ରେଳ ଦୁର୍ଘଟଣାରେ ମୃତକ ତଥା ଅର୍କମଣ୍ୟ ପରିବାରଙ୍କୁ ଚାକିରି ଦିଆଯାଉ: କଂଗ୍ରେସ

Spread the love

ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଓ ପଙ୍ଗୁ ହୋଇଯାଇଥିବା ଯାତ୍ରୀଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି । ଏହାସହ ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ।

ସୋମବାର କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଯେଉଁ ମର୍ମତୁନ୍ଦ ଓ ହୃଦୟ ବିଦାରକ ରେଳ ଦୁର୍ଘଟଣା ଘଟିଲା ତାହା ହେଉଛି ଏ ଶତାବ୍ଦିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସରକାର ଜାଣିସୁଣି ପ୍ରକୃତ ମୃତକଙ୍କ ସଂଖ୍ୟାକୁ ଲୁଚାଉଛନ୍ତି । ୨୦୧୨ ମସିହା ଉପା ସରକାର ସମୟରେ ରେଳ ଦୁର୍ଘଟଣା ନିରୋଧ ଯନ୍ତାଂଶକୁ (ଆଂଟି କୋଲିଜନ ଡିଭାଇସ) ବିକଶିତ କରାଯାଇଥିଲା । ୨୦୧୪ ପରେ ନରେନ୍ଦ୍ର ମୋଦି ଏହାର ନାମକୁ ପରିବର୍ତନ କରି କବଜ ବୋଲି ପ୍ରଚାର କରି କହିଥିଲେ କବଜ ଦ୍ୱାରା ଭାରତବର୍ଷର ରେଳ ଦୁର୍ଘଟଣା ଆଉ ହେବ ନାହିଁ । ଧନଜୀବନ କ୍ଷତି ହେବ ନାହିଁ । କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ୯ବର୍ଷରେ ମାତ୍ର ୩୭୩ କୋଟି ଟଙ୍କା ବଜେଟର ଅର୍ଥ ବ୍ୟୟବରାଦ କରିଛନ୍ତି କବଜର କାର୍ଯ୍ୟକାରୀ ପାଇଁ । କିନ୍ତୁ ଏ ପର୍ଯ୍ୟନ୍ତ ଇଷ୍ଟକୋଷ୍ଟ ରେଲୱେ କିମ୍ବା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଗୋଟିଏବି ଟ୍ରାକରେ କବଜ ଲଗାଯାଇ ନାହିଁ ।

ଦୁଇ ଦିନ ପୂର୍ବରୁ ଖୋଦ ରେଳମନ୍ତ୍ରୀ ଘୋଷଣା କରି କହିଲେ ତଦନ୍ତ ଶେଷ ହେଲା, ଦୋଷୀ ଚିହ୍ନଟ ହୋଇ ସାରିଲା ଏବଂ ଦୋଷର କାରଣ କ୍ରାକର ଇଂଟରଲକିଂର ଫେଲୱର କଥା କୁହାଗଲା କିନ୍ତୁ ୮-୧୦ ଘଂଟା ନପୁରୁଣୁ ଏ କଥାକୁ ବଦଳାଇ ଦିଆଗଲା ଏବଂ ସିବିଆଇ ଦ୍ୱାର ଏହାର ତଦନ୍ତ କରାଯିବାକୁ କେନ୍ଦ୍ର ସରକାର ନିଷ୍ପତି ନେଲେ ବୋଲି ଘୋଷଣା କରାଗଲା । ଭାରତବର୍ଷର ଇତିହାସରେ ରେଳଦୁର୍ଘଟଣାରେ ପ୍ରଥମଥର ପାଇଁ ସିବିଆଇକୁ ଇନକ୍ୱାରୀ କରିବାକୁ ଦିଆଯାଉଛି । ଏଥିରେ କ’ଣ କ୍ରାଇମ ରହିଛି? ଏ କ୍ରାଇମ ସିଣ୍ଡିକେଟ ବାବଦରେ ମନ୍ତ୍ରୀଙ୍କ ପାଖରେ କିଛି ତଥ୍ୟ ରହିଛି କି? ଜାଣିସୁଣି ଏ ଦୁର୍ଘଟଣାର ମୁଖ୍ୟ ଦୋଷୀ ଏବଂ କାରଣକୁ ଚପାଇଦେବା ଉଦ୍ଦେଶ୍ୟରେ ଏହା ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କର ଏକ ବୃହତ ଷଡ଼ଯନ୍ତ୍ର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଦାବି କରି କହିଛନ୍ତି ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ସହିତ ମୃତକଙ୍କ ପରିବାର ତଥା ଗୁରୁତ୍ୱର ଆହତ ଓ ପଙ୍ଗୁ ପରିବାରଙ୍କୁ ସରକାରୀ ଚାକିରୀ ଦେବାପାଇଁ ଦାବି କରିଛନ୍ତି ତତ୍ ସହିତ ଏଭଳି ଏକ ରେଳ ଦୁର୍ଘଟଣାର ଦାୟୀତ୍ୱ ନିଜେ ରେଳମନ୍ତ୍ରୀ ନେଇ ସେ ଶୀଘ୍ର ଇସ୍ତଫା ପ୍ରଦାନ କରନ୍ତୁ ।

ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଲେ ଯେ ବାହାନଗା ରେଳଦୁର୍ଘଟଣା ଏକ ମନୁଷ୍ୟକୃତ ବିପତି । ରେଳମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ଶହ ଶହ ଯାତ୍ରୀ ପ୍ରାଣହରାଇଲେ । ଏଥିପାଇଁ ସେ ମୁଖ୍ୟତଃ ଦାୟୀ । କେବଳ ଏହି ଦୁର୍ଘଟଣା ପାଇଁ ଜଣେ ସିଗ୍ନାଲମ୍ୟାନଙ୍କୁ ଦାୟୀକରି ତାକୁ ଦଣ୍ଡ ଦେବା ଯଥେଷ୍ଟ ନୁହେଁ । ଖୋଦ ରେଳମନ୍ତ୍ରୀ ଏହାର ଉତର ଦାୟୀତ୍ୱ ନେବେ କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ରେଳମନ୍ତ୍ରୀ ନିଜ ପଦବୀରୁ ତୁରନ୍ତ ଇସ୍ତଫା ପ୍ରଦାନ କରିବା କଥା । କିନ୍ତୁ ମୋଦି ସରକାର ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳୁନାହିଁ କାହିଁକି? ସାଧୁତା ଓ ଉତର ଦାୟୀତ୍ୱ ଏଣୁ ପ୍ରଦେଶ କଂଗ୍ରେସ ତାଙ୍କର ଇସ୍ତଫା ଦାବି କରୁଛି । ସେହିପରି ରାଜ୍ୟ ସରକାର ଚିକିତ୍ସା ସହାୟତା କ୍ଷେତ୍ରରେ ଅଧିକ ଦକ୍ଷତା ପଦର୍ଶନ କରିପାରିଲେ ନାହିଁ ଯେହେତୁ ସୋରୋ ଓ ବାଲେଶ୍ୱରରେ ଡାକ୍ତର ପାରା ମେଡିକାଲ ଷ୍ଟାଫ ପଦବୀ ଖାଲି ପଡ଼ିଛି । ସମଗ୍ର ରାଜ୍ୟରେ ଅନୁରୂପ ସ୍ଥିତି । ଯଦି ସବୁ ଡାକ୍ତରଖାନାରେ ଡାକ୍ତର ଥାଆନ୍ତେ ଅଧିକ ଜୀବନ ରକ୍ଷା କରାଯାଇ ପାରିଥାନ୍ତା । ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହରା ସାମ୍ବାଦିକ ମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ପ୍ରଧାନମନ୍ତ୍ରୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି କହିଲେ ଯେ ଦୋଷୀକୁ କୋଠର ଦଣ୍ଡ ଦିଆଯିବ କାହାକୁ ଛଡ଼ାଯିବ ନାହିଁ । ତେଣୁ ପ୍ରଥମ କର୍ତବ୍ୟ ଓ କାର୍ଯ୍ୟ ଦକ୍ଷତାର ଚରମ ଅବହେଳା ପାଇଁ ରେଳମନ୍ତ୍ରୀଙ୍କ ବରଖାସ୍ତ କରନ୍ତୁ ।

Leave a Reply

Your email address will not be published. Required fields are marked *