କେସିଆରଙ୍କ ଆହ୍ୱାନ ପରେ ଆଲୋଡନ

Spread the love

ପାଟନା: ବିଜେପି ମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କେସିଆରଙ୍କ ସାକ୍ଷାତ ପରେ କେସିଆରଙ୍କ ଏଭଳି ଆହ୍ୱାନ ଏବେ ରାଜନୈତିକ ଦୃଷ୍ଟିକୋଣରୁ ମହତ୍ତ୍ୱକୁ ବଢ଼ାଇ ଦେଇଛି। ୨୦୨୪ ନିର୍ବାଚନରେ ଅଣକଂଗ୍ରେସ ଓ ଅଣ ବିଜେପି ମେଣ୍ଟ ଗଠନ ଉପରେ କେସିଆରଙ୍କ ଗୁରୁତ୍ୱକୁ ନେଇ ରାଜନୈତିକ ଘମାସାନ ଜୋର ଧରିଲାଣି।

୨୪ରେ ମୋଦି ନୁହେଁ। କେବଳ ଏତିକି ନୁହେଁ। ଭାରତକୁ ବିଜେପି ମୁକ୍ତ କରିବାକୁ ହେବ। ୨୪ ନିର୍ବାଚନରେ ଅଣ- କଂଗ୍ରେସ ଓ ଅଣ- ବିଜେପି ମେଣ୍ଟ ଗଠନର ଆବଶ୍ୟକତା ରହିଛି। କାରଣ ଏହି ଦୁଇ ଜାତୀୟ ଦଳ କ୍ଷମତାରେ ରହିବା ସତ୍ତ୍ୱେ ଦେଶ ବିକାଶ କରିବାରେ ବିଫଳ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତଥା କେସିଆରଙ୍କ ଏହି ଆହ୍ୱାନ ଏବେ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସାକ୍ଷାତ ପରେ ମୋଦି ଓ ବିଜେପି ବିରୋଧୀ କଡ଼ା ମନ୍ତବ୍ୟ ଓ ଆହ୍ୱାନକୁ ନେଇ ଦେଶର ରାଜନୀତି ଜୋର ଧରିଛି।

ମୋଦି ସରକାର କ୍ଷମତାକୁ ଆସିବା ଆଗରୁ ଟଙ୍କାର ଏବଳି ଅବମୂଲ୍ୟାୟନ ହୋଇନଥିଲା। ଚାଷୀମାନେ ବର୍ଷାଧିକ କାଳ ଧାରଣା ଦେଇଥିଲେ। ପ୍ରଶାସନିକ ବିଫଳତା ଲାଗି ଦେଶ ପ୍ରତିଟି କ୍ଷେତ୍ରରେ ଅବନତି କରିଚାଲିଛି। ବିକାଶ ବଦଳରେ ଶାସକ ବିଜେପି ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ଉପରେ ପ୍ରତିଶୋଧ ନେବାରେ ଲାଗିଛି। ଅନ୍ୟ ରାଜନୈତିକ ଦଳ ଗୁଡ଼ିକୁ ଶେଷ କରିବାକୁ ଚାହୁଁଛି ବିଜେପି। ସେଥିଲାଗି ଆଗାମୀ ଦିନରେ ସମସ୍ତ ବିରୋଧୀ ଦଳ ଏକଜୁଟ୍ ହେବାକୁ ଚେଷ୍ଟା କରିବା ଜରୁରୀ ବୋଲି କହିଛନ୍ତି କେସିଆର। ତା ପୁଣି ନୀତିଶଙ୍କ ସହ ମିଳିତ ସାମ୍ୱାଦିକ ସମ୍ମିଳନୀରେ। ନୀତିଶ ବି କହିଛନ୍ତି, ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଦିଗରେ ମୋଦି ସରକାର ଅନାଗ୍ରହ ପ୍ରକାଶ କରୁଛନ୍ତି। କେବଳ ବିହାର କାହିଁକି, ପ୍ରାୟ ରାଜ୍ୟ କେନ୍ଦ୍ର ଅବହେଳାର ଶୀକାର। କାମ ଅପେକ୍ଷା ନିଜ ପ୍ରଚାର ପ୍ରସାରରେ ଅଧିକ ବ୍ୟସ୍ତ କେନ୍ଦ୍ର ସରକାର। ରାଜ୍ୟଗୁଡିକ ବିକାଶରେ ପ୍ରତିବନ୍ଧକ ସାଜିଛନ୍ତି।

କେବଳ ଏତିକି ନୁହେଁ, ମିଳିତ ସାମ୍ୱାଦିକ ସମ୍ମିଳନୀରେ ନୀତିଶଙ୍କୁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ସିଧା ଅଫର୍ ଯାଚିଥିଲେ କେସିଆର। କାରଣ ନୀତିଶଙ୍କୁ ପିଏମ ପ୍ରାର୍ଥୀ କରିବାକୁ ବିରୋଧୀଦଳ  ଗୁଡ଼ିକ ଏକାଠି ବସିବେ ଓ ନିଷ୍ପତ୍ତି ନେବାର ଆବଶ୍ୟକତା ବି ଅଛି। ତେବେ ଉଭୟ ନେତାଙ୍କ ସାକ୍ଷାତ ଓ ଭାରତକୁ ବିଜେପି ମୁକ୍ତ କରିବାର ଆହ୍ୱାନ ଦିବାସ୍ୱପ୍ନ ବୋଲି କାଉଣ୍ଟର କରିଛି ବିଜେପି। ସୁଶୀଲ ମୋଦି କହିଛନ୍ତି, କେସିଆର ନୀତିଶଙ୍କୁ ପିଏମ ପ୍ରାର୍ଥୀ କରିବାକୁ ଅଫର୍ ଦେଉଥିଲେ ସୁଦ୍ଧା ନିଜେ କେସିଆର ନୀତିଶଙ୍କୁ ଏକଦା ସମର୍ଥନ କରୁନଥିଲେ। ୨୦୨୩ ବେଳକୁ କେସିଆର ନିଜ ମୁଖ୍ୟମନ୍ତ୍ରୀ ଆସନ ଆଗ ବଞ୍ଚାନ୍ତୁ। ୨୪ରେ ଉଭୟ ନୀତିଶ ଓ କେସିଆର ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେନି। ନିଜ ଆସନ ଅସୁରକ୍ଷିତ। ସେମାନେ ପୁଣି ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିବା ହାସ୍ୟାସ୍ପଦ।

କଂଗ୍ରେସ ମୁକ୍ତ ଭାରତର ଆହ୍ୱାନ ବହୁ ପୁରୁଣା ନାରା ବିଜେପିର। ହେଲେ ଏବେ ନୂଆ ଫଣ୍ଡା ଭାରତ ମୁକ୍ତ ବିଜେପି କେତେଦୂର ଫଳପ୍ରଦ ହେବ, ତା ଉପରେ ସମସ୍ତଙ୍କ ନଜର।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *