ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ

Spread the love

ଭୁବନେଶ୍ୱର : ଆଜି ଗୁଜରାଟ ହାଇକୋର୍ଟ ପକ୍ଷରୁ ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ଆବେଦନ ଖାରଜ ହୋଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ରାଲି କଂଗ୍ରେସ ଭବନରୁ ବାହାରି ୟୁନିଟ୍-୩ ସ୍ଥିତ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ଦାହ କରାଯାଇଥିଲା । ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଣ୍ଟା ଧରି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।

ଛାତ୍ର କଂଗ୍ରେସ ସଭାପତି ନୱାଜ କହିଛନ୍ତି, ରାହୁଲ ଗାନ୍ଧୀଙ୍କ କଣ୍ଠରୋଧ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଙ୍ଗିତରେ ଚକ୍ରାନ୍ତ ଚାଲିଛି । ଦେଶବାସୀ ଜାଣିଛନ୍ତି, ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଆଜି ନରେନ୍ଦ୍ର ମୋଦୀଙ୍କ ପକେଟ ଭିତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତାରେ ତାଙ୍କର ବନ୍ଧୁ ଶିଳ୍ପପତିମାନେ ବ୍ୟାଙ୍କରୁ ସାଧାରଣ ଜନତାଙ୍କର ଅର୍ଥ ଲୁଟ୍କୁ ରାହୁଲ ଗାନ୍ଧୀ ପର୍ଦ୍ଦାଫାସ କଲେ । ମୋଦୀ ସରକାରଙ୍କ ଦୁର୍ନୀତ ଓ ଭ୍ରଷ୍ଟାଚାର ବିରୋଧରେ ଲୋକସଭା ଭିତରେ ଓ ବାହାରେ ରାହୁଲ ଗାନ୍ଧୀ ଶାଣିତ ସ୍ୱରରେ ପ୍ରତିବାଦ କଲେ । ବିରୋଧିଙ୍କ କଣ୍ଠରୋଧ ପାଇଁ ଇଡ଼ି ଓ ସିବିଆଇର ଦୁରୁପୋଯୋଗକୁ ରାହୁଲ ଗାନ୍ଧୀ ପ୍ରତିବାଦ କଲେ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାକୁ ଦେଶରେ ଅଗଣିତ ଜନସାଧାରଣ ସମର୍ଥନ କଲେ । ଏଣୁ ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଚପାଇବା ପାଇଁ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ଏବଂ ତାଙ୍କୁ ଜେଲ୍ଦଣ୍ଡ ଦେବାକୁ ମୋଦୀ ଚକ୍ରାନ୍ତ ଚଲାଇଛନ୍ତି । ସାରାଦେଶ ରାହୁଲ ଗାନ୍ଧୀଙ୍କ ସହିତ ଅଛି । ଭାରତର ଲୋକ ମୋଦୀତନ୍ତ୍ରରେ ଅତିଷ୍ଠ ହୋଇଗଲାଣି । ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ଆକ୍ରମଣକୁ କଦର୍ଥ କରି ଯେଉଁ ଷଡ଼ଯନ୍ତ୍ର ହେଉଛି, ତାହାକୁ ଦେଶବାସୀ କ୍ଷମା ଦେବେ ନାହିଁ । ସୁତରାଂ ରାହୁଲ ଗାନ୍ଧୀଙ୍କ ଉପରେ ଲାଗୁ ହେଉଥିବା ମାମଲାର ପୁନଃବିଚାର ପାଇଁ ପ୍ରଦେଶ ଛାତ୍ର କଂଗ୍ରେସ ଦାବୀ କରିଛନ୍ତି । ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ରାହୁଲ ଗାନ୍ଧୀଙ୍କର ବିଜୟ ହେବ । ନରେନ୍ଦ୍ର ମୋଦୀଙ୍କର କାରସାଦି ସଫଳ ହେବ ନାହିଁ ।

Leave a Reply

Your email address will not be published. Required fields are marked *