ଇଦ୍ ରେ ରାଜନୀତି

ପବିତ୍ର ଇଦ୍ ପର୍ବକୁ ନେଇ ସବୁଠି ଉତ୍ସବମୁଖର ପରିବେଶ। ସମୂହ ନମାଜପାଠ ସହ ମୁସଲିମ ସମ୍ପ୍ରଦାୟ ବିଶ୍ୱରେ ଭାଇଚାରା, ମୈତ୍ରୀର କାମନା କରିଛନ୍ତି। ଜାମା ମସଜିଦରେ ସମୂହ ନମାଜ ପାଠ ହୋଇଛି। ତେବେ ଇଦ୍ ରେ ରାଜନୀତି ବି ସେତିକି ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଦେଶବାସୀଙ୍କୁ ଇଦ୍-ଉଲ-ଫିତରର ଶୁଭେଛା ଜଣାଇଛନ୍ତି। ଦେଶରେ ମୁସଲିମଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ନେଇ ଉଦବେଗ ପ୍ରକାଶ କରିଛନ୍ତି ପିଡିପି ମୁଖ୍ୟ ମେହେବୁବା ମୁଫତି। ଜମ୍ମୁକଶ୍ମୀରରେ ଶାନ୍ତି କାଏମ ରହୁ ବୋଲି ପ୍ରାର୍ଥନା କରିଛନ୍ତି। ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓଓ୍ୱେସି କହିଛନ୍ତି, ଦେଶରେ ଥିବା ମୁସଲମାନଙ୍କୁ ନ୍ୟାୟ ମିଳୁ। ସେମାନଙ୍କ ହକ୍ ଛଡ଼ାଇବାକୁ ଉଦ୍ୟମ ନ ହେଉ। ରାଜନୀତି ଆଢୁଆଳରେ ସଂଖ୍ୟାଲଘୁଙ୍କ ଭିତରେ ଫାଟ ସୃଷ୍ଟି ନ ହେଉ।

ସେପଟେ ପଶ୍ଚିମବଙ୍ଗର ମୋତିଭାରିରେ ହିଂସାକୁ ନେଇ ଇଦଗାହ ପଡିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସମସ୍ତ ଧର୍ମ ପାଇଁ ସେ ଜୀବନ ଦେବାକୁ ପ୍ରସ୍ତୁତ। ତାଙ୍କ ସରକାର ଦଙ୍ଗାକାରୀଙ୍କୁ କଡ଼ା ଜବାବ ଦେବା ଲାଗି ସମର୍ପିତ। ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ଦାୟୀ କରି କହିଛନ୍ତି,ଆଗ ନାଲି ଦଳ ଧର୍ମନିରପେକ୍ଷତାର କଥା କହୁଥିଲା। ଏବେ ନାଲି ଓ ଗେରୁଆ ହାତ ମିଳାଇଛନ୍ତି। ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସଂଖ୍ୟାବହୁଳଙ୍କ ଦାୟିତ୍ୱ। ଆଉ ସଂଖ୍ୟାବହୁଳଙ୍କ ସହ ରହିବା ସଂଖ୍ୟାଲଘୁଙ୍କ ବି କର୍ତ୍ତବ୍ୟ। ଏହି ହିଂସାରେ ୬୧ ଜଣଙ୍କୁ ଗିରଫ କରାଯାଇଛି।

ୟୁପିରେ ଟେନସନ୍ ଦେଖାଦେଇଥିଲା। ମୋରୋଦାବାଦରେ ଇଦଗାହ ପଡ଼ିଆକୁ ନମାଜପାଠ ଲାଗି ପୁଲିସ ଅନୁମତି ନ ଦେବାରୁ ପୁଲିସ ସହ ଶ୍ରଦ୍ଧାଳୁଙ୍କ ବଚସା ହୋଇଥିଲା। ଆବଶ୍ୟକତାରୁ ଅଧିକ ଶ୍ରଦ୍ଧାଳୁ ଥିବାରୁ ସୁରକ୍ଷା ଦୃଷ୍ଟିରୁ ପୁଲିସ ଆଗ ଛାଡ଼ିନଥିଲା। ପରେ ଅବଶ୍ୟ ଅନୁମତି ଦେଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ସୁପ୍ରିମୋ ଅଖିଳେଶ ଯାଦବ ବି ଇଦଗାହ ପଡ଼ିଆକୁ ଗଲା ବେଳେ ପୁଲିସ ଅଧଘଣ୍ଟା ଧରି ଅଟକାଇଥିଲା। କାହା ଚାପରେ ଏହା କଲା ପୁଲିସ। ଅନ୍ୟ ଧର୍ମର ପର୍ବପର୍ବାଣୀରେ ସାମିଲ୍ ହେବାକୁ କାହିଁକି ଏମିତି ପ୍ରତିବନ୍ଧକ। ଏହା ଲୋକତନ୍ତ୍ର ଓ ସମ୍ୱିଧାନକୁ ଆକ୍ରମଣ। ଦେଶକୁ ବିଜେପି ସମ୍ୱିଧାନରେ ଚଳାଉନି। ଓ୍ୱାକଫ ସଂଶୋଧନ ବିଲ୍ ବିରୁଦ୍ଧରେ ପ୍ରତୀକାତ୍ମକ ବିରୋଧ କରି ଭୋପାଳରେ ଅନେକ ହାତରେ କଳା ପଟି ବାନ୍ଧି ଇଦଗାହ ପଡ଼ିଆକୁ ଯାଇଥିଲେ। ଅଲଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଏଭଳି ପ୍ରତୀକାତ୍ମକ ଶାନ୍ତିପୂର୍ଣ୍ଣ ବିରୋଧ କରିବାକୁ ନିର୍ଦେଶ ଦେଇଥିଲା। ଏଭଳି ବିଲ୍ ମୁସଲିମଙ୍କ ଧାର୍ମିକ ଓ ଚାରିଟେବୁଲ୍ ସଂସ୍ଥାକୁ କବଜା ସହ ଆଘାତ ଦେବାକୁ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ମସଜିଦ୍, ଇଦଗାହ,ମଦ୍ରାସା, ଦରଘା, ମଶାଣୀ ଓ ଅନ୍ୟ ସଂସ୍ଥାକୁ କବଜା କରିବାକୁ ଚକ୍ରାନ୍ତ ହେଉଛି।

ଶାନ୍ତି, ସମୃଦ୍ଧି ଓ ଖୁସିର ପର୍ବ ଇଦ୍। ଏହି ପର୍ବ ଭାଇଚାରାର ଭାବନାକୁ ମଝଭୁତ୍ କରେ। କରୁଣା ଭାବ ଓ ଦାନର ପ୍ରବୃତ୍ତିକୁ ଆପଣାଇବାକୁ ସନ୍ଦେଶ ଦିଏ। ହେଲେ ଦେଶରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାରକୁ ରୋକିବାକୁ ବି ଠୋସ୍ ପଦକ୍ଷେପ ନେବା ଜରୁରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *