଙ୍କ ସହ ହାତ ମିଳାଇଲା ବିଜେପି। କଂଗ୍ରେସ ଓ ଏଆଇଏମଆଇଏମ ସହ ମେଣ୍ଟ କଲା ବିଜେପି। ନଗର ନିଗମକୁ ଦଖଲ କରିବାକୁ ଆଗ ବିଜେପି ଠାଣେରେ ସିନ୍ଦେଙ୍କ ଶିବସେନା ବିରୁଦ୍ଧରେ କଂଗ୍ରେସ ସହ ଗଠବନ୍ଧନ କରିଛି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏହି ମେଣ୍ଟକୁ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏଭଳି ଗଠବନ୍ଧନ କଥାକୁ ମନା କରିଛନ୍ତି। ଏହା ସହ ଦଳୀୟ ନେତାଙ୍କୁ ବି ଚେତାବନୀ ଦେଇଛନ୍ତି। ଫଡନାଭିସ ସ୍ପଷ୍ଟ କରିଛନ୍ତି ଯେ, ଏହି ମେଣ୍ଟ ପାଇଁ ଦଳର ବରିଷ୍ଠ ନେତାଙ୍କ ମଞ୍ଜୁରୀ ନାହିଁ। ଏହା ଦ୍ୱାରା ସଂଗଠନର ଅନୁଶାସନର ଉଲ୍ଲଂଘନ ହେବ। କଂଗ୍ରେସ କି ଏଆଇଏମଆଇଏମ ସହ କୌଣସି ପ୍ରକାର ମେଣ୍ଟକୁ ଗ୍ରହଣ କରାଯିବନି। ଯଦି କୌଣସି ସ୍ଥାନୀୟ ନେତା ଏଭଳି ନିଷ୍ପତ୍ତି ନେଉଛନ୍ତି। ତା ହେଲେ ଏହାକୁ ଅନୁଶାସନ ବିରୋଧୀ ଦର୍ଶାଇ ଆବଶ୍ୟକୀୟ ଆକ୍ସନ ନିଆଯିବ।

ଏଭଳି ମେଣ୍ଟକୁ ନେଇ ବିରୋଧୀ ଦଳ ବି ବିଜେପିକୁ ଘେରିବାକୁ ଆରମ୍ଭ କରିଛନ୍ତି। ଶିବସେନା(ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଅମ୍ୱରନାଥ ଓ ଅକୋଟରେ କଅଣ ହେଲା। ସତ୍ତାରେ ରହିବାକୁ ବିଜେପି କାହା ସହ ବି ମେଣ୍ଟ କରିବାକୁ ଡେଇଁପଡ଼ିବ। ଠାଣେର ଅମ୍ୱରନାଥ ନଗରନିଗମ ଆସନରେ କଂଗ୍ରେସ ସହ ମେଣ୍ଟ କରି ବିଜେପି ଏଠାରେ କ୍ଷମତା ଦଖଲ କରିସାରିଛି। ଏହି ନଗରନିଗମରେ ବିଜେପିର ତେଜଶ୍ରୀ କରଞ୍ଜୁଲେ ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଅମ୍ୱରନାଥ ନଗର ପରିଷଦରେ ମୋଟ୍ ୫୯ ସିଟ୍ ଅଛି। ନିର୍ବାଚନରେ ଏକନାଥ ସିନ୍ଦେଙ୍କ ଶିବସେନା ୨୮ ସିଟରେ ଜିତି ପରିଷଦର ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଥିଲା। ସିନ୍ଦେଙ୍କ ସହଯୋଗୀ ବିଜେପିକୁ ୧୫ଟି ଆସନ ମିଳିଥିଲା। କଂଗ୍ରେସ ୧୨ଟି ପରିଷଦ ଅକ୍ତିଆର କରିଥିଲା। ଅଜିତ ପାଓ୍ୱାରଙ୍କ ଏନସିପି(ଏପି) ୪ଟି ସିଟ୍ ଦଖଲ କରିଥିଲା। ଅମ୍ୱରନାଥ ପରିଷଦକୁ ଲମ୍ୱା ସମୟ ଧରି ଶିବସେନା ଦଖଲରେ ଥିଲା। ଏଥର ବିଜେପି ଦ୍ୱିତୀୟ ସ୍ଥାନରେ ରହି ସୁଦ୍ଧା ସିନ୍ଦେଙ୍କୁ ସତ୍ତାରୁ ବାହାରେ ରଖିବାକୁ କଂଗ୍ରେସ ସହ ହାତ ମିଳାଇଦେଲା। ଏହା ଗଠବନ୍ଧନକୁ ଅମ୍ୱରନାଥ ବିକାଶ ଅଗାଡ଼ି ନାଁ ଦିଆଯାଇଥିଲା। ଏହି ମେଣ୍ଟରେ ମୋଟ୍ ୩୧ ଜଣଙ୍କ ସମର୍ଥନ ରହିଛି। ଯାହା ସ୍ପଷ୍ଟ ବହୁମତ ଲାଗି ଜରୁରୀ ସଂଖ୍ୟା ୩୦ରୁ ଅଧିକ। ସେପଟେ ଅକୋଲା ଜିଲ୍ଲାର ଅକୋଟ ନଗରନିଗମରେ ଏଆଇଏମଆଇଏମ ସହ ଗଠବନ୍ଧନର ଘୋଷଣା କରିଛି ବିଜେପି। ସିନ୍ଦେଙ୍କ ଖେଳ ବିଗାଡ଼ିବାକୁ ଏଭଳି ମେଣ୍ଟ ହୋଇଥିବା ଚର୍ଚ୍ଚା ହେଉଛି। ସିନ୍ଦେଙ୍କ ଦଳ ଏହାକୁ ବିଶ୍ୱାସଘାତ ବୋଲି କହୁଛି। ବିଜେପି ଓ କଂଗ୍ରେସ ଭିତରେ ଏଭଳି ଅପ୍ରତ୍ୟାଶିତ ଗଠବନ୍ଧନ ପଛରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା (ସିନ୍ଦେ)କୁ ସତ୍ତାରୁ ଦୂରେଇ ରଖିବା ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *