ମରୁଡ଼ି ପ୍ରତିକାର ପାଇଁ ସରକାର ଆକ୍ସନ ପ୍ଲାନ ମୁଡକୁ ଆସନ୍ତୁ- କଂଗ୍ରେସ

Spread the love

ଭୁବନେଶ୍ୱର : ମୌସୁମୀ ଆସିବାରେ ବିଳମ୍ବ ଓ ସ୍ୱଳ୍ପ ବୃଷ୍ଟି ଯୋଗୁଁ ରାଜ୍ୟର ୧୮ଟି ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ମରୁଡ଼ିର ପଦଧ୍ୱନୀ । ୧୨ଟି ଜିଲ୍ଲାର ସ୍ଥିତି ଅତି ଉଦ୍‌ବେଗଜନକ । ଲକ୍ଷାଧିକ ହେକ୍ଟର ଚାଷଜମି ପଡ଼ିଆ ପଡ଼ିଛି । ଶ୍ରାବଣମାସ ଅଧା ହେଲାଣି ଅନେକ ଅଞ୍ଚଳରେ ଗଜା ମରୁଡ଼ି ହେବା ସହ ରୁଆ ବେଉଷଣ ହୋଇ ପାରିନାହିଁ । ଚାଷ ସ୍ଥିତି ଅତି ସାଂଘାତିକ । ସରକାର ଏଥିପ୍ରତି ଯେତିକି ପ୍ରାକ୍ ପ୍ରସ୍ତୁତ ରହିବା କଥା ସେତିକି ରହି ନାହାନ୍ତି । କେବଳ ଚାଷୀଙ୍କ ପାଇଁ ତୁଚ୍ଛା ଅରଣ୍ୟ ରୋଦନ କରୁଛନ୍ତି । ତେଣୁ ସରକାର ବର୍ତମାନ କଣ୍ଟିଜେଣ୍ଟଣ୍ଟ ପ୍ଲାନ ପରିବର୍ତ୍ତେ  ଆକ୍ସନ ପ୍ଲାନ ମୁଡକୁ ଆସନ୍ତୁ ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ  ଅମିୟ କୁମାର ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତି ଯେ, ଏବେ ସୁଦ୍ଧା ସରକାର ଚାଷୀଙ୍କୁ ସଅଳ କିସମ ଧାନ ଓ ଅଣଧାନ  ବିହନ ନିର୍ଦ୍ଧାରିତ ସମୟରେ ଯୋଗାଇ ଦେଇ ପାରି ନାହାନ୍ତି । ଅଞ୍ଚଳୱାରୀ  ମରୁଡ଼ି ପରିସ୍ଥିତି ସମୀକ୍ଷା କରାଯାଉନାହିଁ । ମରୁଡ଼ି ସାଙ୍ଗକୁ କୃଷି କର୍ମଚାରୀଙ୍କ ମରୁଡ଼ି ଚାଷୀକୁଳକୁ ବ୍ୟଥିତ କରିଛି । କୃଷି କ୍ଷେତ୍ର ଅଧିକାରୀମାନଙ୍କୁ କ୍ଷେତରେ ଦେଖିବାକୁ ମିଳୁନାହିଁ । ଖରିଫ୍ ଚାଷ ପାଇଁ କେନାଲରେ ପାଣି ଛଡ଼ା ଯାଉନାହିଁ । ବାହାଘର ବେଳେ ବାଇଗଣ ରୁଆଁ ପରି ବର୍ତମାନ କେନାଲ ସଫେଇ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ।  ସରକାରଙ୍କ ପାଖରେ କେତେ ପରିମାଣର ସଅଳ କିସମ ବିହନ କେଉଁ ସ୍ଥାନରେ ଅଛି ଏବଂ କେଉଁ ସମୟ ମଧ୍ୟରେ ଚାଷୀଙ୍କ ହାତ ପାହାନ୍ତାରେ ପହଞ୍ଚି ପାରିବ ଓ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଜଳସେଚନ ପରିଚାଳନାରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ସରକାର ସାର୍ବଜନୀନ କରନ୍ତୁ ବୋଲି ପଟ୍ଟନାୟକ କହିଛନ୍ତି । ବାସ୍ତବତା ଦୃଷ୍ଟିରୁ ସ୍ୱଳ୍ପକାଳୀନ ଅମଳ ପାଇଁ ପ୍ରାମାଣିକ ବିହନ, ଉଠା ଜଳସେଚନ ପଏଣ୍ଟଗୁଡ଼ିକ କାର୍ଯ୍ୟକାରୀ, କେନାଲରେ ଖରିଫ୍ ପାଣି ଯୋଗାଣ, କୃଷି ବିଜ୍ଞାନ କେନ୍ଦ୍ର ଓ ବିଭିନ୍ନ ସରକାରୀ କୃଷି ଫାର୍ମରେ ତଳି ଉତ୍ପାଦନ କରାଯାଇ ତୁରନ୍ତ ଚାଷୀଙ୍କୁ ମାଗଣାରେ ତଳି ଯୋଗାଇ ଦେବା, ଆବଶ୍ୟକ ପରିମାଣର ପଟାସ ଓ ସୁପର ସାର ଗଚ୍ଛିତ ରଖିବା, ଚାଷୀଙ୍କୁ ମାଗଣା ବିଜୁଳି ଓ ଡିଜେଲ ପମ୍ପ ସେଟ୍ ସର୍ବାଧିକ ରିହାତି ମୂଲ୍ୟରେ ଯୋଗାଇ ଦେବା, ଡିପ୍ ବୋଲୱଲକୁ ତ୍ୱରାନ୍ୱିତ, ଅଞ୍ଚଳୱାରୀ ମରୁଡ଼ି ସ୍ଥିତିର ସମୀକ୍ଷା ଓ ଏହାର ପ୍ରତିକାର ପାଇଁ ଆଶୁ ପଦକ୍ଷେପ ଏବଂ ଫସଲ ବୀମା ସର୍ମ୍ପକରେ ଚାଷୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ସହିତ ଜଳବାୟୁ ପରିବର୍ତର୍ନର ଦୃଶ୍ୟପଟରେ କୃଷକଙ୍କ ଭୂମିକା ସମ୍ପର୍କରେ ଅଧିକ ସଚେତନ କରିବାକୁ ସରକାରଙ୍କ ନିକଟରେ କଂଗ୍ରେସ ଦଳ ପକ୍ଷରୁ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *