ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କିଷାନ କଂଗ୍ରେସ

Spread the love

ଭୁବନେଶ୍ୱର : ବଜାର ଦର ନିୟନ୍ତ୍ରଣ କରିବାରେ ସରକାର ବିଫଳ । ରାଜ୍ୟ ବିଜେଡ଼ି ସରକାରର ଚରମ ଅବହେଳାରୁ ଖରା ଓ ବର୍ଷା ସହଣୀ ବିହନ ଅଭାବ, ବିପଣନ, ମଣ୍ଡି ବ୍ୟବସ୍ଥା ଓ ଆବଶ୍ୟକ ଶୀତଳଭଣ୍ଡାର ନ ଥିବା ଯୋଗୁଁ ବର୍ଷତମାମ ଓଡ଼ିଶା ବଜାରକୁ ପରିବା ଆସି ପାରୁନାହିଁ । ଗରୀବ, ନିମ୍ନ ମଧ୍ୟବିତ୍ ଓ ସାଧାରଣ ଖାଉଟି ପରିବା କିଣିବା କାଠିକର ପାଠ । ଚାଷୀ ଏହାର ଫାଇଦା ନେବା ପରିବର୍ତ୍ତେ ବାହାର ରାଜ୍ୟର ବ୍ୟବସାୟୀ ଏହାର ମୁନାଫା ଉଠାଉଛନ୍ତି । ତେଣୁ ଏହାର ପ୍ରତିବାଦରେ ଖାଉଟି ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ଗୁରୁବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୧୫ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସରକାର ତୁରନ୍ତ ଏହାର ସମାଧାନ କରିବାକୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି କିଷାନ କଂଗ୍ରେସ ।

ଉକ୍ତ ସ୍ମାରକପତ୍ରରେ ଦାବୀଗୁଡ଼ିକ ମଧ୍ୟରେ ପନିପରିବା ମିଶନ୍ ଗଠନ, ଅଧିକ ଅମଳକ୍ଷମ ପନିପରିବାକୁ ଫସଲବୀମାରେ ଅନ୍ତର୍ଭୁକ୍ତ, ପ୍ରତି ବ୍ଳକସ୍ତରରେ ଶୀତଳଭଣ୍ଡାର ସ୍ଥାପନ, କୁଲିଂ ଚାମ୍ବର ଏବଂ ସୋଲାର ବ୍ୟବସ୍ଥା, ଅଞ୍ଚଳଭିତ୍ତିରେ ପନିପରିବା ଉତ୍ପାଦନ ଗୋଷ୍ଠୀ ଗଠନ ଓ କ୍ଳଷ୍ଟର ଭିତ୍ତିକ ପନିପରିବା ଚାଷ ପାଇଁ ପ୍ରୋତ୍ସାହନ, ଓମଫେଡ଼ ଭଳି ପନିପରିବା ଉତ୍ପାଦନ ଓ ସୁବିପଣନ ପାଇଁ ଭେଜଫେଡ଼ ପ୍ରତିଷ୍ଠା, ଉନ୍ନତମାନର ବିହନ ଓ ଚାରା ଚାଷୀଙ୍କୁ ରିହାତି ମୂଲ୍ୟରେ ଯୋଗାଣ, ବିଭିନ୍ନ ପନିପରିବାର ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରସ୍ତୁତିକରଣ ପାଇଁ ବ୍ୟବସ୍ଥା, ପନିପରିବା ଚାଷ ଓ ସଂରକ୍ଷଣ ପାଇଁ ବ୍ୟବହୃତ ବିଜୁଳି ଚାଷୀଙ୍କୁ ମାଗଣାରେ ଯୋଗାଣ, ଅଧିକ ଅମଳକ୍ଷମ ପରିବାକୁ ଅତ୍ୟାବଶ୍ୟକ ସାମଗ୍ରୀର ଅନ୍ତର୍ଭୁକ୍ତ, ଉନ୍ନତ ପନିପରିବା ଚାଷ ପାଇଁ ବିହନ ଓ ଚାରା ଉତ୍ପାଦନ ପାଇଁ ପ୍ରତି ଗ୍ରାମ ପଞ୍ଚାୟତସ୍ତରରେ ନର୍ସରୀ ପ୍ରତିଷ୍ଠା, ବନ୍ୟଜନ୍ତୁଙ୍କ ଦାଉରୁ ଫସଲ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପନିପରିବା ଉତ୍ପାଦନ, ସଂରକ୍ଷଣ, ପ୍ରକ୍ରିୟା ଓ ପ୍ରସ୍ତୁତିକରଣ ସମ୍ପର୍କରେ ଚାଷୀଙ୍କୁ ଉପଯୁକ୍ତ ବୈଷୟିକ ତାଲିମ ପ୍ରଦାନ,ପ୍ରଭୃତି ଦାବୀ କରାଯାଇଛି । ଯଦି ସରକାର ଏହି ଦାବୀଗୁଡ଼ିକର ଆଶୁ ସମାଧାନ ନ କରନ୍ତି, ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଜାରି ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ କିଷାନ କଂଗ୍ରେସ ନେତା ବୃନ୍ଦାବନ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *