ବିହାରରେ ମୋଦିଙ୍କ ହାତ ଛାଡ଼ି ଆରଜେଡିକୁ ଧରି ମହାମେଣ୍ଟ ସରକାର କଲେ ନୀତିଶ। ବିଜେପି ସହ ସମ୍ପର୍କ ଛିନ୍ନ କରି ପୁରୁଣା ସାଥୀ ଆରଜେଡି ସମର୍ଥନରେ ପୁଣି ଥରେ ସରକାର କରିଛନ୍ତି ନୀତିଶ। ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ। ଆଉ ନୂଆ ସରକାରର ନେତୃତ୍ୱ ନେଇଛନ୍ତି। ନିଜର ୪ ଦଶନ୍ଧିର ରାଜନୈତିକ କ୍ୟାରିଅରରେ ୫ ଥର ସହଯୋଗୀଙ୍କ ହାତ ଛାଡ଼ିଛନ୍ତି ନୀତିଶ। ଆଉ ପ୍ରତିପକ୍ଷ ବି ତାଙ୍କୁ ଆଦରି ନେଇ ସିଏମ୍ ଚୌକିରେ ବସାଇଛନ୍ତି। ତେବେ ନୀତିଶଙ୍କ ନୀତି, ମତିଗତିକୁ ନେଇ ସବୁବେଳେ ବିହାର ରାଜନୀତିରେ ଘମାସାନ ହେବା ଯେମିତି ଦେହସୁହା ହୋଇଗଲାଣି। ବିହାର ରାଜନୀତିରେ ନୀତିଶ।
ପଟ୍ଟ ପରିବର୍ତ୍ତନରେ ମାଷ୍ଟର। ରାଜନୀତିରେ ଆଦର୍ଶକୁ ଏଠାରେ ଗୌଣ କରିଦିଆଯାଏ। ବିଚାରାଧାରାକୁ ପଛକୁ ଠେଲି ଦିଆଯାଏ। କେବଳ ଗୋଟିଏ ଟାର୍ଗେଟ। କ୍ଷମତା ଚୌକି। ତା ପୁଣି ବିନା ନୀତିଶରେ ପରିକଳ୍ପନା ଯେମିତି ଅସମ୍ଭବ। ସେଥିଲାଗି ତ ସୁବିଧାବାଦୀ ରାଜନୀତିରେ ବ୍ରତୀ ନୀତିଶ ବିନା ବିହାରରେ ନେତୃତ୍ୱ କଥା ଚିନ୍ତା କରିପାରୁନାହାନ୍ତି ଯେ କୌଣସି ଦଳ। ଆଉ ଏନଡିଏର ହାତ ଛାଡ଼ିଦେବା ପରେ ଆଜି ନୀତିଶଙ୍କ ଅଣକଂଗ୍ରେସ ଓ ଦୁର୍ନୀତିମୁକ୍ତ ରାଜନୈତିକ ବିଚାରାଧାରାକୁ ଆକ୍ରମଣ କରୁଛି ବିଜେପି। ନୂଆ ସରକାରକୁ ଅଭିନନ୍ଦନ ଆଳରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଲୋକେ ଜବାବ ଦେବେ ବୋଲି ଚେତାଇ ଦେଇଛି। ନୀତିଶ ମୁର୍ଦ୍ଦାବାଦ ଧ୍ୱନିରେ ବିହାରରେ ବିଜେପି କମ୍ପିଛି।
ସେପଟେ ଆରଜେଡି ସହ ଯାଇ ନୀତିଶ ବିହାର ଲୋକଙ୍କୁ ବିଶ୍ୱାସଘାତ କରିଛନ୍ତି। ଲୋହିଆ- ଜେପି- ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ଆଦର୍ଶକୁ ନୀତିଶ ଦଳିଚକଟି ଦେଇଛନ୍ତି ବୋଲି ଆରୋପ ଲଦୁଛି ପଦ୍ମ କ୍ୟାମ୍ପ୍। କ୍ଷମତା ପାଇଁ ସବୁ କିଛି କରିପାରିବେ ବୋଲି ନୀତିଶଙ୍କ ଉପରେ ଆରୋପ ଲଗାଇଛି ବିଜେପି। କେବଳ ଏତିକି ନୁହେଁ, ୨୦୧୭ରେ ନୀତିଶ କହୁଥିଲେ, ଆରଜେଡି ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା। କିନ୍ତୁ ମଙ୍ଗଳବାର କହିଲେ ବିଜେପି ତାଙ୍କ ଦଳକୁ ଭାଙ୍ଗିବାକୁ ଚାହୁଁଥିଲା। ଯଦି ନୀତିଶଙ୍କ ଭଳି ନେତା ନିଜ ବ୍ୟକ୍ତିଗତ ଲାଳସା ପାଇଁ ଏଭଳି କରିବେ, ତେବେ ବିହାରବାସୀ ଏହାର କଡ଼ା ଜବାବ ଦେବେ ବୋଲି କହିଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାରକିଶ୍ୱର ପ୍ରସାଦ। ସେପଟେ ଆରଜେଡି ଏହାର କଡ଼ା ଜବାବ ଦେବାକୁ ଭୁଲିନି। କେଉଁ ନୀତି ଆଦର୍ଶର କଥା ବିଜେପି କହୁଛି କହି କଟାକ୍ଷ ଫିଙ୍ଗିଛି। ବିହାରରେ କେବଳ ନୂଆ ସରକାର ହେଉନି। ବରଂ ୨୦୧୭ ଓ ୨୦୨୦ରେ ଲୋକେ ଦେଇଥିବା ବହୁମତର ଘର ବାହୁଡ଼ା ହୋଇଛି।
ବିଜେପି ସେତେବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦଳିଦେବାକୁ ବସିଥିଲା। ସଫଳ ହେଲେ ବି ଅଧିକ ଦିନ ତିଷ୍ଠିପାରିଲାନି। ଆଉ ରାଜନୀତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ କହିବା କଥା, ରାଜନୀତିକ ସ୍ଥିରତା ଓ ସ୍ଥାୟିତ୍ୱ ବିହାରକୁ ଫେରିଆସିଛି। ନୀତିଶ ନୂଆ ଇନିଂସ ଆରମ୍ଭ କରିଛନ୍ତି। ୨୦୧୩-୧୪ରୁ ବିହାରରେ ରାଜନୀତିକ ଅସ୍ଥିରତା ଆରମ୍ଭ ହୋଇ ଷଷ୍ଠ ଥର ପାଇଁ ବିହାରରେ ନୂଆ ସରକାର ଗଢ଼ିବା ଭଳି ସ୍ଥିତି ଉପୁଜିଛି। ଜଣଙ୍କର ରାଜନୀତିକ ଓ ପ୍ରଶାସନିକ ଆଶା ଯେବେ ପୂରଣ ହେଉନି, ସେତିକିବେଳେ ହିଁ ସରକାର ପରିବର୍ତ୍ତନ ହୋଇଚାଲିଛି କହି ନୀତିଶଙ୍କ ନୀତିକୁ ବି ନେଇ ଅଙ୍ଗୁଳି ଉଠାଇଛନ୍ତି। ନୀତିଶ ହିଁ ମୁଖ୍ୟ ନାୟକ ସାଜି ଆସିଛନ୍ତି। ବିହାର ପଲିଟିକ୍ସରେ କିଙ୍ଗ୍ ହେଉଛନ୍ତି ନୀତିଶ। ଯିଏ ଯେତେ ଆକ୍ଷେପ କଲେ ବି ସେ ସମସ୍ତଙ୍କର ପ୍ରିୟ।
ସେଥିଲାଗି ତ କ୍ଷମତା ପାଇଁ ତାଙ୍କୁ କୋଳେଇ ନେବାକୁ ତିଳେ ବି ବିଳମ୍ୱ କରୁନାହାନ୍ତି ବିହାରରେ ଥିବା ପ୍ରମୁଖ ଦଳ ଗୁଡ଼ିକ। ଆଉ ଆଦର୍ଶ, ବିଚାରାଧାରା କଥା ଉଠୁଛି ବା କେଉଁଠୁ। ସେଥିଲାଗି ତ ସିଏମ୍ ଚୌକି ନୀତିଶଙ୍କୁ ଯେଭଳି ମାନୁଛି, ବିହାରବାସୀଙ୍କୁ ଦଳ ଗୁଡ଼ିକର ଆଦର୍ଶ ସେମିତି କାଟୁ କରୁନି।
- ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now