ସମାବର୍ତ୍ତନ ଉତ୍ସବରେ ଜୁଏଲ କହୁ କହିଦେଲେ ଅନେକ କିଛି

ଭୁବନେଶ୍ୱର: ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ପାଇ କୁଆଡ଼େ ମନସ୍ତାପରେ ଅଛନ୍ତି ବରିଷ୍ଠ ସାଂସଦ ଜୁଏଲ ଓରାମ୍। କାରଣ ୨୦୧୪ରେ ଓଡ଼ିଶାରେ ପଦ୍ମ ପାଖୁଡ଼ା କେହି ଯଦି ଜଣେ ଖୋଲିବାକୁ ସକ୍ଷମ ହୋଇଥିଲା, ସେ ଥିଲେ ଏକମାତ୍ର ଜୁଏଲ୍। ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରୁ ଜୁଏଲ ଜିତି ବିଜେପିର ସମ୍ମାନ ରକ୍ଷା କରିଥିଲେ। ଆଉ ବିଜେଡି ଏକାକୀ ପୋଛି ନେଇଥିଲା ବାକି ୨୦ ଆସନ।

ମୋଦି ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେଲେ ଆଉ ଜୁଏଲ ବି ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ। ଧର୍ମେନ୍ଦ୍ର ପ୍ରଧାନ ସମୟକ୍ରମେ ସେତେବେଳେ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ଯାଇ ମୋଦି ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରପାହ୍ୟା ଓ ତା ପରେ ପଦୋନ୍ନତି ପାଇ କ୍ୟାବିନେଟରେ ସାମିଲ ହୋଇଛନ୍ତି। କିନ୍ତୁ ୨୦୧୯ ଦୃଶ୍ୟପଟ୍ଟରେ ବିଜେପିର ଉତଥାନ ଓ ୮ ସାଂସଦ ଲୋକସଭାକୁ ଯିବା ପରେ ଜୁଏଲଙ୍କ ଭାଗ ମନ୍ତ୍ରିମଣ୍ଡଳରେ ପଡ଼ିନଥିଲା। ୫ ଥରର ସାଂସଦ, ବିଜେପିର ଆଦିବାସୀ ଚେହେରା ଜୁଏଲ ଯିଏ କି ମୋଦି କ୍ୟାବିନେଟରେ ଆଦିବାସୀ ବ୍ୟାପାର ସମ୍ଭାଳିଥିଲେ, ସେ ବାଦ୍ ପଡ଼ିଗଲେ।

ସେଥିଲାଗି ତ ୨୦୧୯ ମୋଦି ମନ୍ତ୍ରିମଣ୍ଡଳର ଶପଥ ସମାରୋହକୁ ବି ଯାଇନଥିଲେ ଜୁଏଲ। ଏନଡିଏ-ଟୁରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନଥିବା ଜୁଏଲ ମୋଦିଙ୍କ ବିଶ୍ୱାସଭାଜନ କାହିଁକି ହୋଇପାରିଲେନି, ତାକୁ ନେଇ ଚର୍ଚ୍ଚାର ସ୍ପଷ୍ଟତା ଏ ଯାଏ ଆସିନଥିଲା ବେଳେ ରାଉରକେଲା ନିଟ୍ ସମାବର୍ତ୍ତନ ଉତ୍ସବରେ ଜୁଏଲ ନିଜକୁ ବାଜିଗର କହି ପରୋକ୍ଷରେ ସବୁ କଥା ଓଗାଳିଦେଇଛନ୍ତି କହିଲେ ଭୁଲ୍ ହେବନି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମନ୍ତ୍ରୀ ହେବାର ମାପକାଠିକୁ ନେଇ ଅତୀତର କିଛି ଏମିତି କଥାକୁ ଦର୍ଶାଇଥିଲେ କି, ବୁଝିବା ଲୋକ ବୁଝିବାରେ ଅସୁବିଧା ହେବନି। ଧର୍ମେନ୍ଦ୍ରଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ନିର୍ବାଚନ ପ୍ରଚାର ବେଳର କଥାକୁ ମନେ ପକାଇଦେଇଥିଲେ।
ବୁଦ୍ଧିଜୀବି ଓ ରାଜନେତାଙ୍କ ଭିତରେ ଅନେକ ତଫାତ୍ ଅଛି ଓ ଏହାକୁ ବୁଝାଇବାକୁ ଯାଇ ଜୁଏଲ ନିଜ ମନର ଅନେକ ଅକୁହା କଥାକୁ ଓଗାଳିଥିଲେ। ବୁଦ୍ଧି ଚାଲିଗଲେ ବୁଦ୍ଧି ସିନା ଶିକ୍ଷକ ଦିଅନ୍ତି।

କିନ୍ତୁ କାହା ପକେଟରୁ ପଇସା ଚାଲିଗଲେ ତାକୁ ଫେରାଇଆଣିବାର ବୁଦ୍ଧି ବେପାରୀ ଦିଅନ୍ତି କହିଥିଲେ ଜୁଏଲ। ବିଜୁ ବାବୁଙ୍କ ନିର୍ବାଚନୀ ଷ୍ଟ୍ରାଟେଜିର ନଜିର ଦେଇ ଜୁଏଲ କିଭଳି ହାରିବା ଲାଗି ନିର୍ବାଚନ ଲଢୁଥିଲେ ତାହାର ଅବତାରଣା କରିଛନ୍ତି। ଅନେକ ସମୟରେ କାହାକୁ ହରାଇବା ଲାଗି ଭୋଟ୍ ଦେବାକୁ ମାନସିକତା ଆପଣାଯାଏ ବୋଲି କହିଛନ୍ତି ଜୁଏଲ।

ସମାବର୍ତ୍ତନ ଉତ୍ସବରେ ସମ୍ୱୋଧିତ ବେଳେ ଜୁଏଲ ବାଜିଗର ଥିଓରୀ ଆପଣାଇଲେ। ଧର୍ମେନ୍ଦ୍ରଙ୍କ ସହ ବି ବେଶ୍ ଦୀର୍ଘ ଦିନ ବ୍ୟବଧାନ ପରେ ଏକାଠି ହେବାକୁ ମଉକା ପାଇଲେ ବୋଲି କହିଲେ। ସତ ଓ ସିରିୟସ କଥା ନ କହିଲେ ଭୋଟ ମିଳେନି। ଯଦି ସେ କିଛି ଏପଟସେପଟ କହିଥାଆନ୍ତି, ତେବେ କେହି ମନରେ ଧରିବେନି ବୋଲି ଅପିଲ୍ କରିଥିଲେ।

ରାଜନୀତିଆ ଲୋକ। ଏପଟ ସେପଟ କିଛି କହିଥିଲେ କ୍ଷମା କରିଦେବାକୁ କହି ଯେମିତି ନିଜ ମନର କଥା କହି ହାଲୁକା ହେବାକ ଏଭଳି ଏକ ମଞ୍ଚ ଖୋଜୁଥିଲେ ଜୁଏଲ।


ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *