କଂଗ୍ରେସ: ବିପର୍ଯ୍ୟୟ ବେଳେ ବିପରୀତ ବୁଦ୍ଧି!

Spread the love

ବିପତ୍ତି ବେଳେ ବିପରୀତ ବୁଦ୍ଧି! କିଛି ଏମିତି ଢଙ୍ଗରେ ଚାଲିଛି କି କଂଗ୍ରେସର ନୀତି। ୯ରୁ ୯୦ ମିଶନ ତ ଚୁଲିକି ଚାଲିଗଲା। ଅବଶ୍ୟ ଆଶ୍ୱସ୍ତ, ଆଖିଦୃଶିଆ ଆସନ ଆଣିପାରିଲା ଏଥର ଦଳ। ଦୁଇ ଅଙ୍କ ଡେଇଁଗଲା। ଆଉ ତା ସାଙ୍ଗକୁ କୋରାପୁଟ ସଂସଦୀୟ କ୍ଷେତ୍ରକୁ ଗଲା ଥର ଭଳି ନିଜ ଖାତାରେ ରଖିପାରିଲା। ଯେତେବେଳେ ବି ବିଜେଡି ପୁରା ସଫା ହୋଇଗଲା ଏଥର। ଲୋକସଭାରେ ବିଜେଡିର ଉପସ୍ଥାନ ଶୂନ୍। ପରାଜୟର ଅନୁଶୀଳନ, ଆତ୍ମସମୀକ୍ଷା ଭିତରେ ଶରତ-ଅଜୟ ଯୋଡ଼ି ଦଳକୁ ସଜାଡ଼ିବା କାମରେ ଲାଗିଛନ୍ତି ନା ଅଧିକ ଭାଙ୍ଗିବାରେ ଲାଗିଛନ୍ତି, ତାକୁ ନେଇ ସବୁଠି ଚର୍ଚ୍ଚା।

 ନିକଟରେ ମାନସ ଚୌଧୁରୀଙ୍କ ଭଳି ନେତାଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ଲାଗି ଦଳରୁ ୬ ବର୍ଷ ଲାଗି ବହିଷ୍କାର ଘଟଣାକୁ ସହଜେ ଗ୍ରହଣ କରିହେଉନି। କାରଣ ମାନସ ହେଉଛନ୍ତି କଂଗ୍ରେସର ସେହି ଚେହେରା ଯାହାଙ୍କୁ ଅଭିନବ ପ୍ରତିବାଦର ମାଷ୍ଟରମାଇଣ୍ଡ୍ ବୋଲି ପରିଗଣିତ କରାଯାଏ। ଭୁବନେଶ୍ୱର କି କଟକ। ଏନଏଚଏଆଇ ଅଫିସରେ ପାଣି ପମ୍ପ ଲଗାଇ ପାଣି ପୁରାଇ ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା ହେଉ କି ଲାଞ୍ଚ ନ ନେଲେ କାମ ମିଳିବନି କହିବାରୁ କଟକ ପ୍ରାଚୀ ଡିଭିଜନ ଅଫିସରେ ଜଣେ ଓଡ଼ିଆ ଠିକାଦାର ଟଙ୍କା ବଦଳରେ ନିଜ ପୋଷାକ ସହ ପନିପରିବା ଥୋଇ ପ୍ରତିବାଦ କରିଥିଲେ। ଏହା ପଛରେ ବି ମାନସ ଚୌଧୁରୀ ଥିଲେ। କଟକ ଜିଲ୍ଲା କଂଗ୍ରେସ ସଭାପତି ଥିଲେ ମାନସ।  କଟକ ସିଏସମି ବୈଠକ ଚାଲିଥିବା ବେଳେ ମେୟର ସୁବାଷ ସିଂଙ୍କୁ ବାଥରୁମ୍ କବାଟ ଦେଇ କଟକ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଅଭିନବ ପ୍ରତିବାଦ କରିଥିଲେ। ମେୟରଙ୍କ ଅସହାୟତା ଦେଖି କବାଟ ସହ ମଜୁରୀ ବାବଦକୁ ୫ଶହ ଟଙ୍କା ସିଏମସି କମିଶନରଙ୍କୁ ଦେଇଥିଲେ। ପାଣ୍ଠି ଅଭାବରୁ ନିଜ ଗାଧୁଆ ଘରେ କବାଟ ଲଗାଇପାରୁନି ବୋଲି କହିବାରୁ ମେୟରଙ୍କୁ ଏଭଳି କାଉଣ୍ଟର କରିଥିଲେ ମାନସ।

ବିଜେଡି- ବିଜେପି ଭିତରେ ସଲାସୁତୁରା ପଲିଟିକ୍ସକୁ ଜନମାନସରେ ଦର୍ଶାଇବାକୁ ଯାଇ ଉଭୟ ଦଳ ଭିତରେ ବାହାଘର କରାଇ ଆଗ ଅଭିନବ ପ୍ରତିବାଦ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ ସେତିକି ନୁହେଁ। ଉଭୟଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ ଜନ୍ମିତ ୧୦ଟି ଭ୍ରଷ୍ଟାଚାରକୁ ପ୍ରତୀକାତ୍ମକ କଣ୍ଢେଇ ଭାବରେ ଦର୍ଶାଯାଇଥିଲା। ଏହାର ରୂପରେଖ ବି ତିଆରି କରିଥିଲେ ମାନସ।

କଟକ ସାଲେପୁରରେ ରାହୁଲ ଗାନ୍ଧୀଙ୍କ ସମାବେଶ ହେଉ କି ଭୁବନେଶ୍ୱରରେ ଖଡ଼ଗେଙ୍କ ସମାବେଶ ସବୁଥିରେ ସେ ସହଯୋଗ କରିଥିବା କଥା କହିଛନ୍ତି। ତେବେ ମାନସଙ୍କୁ ଦଳବିରୋଧୀ କାର୍ଯ୍ୟକଳାପରେ ୬ ବର୍ଷ ଲାଗି ବିଦା କରିଛି କଂଗ୍ରେସ। କିନ୍ତୁ ମାନସ ଯେଉଁ ଆରୋପ ଲଗାଇଛନ୍ତି, ସତ ହୋଇଥିଲେ ସାଙ୍ଘାତିକ। ମାନସଙ୍କ କହିବା ଥିଲା, ୮୦ ବିଧାନସଭା ଓ ୧୪ ଲୋକସଭା ପ୍ରାର୍ଥୀଙ୍କ ଲାଗି ଆସିଥିବା ଦଳୀୟ ପାଣ୍ଠି କୁଆଡ଼େ ଶରତ-ଅଜୟ ଯୋଡ଼ି ଜାଲି ଦସ୍ତଖତ ବଳରେ ଖାଇଗଲେ। ଏ କଥାକୁ ଏଆଇସିସିକୁ ଜଣାଇବାରୁ କୁଆଡେ ଏଭଳି ଆକ୍ରୋଶମୂଳକ ଆକ୍ସନ ହେଲା।

ଅବଶ୍ୟ ମାନସଙ୍କ ଏଭଳି ଆରୋପର ପ୍ରମାଣ ମାଗିଛନ୍ତି ଶରତ। ଏତିକିବେଳେ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ କଂଗ୍ରେସର ଏଭଳି ଶୋଚନୀୟ ପ୍ରଦର୍ଶନରେ ମର୍ମାହତ ହୋଇ ଭକ୍ତଚରଣ ଦାସ ଇସ୍ତଫା ଦେଇଛନ୍ତି। ଆଶାନୁରୂପ ଫଳ ଆସିଲାନି କହି ନିଜ ଉପରକୁ ନୈତିକତା ଦୃଷ୍ଟିରୁ ଦାୟିତ୍ୱ ନେଲେ। ହେଲେ ଏଭଳି ବିପର୍ଯ୍ୟୟ ଲାଗି କାହିଁକି ଶରତ-ଅଜୟ ଯୋଡ଼ି ନେବେନି ବୋଲି କଂଗ୍ରେସ ଶିବିରରୁ ପ୍ରଶ୍ନ ଉଠିଲାଣି।

ନିର୍ବାଚନ ବେଳେ ସୁରଙ୍କ ଭଳି କୁହାଳିଆ ନେତାଙ୍କୁ ବି ଦଳ ବିଦା କରିଦେଇଥିଲା। ସାନ ପୁଅ ମନ୍ମଥ ବିଜେଡିରୁ ଟିକଟ ପାଇବା ଓ ମନ୍ମଥଙ୍କ ଲାଗି ଖୁଲମଖୁଲା ପ୍ରଚାର କରିବାରୁ ସୁର ବିଦା ହେଲେ। ତା ସତ୍ତ୍ୱେ କଂଗ୍ରେସର ରକ୍ତ ତାଙ୍କ ଦେହରେ ବୋହୁଛି। ମରିବା ଯାଏ ଆଉ କୌଣସି ଦଳକୁ ଯିବିନି ବୋଲି ପଣ କରିଥିବା ତଥା ଲୋକଙ୍କ ନେତା ସୁରଙ୍କୁ ପୁଣି କଂଗ୍ରେସ କୋଳେଇନେବ କି।

କଂଗ୍ରେସ ବିଧାୟକ ଦଳ ନେତା ଚୟନକୁ ନେଇ କସରତ ଜାରି ଭିତରେ ଏଥିରେ ବି କେଁ ପଶିଲାଣି। ତାରାପ୍ରସାଦ ବାହିନୀପତି ଏହି ପଦରେ ବସିବାକୁ ସବୁଠୁ ବରିଷ୍ଠ ଓ ଅନୁଭବୀ ଭାବେ ଉପଯୁକ୍ତ ଦାବିଦାର ଥିଲା ବେଳେ ତାଙ୍କରି ନାଁରେ ବି ମୋହର ଲଗାଇବାକୁ ବିଳମ୍ୱ ହେଲାଣି। ଚୟନ ଲାଗି ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ବିଜୟୀ ବିଧାୟକଙ୍କ ସହ ଓ୍ୱାନ-ଟୁ ଓ୍ୱାନ ଆଲୋଚନା କରି ରିପୋର୍ଟ ବି ତିଆରି କଲେ। ହେଲେ ଏଯାଏ ପର୍ଯ୍ୟବେକ୍ଷକ ରିପୋର୍ଟ ଦାଖଲ କଲେନି।

ସାରା ଓଡ଼ିଶାରେ ସୁର ଓ ମାନସ ବେଶ୍ ପରିଚିତ ନାଁ। ଏମାନଙ୍କ ପଛରେ ଦଳବିରୋଧୀ ଟ୍ୟାଗଲାଇନ ଲଗାଇ ଦଳ ବିଦା କରିଦେଇଛି। ତେବେ କଂଗ୍ରେସ ନିଜ ଘର ସଜାଡ଼ି ଏଥର ୨୦୧୯ ତୁଳନାରେ ଅପେକ୍ଷାକୃତ ଅଧିକ ଆସନ ଆଣିଥିବାରୁ ଏହି ଉଲ୍ଲାସକୁ ବିଦ୍ରୋହ, ଅସନ୍ତୋଷ ଭିତରେ ଘାରି ନ ହେଉ। ଶରତଙ୍କ ନେତୃତ୍ୱ ଠିକଣା ବାଟରେ ଚାଲିଲେ ଦଳ ପ୍ରତି ଅଧିକ ଆସ୍ଥାପ୍ରକଟ କରିବେ କର୍ମୀ ଓ ନେତା।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *